ଭୋପାଳରୁ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କଲେ ପ୍ରଧାନମନ୍ତ୍ରୀ ମୋଦି : ହିନ୍ଦୁ ଆତଙ୍କବାଦୀ କହୁଥିବାରୁ ବିରୋଧୀଙ୍କୁ କଲେ କାଉଂଟର । କହିଲେ, କାହାଣୀ ତିଆରି କରୁଛି କଂଗ୍ରେସ

158

କନକ ବ୍ୟୁରୋ : ଭୋପାଳରୁ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ସାଧ୍ୱୀଙ୍କୁ ହିନ୍ଦୁ ଆତଙ୍କବାଦୀ କହୁଥିବାରୁ ବିରୋଧୀଙ୍କୁ କାଉଂଟର କରିଛନ୍ତି । କହିଛନ୍ତି କାହାଣୀ ତିଆରି କରୁଛି କଂଗ୍ରେସ । ୧୯୮୪ ଦଙ୍ଗାର ଉଦାହରଣ ଦେଇ କହିଛନ୍ତି, ଏହି ଦଙ୍ଗାରେ ସଂପୃକ୍ତ ନେତାମାନଙ୍କୁ କଂଗ୍ରେସ ଟିକେଟ ଦେଇଥିଲା, ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପଦ ବି ଦେଲା । ତେଣୁ ସାଧ୍ୱୀଙ୍କ ପ୍ରସଙ୍ଗରେ କଂଗ୍ରେସ ଆମକୁ ପ୍ରବଚନ ନଦେଉ ବୋଲି କହିଛନ୍ତି ମୋଦି ।

ଆମେଠି ଓ ରାଏବରେଲୀରୁ ଲଢ଼ୁଥିବା ରାହୁଲ ଓ ସୋନିଆ ଜାମିନରେ ଥିବାବେଳେ ତାଙ୍କ ବିଷୟରେ କାହିଁକି ପ୍ରଶ୍ନ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୋଦି । ଜାତୀୟ ଗଣମାଧମ ଟାଇମ୍ସ ନାଓକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି ଯେ, ଜଣେ ସନ୍ଥ ମହିଳା ହୋଇଥିଲେ ମଧ୍ୟ ତାଙ୍କୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା । ଭୋପାଳରୁ ବିଜେପି ଟିକେଟରେ ଲଢୁଛନ୍ତି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର । ତାଙ୍କ ବିରୋଧରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ହେଭିୱେଟ୍ ନେତା ତଥା ପୂର୍ବତନ ଏମପି ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ତେବେ ମାଲେଗାଓଁ ବୋମା ବିସ୍ଫୋରଣରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ସମାଲୋଚନା ଜାରି ରଖିଛନ୍ତି ବିରୋଧୀ ।