ସତ ହେଲା ସାଇକ୍ଲୋନମ୍ୟାନଙ୍କ ପୂର୍ବାନୁମାନ । ସଠିକ ପୂର୍ବାନୁମାନ କରିବାରେ ସମସ୍ତଙ୍କ ଠାରୁ ଆଗରେ ରହିଲେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ଠିକଣା ସମୟରେ ଦିଗ ବଦଳାଇ ଆଗକୁ ମାଡୁଥିଲା ଅମ୍ଫାନ, ସଠିକ ସମୟରେ ସୁନ୍ଦରବନରେ ହେଲା ମାଡ ।

1,031

କନକ ବ୍ୟୁରୋ: ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଏକ ଲଘୁଚାପ ଅବପାତର ପୁର ନେଇ ବାତ୍ୟା ଆକାରରେ ସ୍ଥଳଭାଗ ଆଡକୁ ମାଡି ଆସୁଥିବା ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ଆଉ ପ୍ରତିବର୍ଷ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଥିବା ଓଡିଶାବାସୀଙ୍କ ମନରେ ଛନକା ପଶିଥିଲା । ହେଲେ ଦିଲ୍ଲୀରେ ପାଣିପାଗ କାର୍ଯ୍ୟାଳୟରେ ବସିଥିବା ଜଣେ ଓଡିଆ ଏହି ସମ୍ଭାବ୍ୟ ବାତ୍ୟାର ସ୍ୱରୂପ ଓ ଗତିପଥ ଉପରେ ସତର୍କ ନଜର ରଖିବା ପାଇଁ ୱାର ରୁମରେ ଚଳାଇଥିଲେ ମାରାଥନ କସରତ । ଯାହାଙ୍କୁ ଏ ଦେଶ ସାଇକ୍ଲୋନ ମ୍ୟାନ ଅଫ ଇଣ୍ଡିଆ ବୋଲି ଆକ୍ଷା ଦେଇଛି । ସ୍ୱଭାଗ୍ୟକୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ସାଇକ୍ଲୋନ ମ୍ୟାନ ଅଫ ଇଣ୍ଡିଆ ମୃତ୍ୟୁଞ୍ଜୟ ମହାପାତ୍ର ।

ଦେଶରେ ପାଣିପାଗକୁ ନେଇ ପୂର୍ବାନୁମାନ କରୁଥିବା ସର୍ବୋଚ୍ଚ ସଂସ୍ଥାର ନେତୃତ୍ୱ ନେବା ପୂର୍ବରୁ ସେ ସାଇକ୍ଲୋନ ୱାର୍ଣ୍ଣିଂ ସେଂଟର ବା ବାତ୍ୟା ସତର୍କ ସୂଚନା କେନ୍ଦ୍ରର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ । ବାତ୍ୟାର ସ୍ୱରୂପ ଓ ଏହାର ଗତପଥକୁ ନେଇ ତାଙ୍କର ଆକଳନ ବାରମ୍ବାର ଠିକ ହୋଇଆସିଛି । ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ ଏବି ୨୦୧୮ରେ ତିତିଲି ଓଡିଶାରେ ମାଡ ହୋଇଥିବାବେଳେ ତାଙ୍କରି ପୂର୍ବାନୁମାନ କାରଣରୁ କ୍ଷୟକ୍ଷତିକୁ ଯଥେଷ୍ଟ ପରିମାଣରେ କମ୍ କରିପାରିଥିଲେ ରାଜ୍ୟ ସରକାର । ବିଭିନ୍ନ ମଡେଲକୁ ଅନୁସରଣ କରି ବାତ୍ୟାକୁ ଟ୍ରାକ କରିବାଠାରୁ ଆରମ୍ଭ କରି ଏହାର ଗତିପଥ ନେଇ ସଠିକ ଆକଳନ ତାଙ୍କୁ ଗତବର୍ଷ ଅଗଷ୍ଟରେ ଭାରତୀୟ ପାଣିପାଗ ବିଭାଗର ସର୍ବୋଚ୍ଚ ଆସନରେ ବସାଇଛି ।

ଗତବର୍ଷ ନଭେମ୍ବରରେ ବୁଲବୁଲକୁ ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ କରି ଏଥର ମଧ୍ୟ ଅମ୍ଫାନକୁ ନେଇ ଆଇଏମଡିର ପୂର୍ବାନୁମାନ ଓ ତଥ୍ୟ ଏକଦମ ସଠିକ ସାବ୍ୟସ୍ତ ହୋଇଛି । ବାତ୍ୟା ଅମ୍ଫାନ ତାର ପୂର୍ବନୁମାନ ଅନୁସାରେ ନିର୍ଦ୍ଦିଷ୍ଟ ଗତିପଥରେ ଯାଇ ପଶ୍ଚିମବଙ୍ଗରେ ସ୍ଥଳଭାଗକୁ ଛୁଇଁଛି । ବାତ୍ୟା ସମୁଦ୍ର ମଧ୍ୟରେ ଗତିକଲାବେଳେ ଉତର-ଉପକୂଳ ଓଡିଶାରେ ଯେଭଳି ପ୍ରଭାବ ପକାଇବା ନେଇ ଆଇଏମଡି ସତର୍କ କରିଥିଲା ତାହା ମଧ୍ୟ ଦେଖିବାକୁ ମିଳିଛି ।

ଭାରତର ସାଇକ୍ଲୋନ ମ୍ୟାନ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ ପୁଣିଥରେ ସତ ସାବ୍ୟସ୍ତ ହୋଇଛି । ଭଦ୍ରକରେ ଜନ୍ମିତ ଏହି ବିଚକ୍ଷଣ ବ୍ୟକ୍ତିତ୍ୱ ଫିଜିକ୍ସରେ ମାଷ୍ଟର୍ସ ଡିଗ୍ରୀ କରିିବା ପରେ ପ୍ରଥମେ ଚାନ୍ଦିପୁର ସ୍ଥିତ ଡିଆରଡିଓ ପରୀକ୍ଷାଗାରରେ ଯୋଗ ଦେଇଥିଲେ । ହେଲେ ପାଣିପାଗକୁ ନେଇ ପୂର୍ବାନୁମାନର ଆକର୍ଷଣ ତାଙ୍କୁ ଭାରତୀୟ ପାଣିପାଗ ବିଭାଗକୁ ଟାଣି ନେଇଛି ।