ମିଶନ୍ ୧୨୦ରେ କିଏ ଲଗାଇଲା ବ୍ରେକ୍ ? ମୋଦିଙ୍କ ତୁଣ୍ଡରୁ ଶୁଭୁନି ମିଶନ୍ ୧୨୦ର ନାରା ।

୨୦୧୯ ନିର୍ବାଚନ କାଉଣ୍ଟଡ଼ାଉନ ଆରମ୍ଭ ହୋଇଛି ହେଲେ କ’ଣ ମୋଦି ଭୁଲି ଗଲେଣି ମିଶନ୍ ୧୨୦ ?

444

କନକ ବ୍ୟୁରୋ: ମୋଦିଙ୍କ ତୁଣ୍ଡରେ ଆଉ ଶୁଭୁନି ମିଶନ୍ ୧୨୦ । ପୂର୍ବ ଭାରତକୁ ଦଖଲ କରିବା ପାଇଁ ଓଡ଼ିଶାରୁ ପଦ୍ମ ଫୁଟାଇବାକୁ ପଣ କରିଥିଲେ ମୋଦି । ହେଲେ ଗତ କିଛି ଦିନର ମୋଦିଙ୍କ ଓଡ଼ିଶା ଗସ୍ତରୁ ଯାହା ଲାଗୁଛି ମୋଦି ଯେମିତି ମିଶନ ୧୨୦ କ’ଣ ଭୁଲି ଯାଇଛିନ୍ତି । ୨୦୧୪ ନିର୍ବାଚନ ପରେ ପରେ କେନ୍ଦ୍ରର କ୍ଷମତା ଡ଼ୋରୀକୁ ହାତରେ ନେଇଥିଲେ ନରେନ୍ଦ୍ର ମୋଦି । ଏପରିକି ବିଭିନ୍ନ ରାଜ୍ୟରେ ପଦ୍ମ ଫୁଟାଇ କଂଗ୍ରେସ ଏବଂ ଅନ୍ୟ ଦଳକୁ ଚିତ୍ ପଟାଙ୍ଗ କରିଥିଲେ ନରେନ୍ଦ୍ର ମୋଦି । ଏହାପରେ ଓଡ଼ିଶାରେ ବିଜେଡିକୁ ମାତ୍ ଦେଇ ସରକାର ଗଢ଼ିବା ଆଶା ବାନ୍ଧିଛନ୍ତି ମୋଦି । ଏବଂ ନରେନ୍ଦ୍ର ମୋଦିଙ୍କ ଏହି ଆଶାରେ ଟିକେ ଜୀବନ ଭରିଥିଲା ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ । ଏହାପରେ ଉଭୟ ଶାହା-ମୋଦିଙ୍କ ଯୋଡ଼ି ଓଡ଼ିଶା ଗସ୍ତରେ ଆଶି ୧୪୭ଟି ଆସନରୁ ୧୨୦ରୁ ଅଧିକ ସିଟ୍ ହାସଲ କରି ସରକାର ଗଢ଼ିବାକୁ ନାରା ଦେଇଥିଲେ ।

ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ରାଜ୍ୟ ବିଜେପି କ୍ୟାମ୍ପରୁ ଆରମ୍ଭ କରିି ଗାଁ ଗହଳିରେ ମିଶନ୍ ୧୨୦ ସ୍ଲୋଗାନ କମ୍ପନ ହେବାରେ ଲାଗିଥିଲା । ଆଉ ମଝିରେ ମଝିରେ ବିଜେପି ଚାଣକ୍ୟ ଅମିତ ଶାହା ଓଡ଼ିଶା ଆସି ମିଶନ୍ ୧୨୦କୁ ପୂରଣ କରିବା ପାଇଁ ଗେରୁଆ କ୍ୟାମ୍ପରେ ମନ୍ତ୍ର ଫୁଙ୍କି ଯାଉଥିଲେ । କେତେବେଳେ ବିଜେପି ଚାଣକ୍ୟ ଅମିତ ଶାହ ତ କେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ମିଶନ ୧୨୦ର ଟାସ୍କ ରାଜ୍ୟ ବିଜେପିର ମଙ୍ଗୁଆଳ ମାନଙ୍କୁ ବାରମ୍ବାର ଦେଇଯାଉଥିଲେ । ହେଲେ ନିକଟରେ ମୋଦି ଅନେକଥର ଓଡ଼ିଶା ଗସ୍ତରେ ଆସିଥିଲେ ମଧ୍ୟ ମିଶନ୍ ୧୨୦ ନାରା ମୋଦିଙ୍କ ପାଟିରୁ ଶୁଣିବାକୁ ମିଳୁନି । ସତେ ଯେମିତି ମୋଦି ଗତ ଡିସେମ୍ବର ୧୧ ତାରିଖ ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ମିଶନ୍ ୧୨୦ କ’ଣ ଭୁଲିଗଲେଣି ବୋଲି ଚା’ଖଟିରେ ଚର୍ଚ୍ଚା ଜୋରଧରିଛି ।

ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦିଙ୍କ ଏଭଳି ଅନ୍ଦାଜ୍ ହୁଏତ ଓଡ଼ିଶାରେ ମିଶନ୍ ୧୨୦ ପୂରଣ ନ କରିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ବିଜେପି ବିଜେଡ଼ି ବିରୁଧରେ ପ୍ରମୂଖ ବିରୋଧୀ ଦଳ ଭାବେ ଛିଡ଼ା ହୋଇଛି । ଏବେ ମୋଦିଙ୍କ ପୂର୍ବ ଭାରତକୁ ଦଖଲ କରିବା ଆଶା ଆଉ ଆଶାରେ ରହି ଯିବନି ତ ? ଏଭଳି କିଛି ରାଜନୀତି ଗସିପ୍ ବିଜେପି କରିଡ଼ରରେ ଶୁଣିବାକୁ ମିଳୁଛି ।