ମାଙ୍କଡ ମାତିଛି! ପୁରୀ ସୁହାଗପୁର ପଞ୍ଚାୟତରେ ଆତଙ୍କ ଖେଳାଇଲା ବାନର ରାଜା, ୧୫ ଦିନ ହେଲା ବନବିଭାଗକୁ କରୁଛି ନାକେଦମ

58

କନକ ବ୍ୟୁରୋ : ମାତିଛି ମାଙ୍କଡ । ମାଙ୍କଡ ଡରରେ ଘରୁ ବାହାରି ପାରୁନାହାନ୍ତି ଲୋକେ । ଦିନରାତି ଘରର କବାଟ କିଳି ରହୁଛନ୍ତି । ପୁରୀ କାକଟପୁରର ସୁହାଗପୁର ପଂଚାୟତର ୫ଟି ଗାଁରେ ମାଙ୍କଡଙ୍କ ଉତ୍ପାତ ଯୋଗୁଁ ଏପରି ପରିସ୍ଥିତି ଦେଖାଦେଇଛି । ମାଙ୍କଡ ଆକ୍ରମଣରେ ୧୫ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଏବେ ମାଙ୍କଡ ଘଉଡାଇବା ପାଇଁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ, ଏପରିକି ମହିଳାମାନେ ମଧ୍ୟ ବାଡି ଧରି ଜଗିରହୁଛନ୍ତି ।

ଛୁଆ ଠୁ ବୁଢା ସମସ୍ତଙ୍କ ହାତରେ ବାଡି । କି ମହିଳା କି ପୁରୁଷ ଦିନ ରାତି ସମସ୍ତେ ଏକତ୍ରିତ ହୋଇ ଲାଗିଛନ୍ତି ମାଙ୍କଡ ଘଉଡାଇବା ପାଇଁ । ଲୋକଙ୍କୁ ଏକୁଟିଆ ପାଇଲେ ଆକ୍ରମଣ କରୁଛନ୍ତି ମାଙ୍କଡ । ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ଠେଙ୍ଗା ବାଡି ଧରି ଜଗି ରହୁଛନ୍ତିା ପରିସ୍ଥିତି ଏପରି ହୋଇଛି ଯେ ତାଟି କବାଟ ପଡି ରହୁଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସୁହାଂଗପୁର ପଂଚାୟତର ୫ଟି ଗାଁରେ । ମାଙ୍କଡ ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇସାରିଛନ୍ତି ।

୨ରୁ ୩ଟି ମାଙ୍କଡ ଗତ କିଛି ଦିନ ହେବ ଏଠାରେ ଉତ୍ପାତ ଚଳାଇଥିବା ବେଳେ ଲୋକଙ୍କ ନିଦ ହଜାଇଦେଇଛନ୍ତି । ବନ ବିଭାଗ ମଧ୍ୟ ଏହି ମାଙ୍କଡଙ୍କୁ ଧରିବାରେ ଫେଲ ମାରିଛି । ୧୫ ଦିନ ହେବ ମାଙ୍କଡଙ୍କୁ ଧରିବାରେ ବନ ବିଭାଗ ନାକେଦମ ହେଲେ ମଧ୍ୟ ଏଯାଏଁ ଏମାନଙ୍କୁ କାବୁ କରିପାରିନାହିଁ । ଟ୍ରାଙ୍କ୍ୟୁଲାଇଜର ଟିମକୁ ଡକାଯାଇଥିଲେ ମଧ୍ୟ ସେମାନେ ଏଯାଏ ଆସିନାହାନ୍ତି । ସେପଟେ ସୁରକ୍ଷା ଯୋଗାଇଦେବାକୁ ଗାଁଲୋକେ ଦାବି କରିଛନ୍ତି । ମାଙ୍କଡଙ୍କ ଆତଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଦେଖାଦେଇଛି । ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ପିଲାମାନେ ସ୍କୁଲ ମଧ୍ୟ ଯାଇପାରୁନାହାନ୍ତି ।