ମାଆ ତ ମାଆ ହୋଇଥାଏ…ରୋଗୀଣା ପୁଅର ଚିକିତ୍ସା ଲାଗି ୧୦ କିମି ଚାଲି ଚାଲି ଆସି ପହଞ୍ଚିଲା ମେଡିକାଲରେ; ତଥାପି ମୁହଁରେ ରହିଥିଲା ହସ

1,004

ମାଆ…ଏଇ ଗୋଟିଏ ଅକ୍ଷର ଭିତରେ ନିହିତ ରହିଛି ସବୁ ଶକ୍ତି। ଜନ୍ମଦାତ୍ରୀ ଜନନୀ ଓ ଜନ୍ମଭୂମି ଉଭୟେ ଗରୀୟସୀ, ଉଭୟେ ସନ୍ତାନଙ୍କୁ କୋଳରେ ଧାରଣ କରିଥାନ୍ତି। ହେଲେ ଜନନୀ ଗର୍ଭରେ ଧାରଣ କରିଥାଏ ସନ୍ତାନକୁ। ସନ୍ତାନ ପାଇଁ ସବୁ ସୁଖସ୍ବାଚ୍ଛନ୍ଦ୍ୟକୁ ନିର୍ବିକାରରେ ବଳି ଦେଇଥାଏ। ସନ୍ତାନର ଦୁଃଖରେ ତା’ର ଆଖିରୁ ଲୁହ ଝରେ, ସନ୍ତାନର ସୁଖରେ ସେ ସୁଖୀ ହୋଇଥାଏ। ମାଆର ପଣତକାନି ତଳେ ଆଶ୍ରା ନେଇଥିବା ସନ୍ତାନକୁ ଇନ୍ଦ୍ରଙ୍କର ଶକ୍ତିଶାଳୀ ବଜ୍ର ମଧ୍ୟ କିଛି କ୍ଷତି କରିପାରି ନଥାଏ । ହେଲେ ଆଜିର ସମାଜରେ ଧନ ଲୋଭରେ ସନ୍ତାନମାନେ ନିଜ ବାପାମାଆଙ୍କ ସବୁ ବଳିଦାନକୁ ହିଁ ଭୁଲିଯାଉଛନ୍ତି ଆଉ ସେମାନଙ୍କୁ ଅସହାୟ ଅବସ୍ଥାରେ ଘରୁ ବାହାର କରିଦେଉଛନ୍ତି । କିନ୍ତୁ ତଥାପି କୌଣସି ବି ବାପାମାଆଙ୍କ ପାଟିରୁ ସେମାନଙ୍କ ସନ୍ତାନମାନଙ୍କ ପ୍ରତି କେବେ ବି କିଛି ଖରାପ କଥା ବାହାରି ନଥାଏ । ସେମାନେ ସବୁବେଳେ ପିଲାଙ୍କ ଭଲ କଥା ହିଁ ଚିନ୍ତା କରନ୍ତି । ପିଲାମାନଙ୍କୁ କେତେବେଳେ କଣ ହୋଇଗଲେ ବାପାମାଆ ସହିପାରନ୍ତି ନାହିଁ । ଏଭଳି ହିଁ ଏକ ଘଟଣା ଆସିଛି ଗୁଜୁରାଟର ଅକ୍କଲକୁବାରୁ ।

ଜଣେ ମାଆ ନିଜ ପିଲାର ଚିକିତ୍ସା ପାଇଁ ୪ କି ୮ କିଲୋମିଟର ନୁହେଁ ବରଂ ୧୦ କିଲୋମିଟର ରାସ୍ତା ଫୁଙ୍ଗୁଳା ଗୋଡରେ ଚାଲି ଚାଲି ଆସି ମେଡିକାଲରେ ପହଂଚିଛି ଆଉ ପିଲାଟିର ଚିକିତ୍ସା ମଧ୍ୟ କରିଛି । ନନ୍ଦୁରବାର ଜିଲ୍ଲାର ଅକ୍କଲକୁବାରେ ପ୍ରବଳ ବର୍ଷା ଯୋଗୁଁ ମୋଲିଗ-ଅକ୍କଲକୁବା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଯାହା ଦ୍ୱାରା ଏହି ରାସ୍ତାରେ ଗାଡି ଚଳାଚଳ ପୁରା ପୁରି ଠପ୍ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ସାତପୁଡା ଅଂଚଳରେ ରହୁଥିବା ନିଜ ରୋଗୀଣା ପୁଅକୁ ବାଦଲ ଫଟା ବର୍ଷା ଭିତରେ କୋଳରେ ଧରି ୧୦ କିଲୋମିଟର ଚାଲି ଚାଲି ଆସି ମେଡିକାଲରେ ପହଂଚିଥିଲେ । ତେବେ ବଡ କଥା ହେଲା, ଏତେ ବାଟ ଚାଲି ଚାଲି ଆସିବା ପରେ ବି ତାଙ୍କ ମୁହଁରେ ସାମାନ୍ୟତମ କ୍ଲାନ୍ତି ଦେଖାଯାଇନଥିଲା ବରଂ ହସ ଦେଖିବାକୁ ମିଳିଥିଲା ।

ଉଲ୍ଲେଖ ଥାଉ କି, ଗୁଜୁରାଟର ଅକ୍କଲକୁବାରେ ସପ୍ତାହେ ଧରି ବର୍ଷା ଲାଗି ରହିବା କାରଣରୁ ମୋଗଲି-ଅକ୍କଲକୁବା ରାସ୍ତାର ପାଖାପାଖି ୮ଟି ଛୋଟ ବଡ ପୋଲ ଭୁଶୁଡି ପଡିଥିଲା । ଯାହାଦ୍ୱାରା ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ଗାଡି ଚଳାଚଳ ବନ୍ଦ ଥିବା କାରଣରୁ ମହିଳା ଜଣକ ବାଧ୍ୟ ହୋଇ ୧୦ କିଲୋମିଟର ଚାଲି ଚାଲି ମେଡିକାଲ ଆସିଥିଲେ ଏବଂ ତାଙ୍କ ପୁଅର ଚିକିତ୍ସା କରାଇଥିଲେ ।