ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ସରକାର ଗଢିବାକୁ ଜଣାଇଲେ ଦାବି ।

114

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ସରକାର ଗଠନ ପାଇଁ ଦାବି କରିଛନ୍ତି । ମୋଦିଙ୍କ ସହ ଏନଡିଏର ପ୍ରତିନିଧିମଣ୍ଡଳୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତିି । ଆଜି ସନ୍ଧ୍ୟାରେ ସଂସଦୀୟ ଦଳ ବୈଠକ ପରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ମୋଦି ।

ଏହାପୂର୍ବରୁ ଆଜି ସନ୍ଧ୍ୟାରେ ଏନଡିଏ ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ସଂସଦୀୟ ଦଳର ନେତା ଚୟନ କରାଯାଇଥିଲା । ଶିରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ସଂସଦୀୟ ଦଳର ନେତା ଭାବେ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ପ୍ରସ୍ତାବର ସମର୍ଥନ କରିଥିଲେ । ଏହାପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକରେ ମଧ୍ୟ ମୋଦିଙ୍କୁ ନେତା ମନୋନୀତ କରାଯାଇଥିଲା ।

ଆସନ୍ତା ୩୦ ତାରିଖରେ ନୂଆ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଶପଥଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରଣାସୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ମୋଦି ଏହି ଆସନରେ ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଚଳିତ ନିର୍ବାଚନରେ ବିଜେପି ଏକାକୀ ମ୍ୟାଜିକ ନମ୍ବର ହାସଲ କରିଛି ଓ ଏନଡିଏ ମେଣ୍ଟ ୩୫୩ଟି ଆସନ ପାଇଛି ।