ମୋଦି-ରାହୁଲ ମୁହାଁମୁହିଁ ! ପ୍ରଚାର ମଇଦାନରେ ଉଠିଲା ମାଆ ଓ ମାମୁଁ ଉପାଖ୍ୟାନ ।

243

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ପ୍ରଚାର ଲଢେଇ ଜୋରଦାର ହୋଇଛି । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାରକୁ ତୀବ୍ର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସର ସର୍ବୋଚ୍ଚ ନେତା । ଆଗାମୀ ୨୮ତାରିଖରେ ଏମପିର ୨୩୦ଟି ବିଧାନସଭା ଆସନ ଲାଗି ପଡିବ ଭୋଟ । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏକାଧିକ ରାଲି ଓ ଜନସଭା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରଚାରରେ ମାଆ ଓ ମାମୁଁ । ‘ମୋଦିଙ୍କୁ ମୁକାବିଲା କରିପାରୁନି କଂଗ୍ରେସ’ । ମଧ୍ୟପ୍ରଦେଶର ଛତରପୁରରେ ମୋଦି ନିର୍ବାଚନୀ ସଭାକୁ ସମ୍ବୋଧିତ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ବୋଫର୍ସ ଦୁର୍ନୀତି ମାମଲାରେ ଅଭିଯୁକ୍ତ କ୍ୱିତ୍ରୋଚି ଓ ଆଣ୍ଡରସନଙ୍କ ବାହାନ କରି ମୋଦି ରାହୁଲଙ୍କ ଉପରେ ବର୍ଷିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଶିବରାଜ ମାମୁଙ୍କୁ ଗାଳି ଦେଉଛ, କିନ୍ତୁ ଏହି ଦୁଇ ମାମୁଁଙ୍କ କଥା କାହିଁକି ମନେ ପଡୁ ନାହିଁ । ଏହା ସହିତ ଗତକାଲି ରାଜବବର  ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ନାଁ ନେଇଥିବାରୁ କଡା ସମାଲୋଚନା କରିଛନ୍ତି ମୋଦି  । କହିଛନ୍ତି ମୋଦିଙ୍କୁ ମୁକାବିଲା କରିବାର ଶକ୍ତି କଂଗ୍ରେସର ନାହିଁ, ସେଥିପାଇଁ ତାଙ୍କ ମାଆକୁ ଗାଳି ଦେଉଛନ୍ତି କଂଗ୍ରେସ ନେତା ।

ସେପଟେ ମଧ୍ୟପ୍ରଦେଶର ସାଗରରେ ନିର୍ବାଚନି ସଭା କରି ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଦଳର ନେତା ନମ୍ବର ୱାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପଳାତକ ଶିଳ୍ପପତିଙ୍କ ସମ୍ପର୍କର ଅଭିଯୋଗ ଆଣିଛନ୍ତି ରାହୁଲ । ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ତାପୂର୍ବରୁ ମାରାଥନ ପ୍ରଚାର ଚଳାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପି କ୍ଷମତା ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ କଂଗ୍ରେସ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ।