ହୁକିଟୋଲା ଡଙ୍ଗାବୁଡି ଘଟଣାରୁ ମିଳିଲାନି ଶିକ୍ଷା: ଚେତୁନି ପ୍ରଶାସନ, ଡରାଉଛି ଡଙ୍ଗା

ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ୍

109

କନକ ବ୍ୟୁରୋ: ମହାକାଳପଡା ହୁକିଟୋଲା ଡଙ୍ଗାବୁଡି ଘଟଣାରୁ ପ୍ରଶାସନକୁ ମିଳିଲାନି ଶିକ୍ଷା । ଏବେବି ରାଜ୍ୟର ବିଭିନ୍ନ ନଦୀରେ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତ୍ରୀ ପରିବହନ ଚାଲିଛି । ଏହାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟର ବିଭିନ୍ନ ସ୍ଥାନରେ କିଭଳି ବିପଦପୂର୍ଣ୍ଣ ଡଙ୍ଗା ଚାଳାନା ଚାଲିଛି ସେ ନେଇ ଅନୁସନ୍ଧାନ କରିଥିଲା କନକ ନ୍ୟୁଜ ।

ରାଜନଗର ବ୍ଲକ ତାଳଚୁଆରୁ ଭଦ୍ରକ ଦୋଷିଆ ପଂଚାୟତର କାରନାଳ ଯାଏଁ ଫେରିଘାଟ ଚାଲିଛି । ତାଳଚୁଆ ଗ୍ରାମପଂଚାୟତ ପକ୍ଷରୁ ଫେରିଘାଟ ନିଲାମ ଦିଆଯାଇଥାଏ । ତାଳଚୁଆଠାରେ ବୈତରଣୀ ନଦୀରୁ ଏହି ବୋଟ ବାହାରି ଧାମରା ମୁହାଁଣ ପାର କରି କାରନାଳିରେ ପହଂଚିଥାଏ । ଏହି ଦୀର୍ଘ ୧୦ କିଲୋମିଟର ଜଳପଥକୁ ପାର ହେବା ପାଇଁ ୪୫ ମିନିଟରୁ ୧ ଘଂଟା ଲାଗିଥାଏ । ଚାରିଆଡେ ଦେଖିଲେ ଖାଲି ପାଣି ଆଉ ପାଣି ।

କିନ୍ତୁ ବଡ କଥା ହେଉଛି, ବୋଟରେ ଯେତିକି ଲୋକ ରହିବା କଥା ତାଠରୁ ଅଧିକ ଯାତ୍ରୀ ଯାଉଛନ୍ତି । ୨୫ ଜଣ ଯାତ୍ରୀଙ୍କ ପରିବହନ ପାଇଁ କ୍ଷମତା ଥିବାବେଳେ ପାର ହେଉଛନ୍ତି ୭୦ରୁ ୮୦ ଯାତ୍ରୀ । ତା ସହିତ ବୋଟରେ ଲଦା ହେଉଛି ସାଇକେଲ ଓ ମୋଟର ସାଇକେଲ । କୌଣସି ସୁରକ୍ଷା ବ୍ୟବସ୍ଥା ନ ଥାଇ ବେଧଡକ ଭାବେ ଚାଲିଛି ମୁହାଁଣ ପାର ଫେରିଘାଟ ।

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତାରେ ନୌକାଯାତ୍ରାର ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ସେଠି ବି ସମାନ ଅବସ୍ଥା । ବିନା ସୁରକ୍ଷାରେ ବିପଜ୍ଜନକ ଅବସ୍ଥାରେ ଡଙ୍ଗାରେ ଯାତ୍ରା କରୁଛନ୍ତି ଶହ ଶହ ଲୋକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଓ ବାଲିଆପାଳ ବ୍ଲକ ମଧ୍ୟରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ । ଏହି ନଦୀର ପନ୍ଥେଇ ଘାଟ ଦେଇ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି ।

ତେବେ ପୋଲ ନଥିବାରୁ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି ସ୍ଥାନୀୟ ବାସିନ୍ଦା । ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ତ ଦୂରର କଥା ସାଧାରଣ ଡ୍ରମ୍ ଟିଏ ମଧ୍ୟ ନଥାଏ । ଗୋଟିଏ ଡଙ୍ଗାରେ ୬୦ରୁ ୭୦ ଲୋକ ୨୫ରୁ ୩୦ଟି ମଟର ସାଇକଲ୍ ସହ ଲଦାଲଦି ହୋଇ ଯାତ୍ରା କରିଥାନ୍ତି । ପ୍ରଶାସନ ମଧ୍ୟ ଏଥିପ୍ରତି ଆଖି ବୁଜି ଦେଇଛି । ତେଣୁ ଏଭଳି ସ୍ଥିତିରେ ଦୁର୍ଘଟଣା ଘଟିଲେ ସେଥିପାଇଁ କିଏ ଦାୟୀ ରହିବ ତାହା ଭାବିବାର ବିଷୟ ।