ନିର୍ବାଚନୀ ମଇଦାନରେ ମୁହାଁମୁହିଁ ବିଜେପି-କଂଗ୍ରେସ ! ମୋଦି କହିଲେ, ଭ୍ରଷ୍ଟାଚାର ଦେଶକୁ କରିଛି ବରବାଦ, ସେପଟେ ବିଜେପି ଉପରେ ବର୍ଷିଲେ ରାହୁଲ ।

385

କନକ ବ୍ୟୁରୋ : ଛତିଶଗଡ ପରେ ଏବେ ମଧ୍ୟପ୍ରଦେଶ ଓ ମିଜୋରାମରେ ପଡିବ ଭୋଟ୍ । ତେଣୁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟପ୍ରଦେଶ ଓ ମିଜୋରାମରେ ନିର୍ବାଚନୀ ପ୍ରଚାର ଜୋରଦାର କରିଛନ୍ତି । ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିବା ବେଳେ ମିଜୋରାମରେ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଛତିଶଗଡ ପରେ ଏବେ ନଜର ରହିଛି ମଧ୍ୟପ୍ରଦେଶ ଓ ମିଜୋରାମ ଉପରେ । ମଧ୍ୟପ୍ରଦେଶ ପ୍ରଚାର ମଇଦାନରୁ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଦେଶକୁ  ଭ୍ରଷ୍ଟାଚାର ବରବାଦ କରିଦେଇଛି । କଂଗ୍ରେସ ଅମଳରେ ଦେଶରେ ଭ୍ରଷ୍ଟାଚାର ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ, ନୋଟବନ୍ଦୀ ଭଳି ନିଷ୍ପତି ନେବାକୁ ପଡିଲା । ଆଜି ଯେଉଁ ଅର୍ଥରେ ଦେଶରେ ସ୍କୁଲ, ଘର ଓ ହସ୍ପିଟାଲ ତିଆରି ହେଉଛି ସେହିସବୁ ପଇସା ପୂର୍ବରୁ ଗଦି ତଳେ ରହୁଥିଲେ । ଦେଶରୁ ଗରିବୀ ହଟାଇବା ବିଜେପି ସରକାରର ମୂଳ ଲକ୍ଷ୍ୟ ବୋଲି ମୋଦି କହିଛନ୍ତି । ଏଭଳି କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଲୋକଙ୍କ ଆଗରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ମିଜୋରାମରେ ବିଜେପି ବିରୋଧରେ ଗର୍ଜିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ୨୦୧୯ରେ ବିଜେପି ନିର୍ବାଚନରେ ପରାଜିତ ହେବ ବୋଲି ଦଳ ଜାଣିସାରିଛି ବୋଲି ସେ କହିଛନ୍ତି । ଏହାସହ ମିଜୋରମର ସଂସ୍କୃତିକୁ ନଷ୍ଟ କରିଛନ୍ତି ବିଜେପି ଓ ଆରଏସଏସ ବୋଲି କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ସେପଟେ ସିବିଆଇ ବିବାଦରେ ନୂଆ ଖୁଲ୍ଲାସା ହେବା ପରେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରତିବାଦର ସ୍ୱରକୁ ଆହୁରି ତୀବ୍ର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଟୁଇଟ କରି ରାହୁଲ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଅଫିସର ଥକିଗଲେ ଏବଂ ଲୋକତନ୍ତ୍ର କାନ୍ଦୁଛି ।

ଦିଲ୍ଲୀରେ ‘ଚୌକିଦାର ହିିଁ ଚୋର’ କ୍ରାଇମ୍ ଥ୍ରୀଲର ଚାଲିଥିବା ରାହୁଲ ଅଭିଯୋଗ କରିଛନ୍ତି । ରାହୁଲଙ୍କ କହିବା କଥା ଏହି ଥ୍ରୀଲରର ନୂଆ ଏପିସୋଡ ଅନୁଯାୟୀ ସିବିଆଇ ଡିଆଇଜିଙ୍କ ଦ୍ୱାରା ଜଣେ ମନ୍ତ୍ରୀ, ଏନଏସଏ, ଆଇନ ସଚିବ ଓ କ୍ୟାବିନେଟ ସଚିବଙ୍କ ବିରୋଧରେ ଅଭିଯୋଗ ରହିଛି  । ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ସମେତ ମିଜୋରମରେ ମତଦାନ ହେବ । ତେଣୁ ସବୁ ରାଜୈନତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ଝାବୁଆ ଓ ରିବାରେ ନିର୍ବାଚନୀ ପ୍ରଚାର କରିଛନ୍ତି । ସେପଟେ ମିଜୋରମର ଚମ୍ପଇଠାରେ ପ୍ରଚାର କରିଛନ୍ତି ରାହୁଲ ।