ରାମ ମନ୍ଦିର ନିର୍ମାଣ ପାଇଁ ଆରପାର ଲଢେଇ ! ଅଧ୍ୟାଦେଶ ଆଣିବାକୁ ମୋଦି ସରକାରଙ୍କୁ ଆହ୍ୱାନ ଦେଲେ ହିନ୍ଦୁ ସଂଗଠନ

ଅଯୋଧ୍ୟା ମାମଲାରେ ବିଳମ୍ବ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କଂଗ୍ରେସ କହିଛି : ମୋଦି 

102

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଧର୍ମସଭା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଅଯୋଧ୍ୟା ଯାତ୍ରା, ବିଜେପି ସରକାର ଉପରେ ଚାପ ବଢାଇଦେଇଛି ।  ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ହଜାର ହଜାର କର୍ମକତା ଆଜି ଅଯୋଧ୍ୟାରେ ବିଶାଳ ଧର୍ମସଭା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଯୋଧ୍ୟା ମାମଲାରେ ବିଳମ୍ବ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କଂଗ୍ରେସ କହିଛି । ନଚେତ୍ ବିଚାରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସ ଧମକ ଦେଇଛି ବୋଲି ମୋଦି କହିଛନ୍ତି ।

ରାମନାମରେ କମ୍ପୁଛି ରାମଜନ୍ମଭୂମୀ । ଗେରୁଆମୟ ହୋଇଛି ଅଯୋଧ୍ୟା । କାରଣ ରାମ ମନ୍ଦିର ନିର୍ମାଣ ଦାବିରେ ବସିଛି ଧର୍ମସଭା । ଆଉ ଧର୍ମସଭାରେ ଏକତ୍ରିତ ହୋଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଲକ୍ଷ ଲକ୍ଷ କର୍ମକତାଙ୍କ ସହ ଦେଶରୁ କୋଣ ଅନୁକୋଣରୁ ଆସିଥିବା ଶହ ଶହ ସାଧୁସନ୍ଥ । କାଲିର ଆଶୀର୍ବାଦ ସମ୍ମଳନୀ ଆଉ ଆଜିର ଧର୍ମସଭା । ଦୁଇଟି ଯାକ କାର୍ଯ୍ୟକ୍ରମର ସେଇ ଗୋଟିଏ ଲକ୍ଷ୍ୟ । ମନ୍ଦିର ନିର୍ମାଣ ଦାବିକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବା ।  ଯେଉଁଥିରେ ଆର୍ ୟା’ ପାର୍ ଲଢ଼େଇର ଆହ୍ୱାନ ଦିଆଯାଇଛି । ଏଥିପାଇଁ ତୁରନ୍ତ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ କରିବାକୁ ଦାବି କରାଯାଇଛି ।

ଏପଟେ ପ୍ରାୟ ୫ ହଜାର ଶିବ ସୈନିକଙ୍କୁ ଧରି ଦୁଇ ଦିନ ହେଲା ଅଯୋଧ୍ୟାରେ ଡେରା ପକାଇଛନ୍ତି ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ । ପରିବାର ନେଇ ଆଜି ରାମ ଲାଲାଙ୍କ ଦର୍ଶନ କରିବା ସହ ଖୋଲାଖୋଲି ମୋଦି ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ମନ୍ଦିର ନିର୍ମାଣ କର ନହେଲେ ସରକାରରେ ରହିବ ନାହିଁ । ଏପଟେ ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । କପିଲ ଶିବଲଙ୍କ ଯୁୁକ୍ତିିକୁ ଉଦହାରଣରେ ରଖି ମୋଦି କହିଛନ୍ତି-କଂଗ୍ରେସ ଜାଣିଶୁଣି ରାମମନ୍ଦିର ମାମଲାକୁ ସୁପ୍ରିମକୋର୍ଟରେ ଘୁଂଚାଇବାକୁ ଚାହୁଁଛି । ଏପଟେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ-ନିଜ ଚିରାଚରିତ ଢ଼ଙ୍ଗରେ ଅଲ୍ଲି ଓ ବଜରଙ୍ଗ ବଲି ପ୍ରସଙ୍ଗ ଉଠାଇ ପ୍ରମାଣ କରିଦେଇଛନ୍ତି ଯେ, ନିର୍ବାଚନ ପୂର୍ବରୁ ଧାର୍ମିକ ପ୍ରସଙ୍ଗ କେତେ ଗୁରୁତ୍ୱ ରଖୁଛି ।

ବିଏସପି ଏବଂ ଆରଏସଏସର ଆଭିମୁଖ୍ୟକୁ କଂଗ୍ରେସ ସମାଲୋଚନା କରିଥିବା ବେଳେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମୋଦି ସରକାରଙ୍କୁ ଦାୟୀ କରିଛନ୍ତି । ରାଜନୀତିର ଏହି ବୟାନବାଜି ଭିତରେ ବୋଧେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଦିଲ୍ଲୀର କ୍ଷମତା ରାଜନୀତି ଅଯୋଧ୍ୟା ଦେଇ ଯାଉଛି । ନହେଲେ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ରାମ ମନ୍ଦିର ନିର୍ମାଣ ପାଇଁ ଏତେ ବ୍ୟଗ୍ରତା କାହିଁକି ଦେଖାଉଛନ୍ତି ନେତା । କାରଣ ଆଗକୁ ଅଛି ୨୦୧୯ ନିର୍ବାଚନ ।