ଉପ-ନିର୍ବାଚନ ପୂର୍ବରୁ ମୋଦିଙ୍କ ମନ କି ବାତ ଜରିଆରେ ଲୋକଙ୍କ ପାଖରେ ପହଂଚିଲା ବିଜେପି । ବିଜେଡି କହିଲା,ମନକୁ ଛୁଇଁଲାନି ମନ କି ବାତ

26

କନକ ବ୍ୟୁରୋ : ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ମୋଦିଙ୍କ ମନ୍ କି ବାତ୍ ଜରିଆରେ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଛି ଭାରତୀୟ ଜନତା ପାର୍ଟି । ପ୍ରଥମ ଥର ପାଇଁ ଓଡ଼ିଶାର କୌଣସି ନିର୍ବାଚନ ମଣ୍ଡଳିରେ ମୋଦିଙ୍କୁ ଶୁଣାଇବା ପାଇଁ ଦଳ ପକ୍ଷରୁ ଏଭଳି ଏକ ବ୍ୟାପକ ଆୟୋଜନ କରାଯାଇଥିଲା ।

ବିଜେପୁରର ୨୭୦ ବୁଥ୍ରେ ମୋଦିଙ୍କ ବାର୍ତା ପ୍ରସାରଣ କରି ଉପ-ନିର୍ବାଚନ ପୂର୍ବରୁ ଏକ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ କରିଛି ବିଜେପି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ବିଜେପିର ପ୍ରମୁଖ ତୁଙ୍ଗ ନେତା ଉପସ୍ଥିତ ରହି ତଦାରଖ କରିଛନ୍ତି ।ଏହି ବ୍ୟାପକ ଆୟୋଜନ ଭିତରେ କିନ୍ତୁ ଆଶା କରାଯାଉଥିଲା, ମୋଦି ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମରେ ଓଡ଼ିଶା କିମ୍ବା ବିଜେପୁର ସଂପର୍କରେ କିଛି କହିବେ । ଯେଉଁଥି ପାଇଁ ବିଜେପି ଏଭଳି ଏକ ଆୟୋଜନ କରୁଛି । ଏମିତିକି ଆଗାମୀ ଦିନରେ କିଛି ରାଜ୍ୟରେ ଉପ- ନିର୍ବାଚନ ସବୁ ହେଉଥିବା ସେ ସଂପର୍କରେ ମୋଦି କହିବା ନେଇ ଆକଳନ କରାଯାଉଥିଲା ।

ହେଲେ ମୋଦି ଜାତୀୟ ପ୍ରସଙ୍ଗରେ ସୀମିତ ରଖିଲେ, ତାଙ୍କ କାର୍ଯ୍ୟକ୍ରମ । ଯେଉଁଥି ପାଇଁ ବିଜେଡି ଅଭିଯୋଗ କରିଛି-ବିଜେପୁରକୁ ଛୁଇଁପାରିଲାନି ମୋଦିଙ୍କ ମନ୍ କି ବାତ୍ ।କାର୍ଯ୍ୟକ୍ରମ ପୂର୍ବରୁ ପୋଷ୍ଟର ଚିରାକୁ ନେଇ ବିବାଦ, ବିଜେଡିର ସମାନ୍ତରାଳ କାର୍ଯ୍ୟକ୍ରମ ନେଇ ଅଭିଯୋଗ, ଆଉ ଏସବୁ ଭିତରେ ଉପ-ନିର୍ବାଚନ ଆଗରୁ ବିଜେପି ନିଜର ଶକ୍ତି ପ୍ରଦାଁନ କରିଛି । ହେଲେ ଯାହାକୁ ଶାସକ ବିଜେଡି ବହୁ ଆଡମ୍ବରେ ଲଘୁକ୍ରିୟା କହି ଉଡାଇ ଦେଇଛି ।