ଶେଷ ହେଲା ମଧ୍ୟପ୍ରଦେଶ ଭୋଟ ଗଣତି : ନିର୍ବାଚନରେ କାହାକୁ ମିଳିଲାନି ବହୁମତ । ୧୧୪ ଆସନ ସହ କଂଗ୍ରେସ ସବୁଠାରୁ ବଡ ଦଳ

ରାତି ଅଧରେ ଫ୍ରେସ କନଫରେନ୍ସ କରି ସରକାର ଗଠନ ପାଇଁ ଦାବି କଲେ କମଳନାଥ ।

273

କନକ ବ୍ୟୁରୋ : ଶେଷ ହେଲା ମଧ୍ୟପ୍ରଦେଶରେ ଭୋଟ ଗଣତି । ଆସିଲା ୨୩୦ଟି ଆସନର ଫଳାଫଳ, ହେଲେ ସରକାର ଗଢ଼ିବାକୁ କୌଣସି ପାର୍ଟିକୁ ବହୁମତ ମିଳିପାରିନାହିଁ । ତେବେ ଏହି ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । ୨୩୦ ଆସନରୁ ୧୧୪ଟି ଆସନରେ ବିଜୟୀ ହୋଇଛି କଂଗ୍ରେସ । ସେହିପରି ବିଜେପି ୧୦୯ ଆସନ ଦଖଲ କରିବାରେ ସକ୍ଷମ ହୋଇଛି । ଏବଂ ଅନ୍ୟାନ୍ୟଙ୍କ ପାଖକୁ ଯାଇଛି ୭ଟି ସିଟ୍ । ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ମିଳିଛି ୪ଟି ସିଟ୍ । ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବାରୁ କଂଗ୍ରେସର ଦଳୀୟକର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି । କଂଗ୍ରେସ କାର୍ଯ୍ୟାଳୟ ବାହାରେ କର୍ମୀ ଓ ନେତା ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଛନ୍ତି ।

 

ବିପୁଳ ସମର୍ଥନ କରିଥିବାରୁ ମଧ୍ୟପ୍ରଦେଶର କଂଗ୍ରେସ ସଭାପତି କମଳନାଥ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବଂ ସରକାର ଗଢ଼଼ିବାକୁ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ପାଇଁ ସମୟ ମାଗିଥିଲେ । ତେବେ ଅନ୍ତିମ ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ରାଜ୍ୟପାଳ ବିଡି ଶର୍ମା । ରାଜ୍ୟପାଳ କହିଛନ୍ତି ନିର୍ବାଚନ କମିଶନର ଫଳାଫଳ ନେଇ ବିଦ୍ଧିବଦ୍ଧ ଘୋଷଣା ନକରିବା ପର୍ଯ୍ୟନ୍ତ ସେ କୌଣସି ନିଷ୍ପତି ନେବେ ନାହିଁ । ମଧ୍ୟପ୍ରଦେଶରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୧୬ ହୋଇଥିବାବେଳେ କଂଗ୍ରେସ ୧୧୪ଟି ଆସନ ଦଖଲ କରିବାକୁ ଯାଉଛି । ଆଉ ଆବଶ୍ୟକ ୨ଟି ଆସନ । ସେପଟେ ବହୁଜନସମାଜବାଦୀ ପାର୍ଟି ୨ଟି ଆସନ ପାଇଥିବାରୁ ସେ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି ଆଶା କରାଯାଉଛି । ସେହିପରି ଅଖିଳେଶଙ୍କ ସପା ଗୋଟିଏ ଆସନ ପାଇଥିବାରୁ ସେ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି । ତେଣୁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।