ମୌସୁମୀ ଆସିବାରେ ବିଳମ୍ବ । ଜୁନ୍ ୬ରେ କେରଳ ଓ ଜୁନ୍ ୧୦ ବେଳକୁ ଓଡିଶା ଉପକୂଳ ଛୁଇଁବା ଆଇଏମଡିର ଅନୁମାନ ।

258

କନକ ବ୍ୟୁରୋ : ଓଡିଶାରେ କେବେ ପହଂଚିବ ମୌସୁମୀ । କାହିଁକି ଲୁଚକାଳି ଖେଳୁଛି ମୌସୁମୀ । କିଛି ଏମିତି ପ୍ରଶ୍ନର ଉତ୍ତର ଖୋଜାଚାଲିଥିବା ବେଳେ ଜୁନ ୧୦ ତାରିଖ ବେଳକୁ ମୌସୁମୀ ଓଡିଶା ଛୁଇଁବାର ଆକଳନ କରିଛି ପାଣିପାଗ ବିଭାଗ । ତେବେ ମୌସୁମୀ ପହଂଚିବା ପାଇଁ ଅନୁକୁଳ ସ୍ଥିତି ହେବା ଦରକାର ବୋଲି କହୁଛନ୍ତି ପାଣିପାଗ ବିଶେଷଜ୍ଞ । ଖାସ ସେଥିପାଇଁ ମୌସୁମୀ ପହଂଚିବାରେ ବିଳମ୍ବ ହେଉଛି ବୋଲି ଅନୁମାନ କରାଯାଉଛି । ଆସନ୍ତା ୬ ତାରିଖ ବେଳକୁ ଆରବସାଗର ଓ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମୌସୁମୀକୁ ଓଡିଶା ଆଣିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ମୌସୁମୀ ଆସିବାରେ କାହିଁକି ହେଉଛି ବିଳମ୍ବ ? କଣ କହୁଛି ପାଣିପାଗ ରିପୋର୍ଟ ? ତାତିରୁ ତ୍ରାହି ପାଇଁ ମୌସୁମୀକୁ ଅପେକ୍ଷା । ହେଲେ ଧରାଛୁଆଁ ଦେଉନି ମୌସୁମି । ଓଡିଶାରେ କେବେ ଛୁଇଁବ ମୌସୁମୀ, ତା ଉପରେ ସମସ୍ତଙ୍କ ନଜର । ସ୍କାଇମେଟର ରିପୋର୍ଟ କହୁଛି, ମେ ୧୮ ତାରିଖରେ ଆଣ୍ଡାମାନ ଛୁଇଁଥିଲା ମୌସୁମୀ । ମେ ୨୫ ତାରିଖ ଦକ୍ଷିଣ ବଙ୍ଗୋପସାଗର, ମାଳଦ୍ୱିପ, ଆଣ୍ଡାମାନ ଦ୍ୱିପକୁ ଛୁଇଁଥିଲା ମୌସୁମୀ । ଏବେ ଆସନ୍ତୁ ନଜର ପକାଇବା ମୌସୁମୀ କେବେ ଛୁଇଁଥିଲା କେରଳ । ୨୦୧୬, ୮ ଜୁନରେ କେରଳ ଏବଂ ୧୭ ଜୁନରେ ଓଡିଶା ଛୁଇଁଥିଲା ମୌସୁମୀ । ସେହିପରି ୨୦୧୭ ମେ ୩୦ରେ କେରଳ ଏବଂ ଜୁନ ୧୨ ତାରିଖରେ ଓଡିଶା ଛୁଇଁଥିଲା ମୌସୁମୀ । ୨୦୧୮ ମେ ୨୯ରେ କେରଳ ଏବଂ ଜୁନ ୮ ତାରିଖରେ ଓଡିଶାକୁ ଆସିଥିଲା ମୌସୁମୀ ।

ଏଥର କିନ୍ତୁ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି ଅନୁକୁଳ ବାତାବରଣ ନଥିବାରୁ ବିଳମ୍ବରେ କେରଳ ଛୁଇଁବ ମୌସୁମୀ । ସେହି ଅନୁସାରେ ଓଡିଶା ଆସୁ ଆସୁ ଆହୁରି ଡେରି ହୋଇଯିବ । ମୌସୁମୀ ଶୀଘ୍ର ଆସିବା ପାଇଁ ଲୋ ପ୍ରେସର, ୱିଣ୍ଡ ସ୍ପିଡ, ଆଉଟଗୋଇଂ ଲଙ୍ଗ ୱେଭ ରେଡିଏସନ ବା ଓଏଲଆରର ଆବଶ୍ୟକତା ପଡିଥାଏ । ଏହିସବୁ ଆବଶ୍ୟକତା ପୂରଣ ହୋଇପାରୁନଥିବାରୁ ମୌସୁମୀ ଆସିବାରେ ବିଳମ୍ବ ହେଉଛି ବୋଲି ଅନୁମାନ କରାଯାଉଛି ।

ଇଏ ହେଉଛି ମୌସୁମୀ ଗତିପଥର ସାଙ୍କେତିକ ମାନଚିତ୍ର । ଯେଉଁଥିରେ ଦର୍ଶାଯାଇଛି କେଉଁ ତାରିଖରେ କେଉଁ ସ୍ଥାନ ଛୁଇଁବ ମୌସୁମୀ । ଏହି ମାନଚିତ୍ର ଅନୁସାରେ ରେଡ ମାର୍କ ହୋଇଥିବା ଏହି ଅଂଚଳ ହେଉଛି ଓଡିଶା, ଯେଉଁଠାରେ ଜୁନ ୧୦ ରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ଆଇଏମଡି ।

ଓଡିଶାରେ ମୌସୁମୀ ଆସିବା ପୂର୍ବରୁ ପ୍ରାକ ମୌସୁମୀ ବର୍ଷା ହେବା ସହିତ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ କମିଯାଇଥିବା ନଜରକୁ ଆସିଛି । ଆସନ୍ତା ୬ ତାରିଖ ବେଳକୁ ଆରବସାଗର ଓ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମୌସୁମୀକୁ ଓଡିଶା ଆଣିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି । ଚଳିତବର୍ଷ ହାରାହାରି ଠାରୁ କମ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।