‘ମୋମୋ’ ଦେଉଛି ମୃତ୍ୟୁର ଡାକ । ମୋବାଇଲରେ ଖେଳ, ଜୀବନ ପାଇଁ କାଳ

35

କନକ ବ୍ୟୁରୋ: ମୋମୋ ଦେଉଛି ମୃତ୍ୟୁର ଡାକ । ବ୍ଲୁ ହ୍ୱେଲଠାରୁ ଆହୁରି ଭୟଙ୍କର ରୂପ ଧାରଣ କରୁଛି ଏହି ଅନଲାଇନ୍ ଗେମ୍ । ଏପରିକି ଏହି ଗେମ୍ ରାଜ୍ୟରେ ଜଣଙ୍କ ଜୀବନ ନେଇଥିବା ଜଣାପଡିଛି । ରାଉରକେଲା ରେଲୱେ କଲୋନୀର ଜଣେ ଇଂଜିନିୟରିଂ ଛାତ୍ର ଏହି ଗେମର ଚ୍ୟାଲେଂଜ୍ ନେଇ ଜୀବନ ହରାଇଛନ୍ତି । ମୋବାଇଲର ଏହି ଘାତକ ଖେଳରେ ସେ ଏଭଳି ଆକର୍ଷିତ ହେଲେ ଯେ, ଭୁବନେଶ୍ୱରରୁ ଚେନାଇ ଯାଇ ସେଠାରେ ୬ ମହଲା ଉପରୁ ଡେଇଁପଡିଛନ୍ତି ।

ଚେତନ କୁମାର । ଘର ରାଉରକେଲା ରେଲୱେ କଲୋନୀ । ବୟସ ୨୦ ବର୍ଷ । ଭୁବନେଶ୍ୱରର ଏକ ଇଂଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିଲେ ଚେତନ । ମେଧାବୀ ଛାତ୍ର ହେବା ସହ ଫଟୋଗ୍ରାଫିରେ ମଧ୍ୟ ଜାତୀୟ ସ୍ତରରେ ହୋଇଥିଲେ ପୁରସ୍କୃତ । ହେଲେ ମୋବାଇଲରେ ଏକ ଘାତକ ଖେଳ ନେଇଯାଇଛି ଏହି ମେଧାବୀ ଛାତ୍ରଙ୍କ ଜୀବନ । ବ୍ଲୁ ହ୍ୱେଲ ପରେ ଏବେ ମୋମୋ ଚ୍ୟାଲେଂଜ ଦେଉଛି ମୃତ୍ୟୁର ଡାକ । ଏହି ଖେଳ ତାଙ୍କୁ ଏତେ ପାଗଳ କରିଥିଲା ଯେ ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ୬ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ଟ୍ରାଇଡେଂଟ ଇଂଜିନିୟରିଂ ହଷ୍ଟେଲରୁ ବାହାରି ଟ୍ରେନ ଯୋଗେ ଚେନାଇ ଯାଇଥିଲେ ଚେତନ । ୨୨ ତାରିଖ ସକାଳେ ଚେନ୍ନାଇ ସେଂଟ୍ରାଲ ଷ୍ଟେସନ ପାଖରେ ରହିଥିବା ସାତ ମହଲା ବିଶିଷ୍ଟ ରାଜୀବ ଗାନ୍ଧି ମୋମୋରିଆଲ ହସ୍ପିଟାଲର ୬ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ । ଚେନ୍ନାଇ ପୋଲିସର କହିବା ଅନୁସାରେ, ମୋବାଇଲରେ ମୋମୋ ଚ୍ୟାଲେଞ୍ଜ ଖେଳି ଚେତନଙ୍କ ଜୀବନ ଯାଇଛି । ଚେତନଙ୍କ ଟାର୍ଗେଟ ଥିଲା ରାଜୀବ ଗାନ୍ଧି ମୋମୋରିଆଲ ହସ୍ପିଟାଲର କୋଠାରୁ ଡେଇଁ ଆତ୍ମହତ୍ୟା କରିବା । ଏଥିପାଇଁ ଚେତନ ଚେନ୍ନାଇ ସେଂଟ୍ରାଲରେ ଗୋଟିଏ ରାତି ବି ବିତାଇଥିବା ଜଣାଯାଇଛି । ଚେତନର ମୋବାଇଲକୁ ଲ୍ୟାପଟପ ସହ ସଂଯୋଗ କରିବା ପରେ ଚେନ୍ନାଇ ପୋଲିସକୁ ମିଳିଥିଲା ଚାଂଚଲ୍ୟକର ତଥ୍ୟ ।

କ’ଣ ଏହି ମୋମା ଚ୍ୟାଲେଞ୍ଜ 

ପ୍ରଥମେ ହ୍ୱାଟ୍ସଅପ୍ ମେସେଞ୍ଜର ଜରିଆରେ ଏହି ଗେମର ଲିଙ୍କ୍ ପାଇଲା ପରେ ବ୍ୟବହାରକାରୀ ଏହା ପ୍ରତି ଆକୃଷ୍ଟ ହୋଇପଡ଼େ । ଏହାପରେ ଖେଳାଳିଙ୍କ ପାଖକୁ ବିଭିନ୍ନ ନିର୍ଦ୍ଦେଶ ଆସିଥାଏ ଓ ସେହି ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିଥାଏ । ମୋମୋରେ ଏକ ଆକାଉଂଟ ଖୋଲି, ଆସୁଥିବା ବିପଦଜନକ ନିର୍ଦ୍ଦେଶ ଗୁଡ଼ିକୁ ପାଳନ କରିଥାଏ ପ୍ରତିଯୋଗୀ । ଏପରିକି ନିଜକୁ କିମ୍ବା ନିଜ ପରିବାରକୁ କ୍ଷତି ପହଁଚାଇବାକୁ ଚ୍ୟାଲେଞ୍ଜ ମିଳେ । ବିଭିନ୍ନ ବିପଦପୂର୍ଣ୍ଣ ଟାସ୍କ କରିବାକୁ ଖେଳାଳିକୁ କୁହାଯାଇଥାଏ । ଏହି ସବୁ ନିର୍ଦ୍ଦେଶ ପାଳନ ନକଲେ ଖେଳାଳି ଓ ତାଂକ ପରିବାର ଲୋକଙ୍କ ପରିଣତି ଭୟାବହ ହେବ ବୋଲି ମଧ୍ୟ ଧମକ ମିଳିଥାଏ । ଆଉ ଶେଷ ଚ୍ୟାଲେଂଜ ଥାଏ ଆତ୍ମହତ୍ୟା । ତେବେ ମୃତ୍ୟୁର ଏହି ଖେଳ ଭିତରେ ମାନସିକ ସ୍ତରରେ ଖେଳାଳିଙ୍କୁ ଏପରି ଦୁର୍ବଳ କରିଦିଆଯାଏ ଯେ, ଆତ୍ମହତ୍ୟା କରିବାକୁ ମଧ୍ୟ ସେ ପଛାଇନଥାଏ ।

ମୋମୋ ଗେମ୍ ନେଇ ଆଡଭାଇଜରୀ ଜାରି

ସେପଟେ ମୋମୋ ଗେମ୍ ନେଇ ଆଡଭାଇଜରୀ ଜାରି ହୋଇଛି । ଏହି ଗେମ୍ ଠାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଂଚ୍ । ଆଡଭାଇଜରୀରେ କୁହାଯାଇଛି, ଆପଣଙ୍କ ହ୍ୱାଟ୍ସ ଆପ୍ରେ ଅଜଣା ଲିଙ୍କଠାରୁ ଦୂରେଇ ରୁହନ୍ତୁ । ଅଜଣା ନମ୍ବରରୁ ମେସେଜ୍ ଆସିଲେ ତାର ଉତର ଦିଅନ୍ତୁ ନାହିଁ । ଅଜଣା ନମ୍ବରରୁ କୌଣସି ଗେମ୍ ଖେଳିବାକୁ କୁହାଗଲେ ସେହି ନମ୍ବରକୁ ସଙ୍ଗେ ସଙ୍ଗେ ବ୍ଲକ୍ କରନ୍ତୁ । ଅଭିଭାବକ ମାନେ ପିଲାଙ୍କ ବ୍ୟବହାର ଉପରେ ସତର୍କ ଦୃଷ୍ଟି ଦେବାକୁ ଗାଇଡ୍ଲାଇନ୍ରେ ପରାମର୍ଶ ଦିଆଯାଇଛି ।