କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କ ଐତିହାସିକ ନିଷ୍ପତିକୁ ନେଇ ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବାବେଳେ ଘାଟିରୁ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର । ଗୋଟିଏ ପଟେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ କବଜା କରିସାରିଥିବା ବେଳେ ଅନ୍ୟପଟେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ମଇଦାନରୁ ବିରତି ନେଇ ସେନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି । ଲେଫ୍ଟନାଣ୍ଟ କର୍ଣ୍ଣେଲ ଧୋନୀ ବର୍ତ୍ତମାନ ଦକ୍ଷିଣ କାଶ୍ମୀରରେ ଭିକ୍ଟର ଫୋର୍ସ ସହ ଟ୍ରେନିଂରେ ଅଛନ୍ତି । ତେବେ ପ୍ରତିଦିନ ମାହିଙ୍କ କୌଣସି ନା କୌଣସି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ଧୋନୀଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଧୋନୀ ଜୋତା ପଲିସ୍ କରୁଥିବାର ଦେଖିବାକୁ ମିଳିଛି ।
ତେବେ ଏହି ଫଟୋରେ ଧୋନୀ ସେନା ପୋଷାକ ପରିଧାନ କରିଥିବା ବେଳେ ଟ୍ରେନିଂକୁ ଯିବା ପୂର୍ବରୁ ନିଜ ଜୋତା ପଲିସ୍ କରୁଥିବାର ଦେଖିବାକୁ ମିଳିଛି । କୁହାଯାଉଛି, ଧୋନୀ ନିଜ ରୁମରେ ବସି ଏଭଳି ଜୋତା ପଲିସ୍ କରୁଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, ସବୁବେଳେ ପଞ୍ଚତାରକା ହୋଟେଲରେ ରହୁଥିବା ମାହି ସେନାରେ ଏକ ଛୋଟ ରୁମରେ ରହୁଛନ୍ତି । ଯାହାକି ଏହି ଫଟୋରୁ ସ୍ପଷ୍ଟ ବାରି ହୋଇପଡୁଛି । ଆଉ ଏହି ଛୋଟ ରୁମରେ ଗୋଟିଏ ଛୋଟ ଖଟଟିଏ ପଡିଛି । ଯେଉଁଥିରେ ଧୋନୀ ପ୍ରତିଦିନ ଏଠାରେ ଶୋଉଥିବା କୁହାଯାଉଛି ।
Lt. Colonel Mahendra Singh Dhoni spotted playing volleyball with his Para Territorial Battalion!💙😊
Video Courtesy : DB Creation #IndianArmy#MSDhoni#Dhonipic.twitter.com/H6LwyC4ALb— MS Dhoni Fans Official (@msdfansofficial) August 4, 2019
ଗୋଟିଏ ବର୍ଷରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ମହେନ୍ଦ୍ର ସିଂହ ଧୋନୀ କିଭଳି ଜଣେ ସାଧାରଣ ସୈନିକ ଭାବେ ଜୀବନ ଅତିବାହିତ କରୁଛନ୍ତି, ତାହା ଏହି ଫଟୋ ହିଁ ବୟାନ୍ କରୁଛି । ସେହିପରି ଧୋନୀଙ୍କ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ମାହି ସେନାର ସାଥୀମାନଙ୍କ ସହ ଭଲିବଲ ଖେଳୁଥିବାର ନଜର ଆସିଛନ୍ତି । ସୂଚନା ଅନୁଯାୟୀ, ଧୋନୀ ଜୁଲାଇ ୩୧ ତାରିଖରୁ ସେନାରେ ଦାୟିତ୍ୱ ସମ୍ଭାଳିଥିଲେ । ଏବଂ ଅଗଷ୍ଟ ୧୫ ତାରିଖ ଯାଏଁ ସେ ନିଜ ବାଟାଲିୟନ ସହ ରହିବେ ।