କ୍ୟାନସରର ଲୁଣ ଚିକିତ୍ସାକୁ ନେଇ ବଢ଼ିଲା ବିବାଦ ! ଭିମସାର୍ ନିର୍ଦ୍ଦେଶକଙ୍କ ଚିକିତ୍ସା ପଦ୍ଧତିକୁ ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ ଡାକ୍ତର ।

303

କନକ ବ୍ୟୁରୋ : ସମ୍ବଲପୁର ଭିମସାର ନିର୍ଦ୍ଦେଶକ ଡକ୍ଟର ଅଶ୍ୱିନୀ ପୂଜାହାରୀଙ୍କ ଏକ ଚିକିତ୍ସା ପଦ୍ଧତିକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହି ଚିକିତ୍ସା ପଦ୍ଧତିଟି ହେଉଛି, କ୍ୟାନସର ଭଳି ରୋଗ କିମ୍ବା କୌଣସି ସଂକ୍ରମଣ ସ୍ଥାନରେ ଲୁଣ ଦେଇ ଚିକିତ୍ସା କରିବା । ଡକ୍ଟର ପୂଜାହାରୀଙ୍କ ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଲୁଣ ଦେଇ ଏଭଳି ଚିକିତ୍ସା ସଂଭବ କି? ଏହି ପଦ୍ଧତି ଚିକିତ୍ସା ବିଜ୍ଞାନର ପ୍ରକ୍ରିୟାର ପରିସରଭୁକ୍ତ କି? ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲା ଆମ ଟିମ୍ ।

ସୋସିଆଲ ମିଡ଼ିଆ ଜରିଆରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ସେଇ ଅପରେସନ୍ ଥିଏଟର ଚିତ୍ର । ଯାହାକୁ ନେଇ ସୃଷ୍ଟି ହୋଇଛି ଏକ ନୂଆ ବିବାଦ । କାରଣ ଏଠି ଚିକିତ୍ସା ସମୟରେ ବ୍ୟବହାର ହୋଇଛି ଖାଇବା ଲୁଣ । ଅପରେସନ ଥିଏଟରରେ ଲୁଣ ରଖା ହୋଇଛି ଏବଂ ଲୁଣ ପକେଟ ବି ଖୋଲା ରହିଛି । ଆଉ ବଡ କଥା ହେଉଛି ଚିକିତ୍ସା ସମୟରେ ଲୁଣର ବ୍ୟବହାର କରିବା କଥାକୁ ସ୍ୱୀକାର କରିଛନ୍ତି ଭିମ୍ସାର ନିର୍ଦ୍ଦେଶକ ।

ଡାକ୍ତର ପୂଜାହାରୀଙ୍କ ଯୁକ୍ତି ଦେଉଛି, କ୍ୟାନସର ଚିକିତ୍ସା କିମ୍ବା କୌଣସି ସଂକ୍ରମଣ ବେଳେ ହାଇପରଟନିକ୍ ସାଲାଇନରେ ସଂକ୍ରମିତ ସ୍ଥାନକୁ ଧୋଇବାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ସେଲ୍ ଗୁଡିକ ସଂକୁଚିତ ଏବଂ ଡିସଟିଲ୍ ୱାଟର ଦେଲେ ତାହା ଫୁଟିଯାଏ । ଏପଟେ କିନ୍ତୁ ଲୁଣ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଡାକ୍ତର । କିନ୍ତୁ ସେରିବ୍ରାଲ ଏଡିମା, ଇଂଟର କ୍ରୋନିଆଲ୍ ରେଜଟ ପ୍ରେସର୍, ହାଇପୋ ଭୋଲିଓମିକ୍ ସକ୍ ଭଳି ଚିକିତ୍ସା କ୍ଷେତ୍ରରେ ହାଇପର ଟନିକ୍ ସାଲାଇନର ବ୍ୟବହାର କରାଯାଇଥାଏ । କାରଣ ଏହା ଅତ୍ୟଧିକ ଲୁଣ ଯୁକ୍ତ ତରଳ ପଦାର୍ଥ । କିନ୍ତୁ ଲୁଣ ନୁହେଁ ବୋଲି କିଛି ଡାକ୍ତର କହିଛନ୍ତି ।

ଏଥିରେ ହୁଏତ ସନ୍ଦେହ ନାହିଁ ଯେ, ଭିମସାରରେ ସ୍ୱାସ୍ଥ୍ୟ ସେବା ଓ ସଂସ୍କାର କ୍ଷେତ୍ରରେ ଏକ ବଡ ଭୂମିକା ନେଇଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ  । କୁହାଯାଉଛି, ତାଙ୍କ ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ବୁର୍ଲା ମେଡ଼ିକାଲରେ ରୋଗୀଙ୍କ ସଂଖ୍ୟା ବଢୁଛି ଏବଂ ଡାକ୍ତରମାନେ ନିୟମିତ ଭାବେ ସେବା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କିଛି ଚକ୍ରାନ୍ତକାରୀ ଗୋଷ୍ଠୀ ତାଙ୍କୁ ହଟାଇବା ପାଇଁ ଏଭଳି ଷଡଯନ୍ତ୍ର କରୁଛନ୍ତି ବୋଲି ଅଶ୍ୱିନୀ ପୂଜାହାରୀ କହିଛନ୍ତି ।

ଚିକିତ୍ସା ସେବା କ୍ଷେତ୍ରରେ ଉତ୍ସର୍ଗିକୃତ ମନୋଭାବ ଯୋଗୁଁ ପଶ୍ଚିମ ଓଡ଼ିଶାରେ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ପ୍ରତି ଲୋକଙ୍କ ବେଶ ସମର୍ଥନ ରହିଛି । ଯେଉଁଥି ପାଇଁ ତାଙ୍କ ସମର୍ଥନରେ ବାହାରି ଆସିଛନ୍ତି କିଛି ସ୍ଥାନୀୟ ଲୋକ । ସମ୍ବଲପୁରର ସପନ ମିଶ୍ର ତାଙ୍କ ଫେସବୁକରେ ଲେଖିଛନ୍ତି, ଭିମସାର ର‌୍ୟାଙ୍କ ବଢ଼ିଛି, ଡାକ୍ତରଙ୍କ ଉପସ୍ଥାନ ବଢ଼ିଛି, ଡାକ୍ତରଙ୍କ ଘରୋଇ ପ୍ରାକ୍ସଟିସ୍ କମିଛି । କିଛି ଜୁନିୟର ଡାକ୍ତର ଜାଣିଶୁଣି ଅସ୍ଥିରତା ସୃଷ୍ଟି କରୁଛନ୍ତି । ବ୍ରଜରାଜନଗରର ବ୍ରଜ ମୋହନ ମିଶ୍ର ଫେସବୁକରେ ଲେଖିଛନ୍ତି, ଯଦି ଡକ୍ଟର ଅଶ୍ୱିନୀ ପୂଜାହାରୀଙ୍କୁ ପିଜି ଡାକ୍ତରଙ୍କ ପସନ୍ଦ ନାହିଁ, ତାହେଲେ ବୁର୍ଲା ଛାଡ଼ି ଚାଲି ଯାଆନ୍ତୁ । ଏମିତି ଅନେକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ସମର୍ଥନରେ ମତାମତ ଆସୁଛି । କିନ୍ତୁ ଲୁଣ ଦେଇ ଚିକିତ୍ସା ପଦ୍ଧତି ବିବାଦ ଘେରକୁ ଚାଲି ଆସିଛି ।