RTIରୁ ସାମ୍ନାକୁ ଆସିଲା ସାଂଘାତିକ ସତ । ଖୋଲିଲା IAS ଓ IPS ଅଫିସରଙ୍କ ଅୟସର ଗୁମର, ସରକାରୀ ବାସଭବନ ମରାମତି ନାଁରେ ପାଣି ଭଳି ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଦେଖନ୍ତୁ ୫ ଜିଲ୍ଲାର ରିପୋର୍ଟ ।

750

କନକ ବ୍ୟୁରୋ : ଆଇଏଏସଙ୍କ ଅୟସ୍ ପାର୍ଟ-ଟୁ । ଗତ ଦୁଇ ଦିନ ପୂର୍ବେ ସୁନ୍ଦରଗଡ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ଅୟସର ଆରଟିଆଇ ରିପୋର୍ଟ ସାମ୍ନାକୁ ଆଣିଥିଲା କନକ ନ୍ୟୁଜ୍ । ନିଜେ ବ୍ୟବହାର କରୁଥିବା ସରକାରୀ ବାସଭବନର ମରାମତି ପାଇଁ କିଭଳି ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ରଶ୍ମିତା ଖର୍ଚ୍ଚ କରୁଥିଲେ ତାହା ଉପରୁ ପରଦା ଉଠାଇଥିଲା କନକ ନ୍ୟୁଜ୍ । ଆଉ ଏବେ ସାମ୍ନାକୁ ଆସିଛି ଆଉ କିଛି ଆଏଏସଙ୍କ ଅୟସର କାହାଣୀ । ସୂଚନା ଅଧିକାର ଆଇନ ବଳରେ ମିଳିଛି ସାଂଘାତିକ ତଥ୍ୟ । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ୧୦ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସରକାରୀ କ୍ୱାଟର୍ସ ଓ କାର୍ଯ୍ୟାଳୟର ମରାମତି ଏବଂ ପୁନଃରୁଦ୍ଧାର ବାବଦ ତଥ୍ୟ ଆରଟିଆଇ ଜରିଆରେ ମଗାଇଥିଲେ । ମିଳିଥିବା ତଥ୍ୟ କହୁଛି ଏହି ସରକାରୀ ଅଧିକାରୀମାନେ ବେପରୁଆ ଭାବେ ଲୋକଙ୍କ ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରିଛନ୍ତି । ୨୦୧୪-୧୫ରୁ ୨୦୧୮-୧୯ ଯାଏଁ କିଭଳି ବାରମ୍ବାର ସରକାରୀ ବାସଭବନ ଓ ଅଫିସର ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ଗୁମର ଖୋଲିଛି । ୫ଟି ଜିଲ୍ଲାର ଜିଲ୍ଲାପାଳ ଗତ ୪ବର୍ଷ ମଧ୍ୟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି ।

ମାଲକାନଗିରି :ଆରଟିଆଇ ତଥ୍ୟରୁ ଜଣାପଡିଛି ମାଲକାନଗିରି ଜିଲ୍ଲାପାଳ ୨୦୧୪-୧୫ରେ ତାଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ କରିଛନ୍ତି ୧ ଲକ୍ଷ ୭୩ ହଜାର ୫୦୯ ଟଙ୍କା । ତେବେ ପୁଣି ପରବର୍ଷ ସମାନ ଘରର ମରାମତି ପାଇଁ ଖର୍ଚ୍ଚ କରିଛନ୍ତି ୯ ଲକ୍ଷ ୩୪ ହଜାର ୧୦୭ ଟଙ୍କା । ତେବେ ପ୍ରତିବର୍ଷ ଏହିଭଳି ସମାନ ଘରକୁ ମରାମତି ବାବଦରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । ପୁଣି ୨୦୧୬-୧୭ରେ ୧୦ ଲକ୍ଷ ୫୪ ହଜାର ୧୪୩ ଟଙ୍କା । ୨୦୧୭-୧୮ରେ ୪ ଲକ୍ଷ ୬୦ ହଜାର ୪୧୧ ଟଙ୍କା ଓ ପୁଣି ୨୦୧୮-୧୯ରେ ସେହି ସମାନ ସରକାରୀ ବାସଭବନର ମରାମତି ବାବଦକୁ ଖର୍ଚ୍ଚ ହୋଇଛି ୭ ଲକ୍ଷ ୮୫ ହଜାର ୯୬୨ ଟଙ୍କା । ଘର ମରାମତି ବାବଦରେ ଗତ ୫ ବର୍ଷ ମଧ୍ୟରେ ମାଲକାନଗିରିରେ ଥିବା ଜିଲ୍ଲାପାଳ ୩୪ ଲକ୍ଷ ୮ହଜାର ୧୩୨ ଟଙ୍କା ଖର୍ଚ୍ଚ କରିଛନ୍ତି ।

କେବଳ ମାଲକାନଗିରି ଜିଲ୍ଲାପାଳ ନୁହଁନ୍ତି ବରଂ ଜିଲ୍ଲାର ଏସପିଙ୍କ ସରକାରୀ କ୍ୱାର୍ଟସ ମରାମତି ପାଇଁ ମଧ୍ୟ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୪-୧୫ରେ ୨ ଲକ୍ଷ ୬୯ ହଜାର ୫୮୦ ଟଙ୍କା ଓ ପୁଣି ସମାନ ଘରକୁ ମରାମତି ପାଇଁ ୨୦୧୫-୧୬ରେ ଖର୍ଚ୍ଚ କରିଛନ୍ତି ୪ ଲକ୍ଷ ୯୦ ହଜାର ୨୧୧ ଟଙ୍କା । ଏସପି ବଦଳିବା ସହ ଘରର ମରାମତି ମଧ୍ୟ ବାରମ୍ବାର କରାଯାଉଛି । ୨୦୧୬-୧୭ରେ ମଧ୍ୟ ୩ ଲକ୍ଷ ୬୪ହଜାର ୩୩୭ ଟଙ୍କା ଖର୍ଚ୍ଚ ହୋଇଥିବା ଆରଟିଆଇ ରିପୋର୍ଟରେ ସାମ୍ନାକୁ ଆସିଛି ।

 

କଟକ : ସେହିପରି କଟକ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ମରାମତି ବାବଦ ୪ବର୍ଷର ଖର୍ଚ୍ଚ ହିସାବ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇବ । ୨୦୧୫-୧୬ରେ ସରକାରୀ ବାସଭବନ ପାଇଁ ୧୧ ଲକ୍ଷ ୯୯ ହଜାର ୨ ଟଙ୍କା ଓ ଅଫିସ ପାଇଁ ଖର୍ଚ୍ଚ ୧୭ ଲକ୍ଷ ୩୯ ହଜାର ୩୧୭ ଟଙ୍କା । ୨୦୧୬-୧୭ରେ ଘରପାଇଁ ଖର୍ଚ୍ଚ ୩ ଲକ୍ଷ ୧୨ ହଜାର ୪୦୯ ଓ ଅଫିସ ପାଇଁ ୨୦ ଲକ୍ଷ ୪୫ ହଜାର ୯୭୮ ଟଙ୍କା । ପରବର୍ଷ ଅର୍ଥାତ ୨୦୧୭-୧୮ରେ ଖର୍ଚ୍ଚ ଘରଲ ପାଇଁ ୩୮ ଲକ୍ଷ ୬୨ ହଜାର ୨୦୦ ଟଙ୍କା ଓ ଅଫିସ ପାଇଁ ଖର୍ଚ୍ଚ ୨୮ ଲକ୍ଷ ୮ ହଜାର ୨୮୬ ଟଙ୍କା । ପୁଣି ୨୦୧୮-୧୯ରେ ସେହି ସମାନ ଘର ଓ ଅଫିସ ପାଇଁ ଖର୍ଚ୍ଚ ଯଥାକ୍ରମେ ୭ ଲକ୍ଷ ୯୭ ହଜାର ୯୬୧ ଓ ୨ ଲକ୍ଷ ୬୩ ହଜାର ୩୯୦ ଟଙ୍କା । ଅର୍ଥାତ ୪ ବର୍ଷରେ ସମାନ ଘର ଓ ଅଫିସର କେବଳ ମରାମତି ପାଇଁ ଖର୍ଚ୍ଚ କରାଯାଇଛି ୧ କୋଟି ୩୦ ଲକ୍ଷ ୨୮ ହଜାର ୫୪୩ ଟଙ୍କା ।

ଯାଜପୁର : ଯାଜପୁରରେ ଜିଲ୍ଲାପାଳ ରହିଥିବା ବଡ ବାବୁ ମାନେ ମଧ୍ୟ ଘର ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରିଛନ୍ତି । ଯାଜପୁରରେ ରହି ଆସିଥିବା ଜିଲ୍ଲାପାଳ ମାନେ ମଧ୍ୟ ୨୦୧୫ରୁ ୨୦୧୮ ଯାଏଁ ୪ ବର୍ଷ ମଧ୍ୟରେ ବାରମ୍ବାର ସରକାରୀ କ୍ୱାର୍ଟର ଓ ଅଫିସର ମରାମତି କରିଛନ୍ତି । କେବଳ ୨୦୧୮-୧୯ରେ ଆବାସିକ ଗୃହର ମରାମତି କରାଯାଇ ନାହିଁ । ତଥାପି ଜିଲ୍ଲ୍ାପାଳଙ୍କ ଅଏସ ପାଇଁ ୪ ବର୍ଷ ଭିତରେ ଖର୍ଚ୍ଚ ହୋଇଛି ମୋଟ୍ ୭୦ ଲକ୍ଷ ୪୯ ହଜାର ୪୩୫ ଟଙ୍କା ।ସେହିଭଳି ଏସପି ବାସଭବନ ମରାମତି ବାବଦକୁ ୨୦୧୭-୧୮ରେ ଖର୍ଚ୍ଚ ହୋଇଛି ୪,୫୮,୦୦୧ ଟଙ୍କା ।

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳ ମଧ୍ୟ ତାଙ୍କ ଅଏସ ଆରାମ ପାଇଁ ଅପର୍ଯ୍ୟାପ୍ତ ଟଙ୍କା ଅପବ୍ୟୟ କରିଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି । ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଓ କାର୍ଯ୍ୟଳୟ ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ କରାଯାଇଛି ୧୫ ଲକ୍ଷ ୯୬ ହଜାର ୨୬୦ ଟଙ୍କା । ତେବେ ୨୦୧୪-୧୫ରେ ଜିଲ୍ଲାରେ ଦାୟିତ୍ୱ ଥିବା ଏସପିଙ୍କ ବାସଭବନ ମରାମତି ବାବଦକୁ ଖର୍ଚ୍ଚ ହୋଇଛି ୪ ଲକ୍ଷ ୭୩ ହଜାର ୦୪୪ ଟଙ୍କା ।

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କ ବାସଭବନ ଓ କାର୍ଯ୍ୟାଳୟ ମରାମତି ନାଁରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେନେଇ କୌଣସି ସୂଚନା ଆରଟିଆଇରେ ମିଳିପାରିନାହିଁ । ତେବେ କଳାହାଣ୍ଡି ଭଳି ପଛୁଆ ଜିଲ୍ଲାରେ ଏସପିଙ୍କ ଆବାସିକ ଗୃହ ଓ ଅଫିସ ମରାମତି ପାଇଁ କିଭଳି ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଛି ତାହାର ତଥ୍ୟ ସାମ୍ନାକୁ ଆସିଛି । ୨୦୧୫-୧୬ରେ ଏସପିଙ୍କ କ୍ୱାର୍ଟର ଓ ଅଫିସ ମରାମତି ପାଇଁ ୧୫ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ପରବର୍ଷ ଏଥିପାଇଁ ଖର୍ଚ୍ଚ ହୋଇଛି ୪ ଲ କ୍ଷ ୫୦ ହଜାର । ୨୦୧୭-୧୮ରେ ମଧ୍ୟ ସାମନ ଘର ଓ ଅଫିସ ମରାମତି ବାବଦ ଖର୍ଚ୍ଚ ୧୧ ଲକ୍ଷ ୧୩ ହଜାର । ଏହିପରି ୩ ବର୍ଷରେ ଖର୍ଚ୍ଚ କରାଯାଇଛି ୩୦ ଲକ୍ଷ ୬୯ ହଜାର ଟଙ୍କା ।

ଓଡିଶା ଭଳି ଏକ ଗରିବ ରାଜ୍ୟରେ କିଭଳି ଲୋକଙ୍କ ଟଙ୍କାକୁ ନିଜସ୍ୱ ଅୟସ ଆରମ ପାଇଁ ଖର୍ଚ୍ଚ କରୁଛନ୍ତି ବଡବଡ ବାବୁ ତାର ସତ ସାମ୍ନାକୁ ଆସିଛି । ଆଇଏଏସଙ୍କ ଅୟସର ଏହି ତାଲିକା ଖୁବ ଲମ୍ବା । ଆରଟିଆଇ ତଥ୍ୟ ବଳରେ ବଡବାବୁଙ୍କ ସୌଖୀନ ଜୀବନର ଗୁମର ଖୋଲିଛି । ସାଧାରଣ ଲୋକଟିଏ ଘର ଖଣ୍ଡିଏ ପାଇବାକୁ ବର୍ଷବର୍ଷ ଚାହିଁ ରହୁଛି । ବିଜୁ ପକ୍କା ଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ । ଗରିବ ଲୋକଟି ଘରଟିଏ ପାଇବାକୁ ତଳତଳିଆ ନେତାଙ୍କୁ ହାତଗୁଞ୍ଜା ନଦେବେ କାର୍ଯ୍ୟାଦେଶ ମିଳୁନି । କିନ୍ତୁ ରାଜ୍ୟର ଏମତି ଅନେକ ଜିଲ୍ଲାରେ ବଡ ବଡିଆ ଅଫିସର ମଉଜ ମଜଲିସ ପାଇଁ ସାଧାରଣ ଲୋକଙ୍କ ଟିକସ ଟଙ୍କାଙ୍କୁ ପାଣି ଭଳି ଖର୍ଚ୍ଚ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।