ଦୁଃଖ ପ୍ରକାଶ କଲେ ସାଂସଦ ନଗେନ୍ଦ୍ର ପ୍ରଧାନ ! କହିଲେ, ମନରେ ଥିଲା ଭୂଲ ଧାରଣା, ଏବେ ଦୂର ହୋଇଗଲା

48

କନକ ବ୍ୟୁରୋ : ଶେଷରେ ନିଜର ଭୂଲ ବୁଝିପାରିଲେ ସମ୍ବଲପୁରର ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ । ଦୁଇ ଦିନ ପୂର୍ବେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗ ଦେଖାଇବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ନଗେନ୍ଦ୍ର । ଗତ ଦୁଇଦିନ ପୂର୍ବେ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଜନ୍ମତିଥିରେ ଯୋଗ ଦେବା ଅବସରରେ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ ସାଂସଦ । କାରଣ ଗଣମାଧ୍ୟମ ପ୍ରତିନିଧି ପ୍ରଥମେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେଇଥିବାରୁ ତାତି ଉଠିଥିଲେ ନଗେନ୍ଦ୍ର । ଏପରିକି ଆଗ ବ୍ୟୁରୋକ୍ରାଟ ନା ରାଜନେତା ଏନେଇ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ । ଏପରିକି ନିଜକୁ ବଡ ଦେଖାଇବା ପାଇଁ କହିଥିଲେ, ରାଜନେତା ମାନେ ଆଇନ ତିଆରି କରନ୍ତି ଓ ତାହାକୁ ବ୍ୟୁରୋକ୍ରାଟ ମାନେ ପାଳନ କରନ୍ତି । ତେଣୁ ଗଣମାଧ୍ୟମ ପ୍ରତିନିଧି କଣ ପାଇଁ ପ୍ରଥମେ ବ୍ୟୁରୋକ୍ରାଟଙ୍କ ପ୍ରତିକ୍ରିୟା ନେଉଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ ।

ତେବେ ଦୁଇଦିନ ପରେ ନିଜ ଭୁଲକୁ ହୃଦୟଙ୍ଗମ କରିଛନ୍ତି ନଗେନ୍ଦ୍ର । ଆଜି ନିଜ ଭୂଲ ପାଇଁ ଗଣମାଧ୍ୟମ ଆଗରେ ଦୁଃଖ ପ୍ରକାଶ କରିଛନ୍ତି । ଏପରିକି ଗଣମାଧ୍ୟମକୁ ନେଇ ତାଙ୍କର ଭୂଲ ଧାରଣା ଥିଲା ବୋଲି କହିଛନ୍ତି ନଗେନ୍ଦ୍ର । ତେବେ ରାଗ ସମୟରେ ସେ ଏପରି କହି ଦେଇଥିଲେ ବୋଲି କହିଛନ୍ତି ସାଂସଦ । ପ୍ରଥମେ ପ୍ରତିକ୍ରିୟା ନେବା ଉପରେ ତାଙ୍କର ଭୂଲ ଧାରଣା ଥିଲା ଯାହା ଏବେ ଦୂର ହୋଇଛି ବୋଲି କହିଛନ୍ତି ନଗେନ୍ଦ୍ର ।