ମୋଦି-ଗୀତା ମେହେଟ୍ଟାଙ୍କ ସେହି ୯୦ ମିନିଟର ଆଲୋଚନା ! ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା

540

କନକ ବ୍ୟୁରୋ : ପଦ୍ମ ପୁରସ୍କାରକୁ ଗୀତା ମେହେଟା ଅଗ୍ରାହ୍ୟ କରିବା ଖବର ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ହେଲେ ଏ ସଂପର୍କରେ ଏନଡିଟିଭି ପକ୍ଷରୁ ଏପରି ଏକ ଖବର ପ୍ରକାଶ ପାଇଛି ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି ଦିନ ତଳେ ଗୀତା ମେହେଟା ଓ ତାଙ୍କ ସ୍ୱାମୀଙ୍କ ସହ ୯୦ ମିନିଟ୍ ଧରି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ଏନଡିଟିଭି ରିପୋର୍ଟ ଅନୁସାରେ କିଛି ଦିନ ତଳେ ଗୀତା ମେହେଟା ଓ ତାଙ୍କ ସ୍ୱାମୀ ତଥା ବିଶ୍ୱ ବିଶିଷ୍ଟ ପ୍ରକାଶକ ସନି ମେହେଟାଙ୍କ ସହ ଆଲୋଚନା କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ୨୦ ମିନିଟର ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ଏହା ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ।

ଜାତୀୟ ଗଣମାଧ୍ୟମ ଦାବି କରିଛି ୬ ମାସ ତଳେ ଗୀତା ମେହେଟାଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଫୋନରେ ଯୋଗାଯୋଗ କରିଥିଲା ପିଏମଓଙ୍କ କାର୍ଯ୍ୟାଳୟ । ହେଲେ ଫୋନ୍ ଉଠାଇଥିଲେ ଔରଙ୍ଗଜେବ ରୋଡ ସ୍ଥିତ ବାସଭବନର କେୟାର ଟେକର-ବାବୁ । ବାବୁଙ୍କ ସହ ଫୋନରେ ୧୦ ମିନିଟ୍ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ବାବୁଙ୍କ ପାଖରେ ଗୀତାଙ୍କ ଫୋନ ନମ୍ବର ନଥିବାରୁ ଗୀତାଙ୍କ ଫୋନ ନମ୍ବର ଆଣିବା ପାଇଁ ପ୍ରୟାସ କରିଥିଲା ଆମେରିକାରେ ଥିବା ଭାରତୀୟ ଦୂତାବାସ । ଏହାପରେ ଗୀତା ମେହେଟାଙ୍କୁ ଫୋନରେ କଥା ହେବା ପରେ ଭାରତ ଆସିଲେ ଆଲୋଚନା କରିବା ପାଇଁ ଆମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ କିଛି ମାସ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଚର୍ଚ୍ଚା କରିଥିଲେ ଗୀତା ମେହେଟା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗୀତା ମେହେଟା ଭାବୁଥିଲେ ତାଙ୍କ ସ୍ୱାମୀ ସନି ମେହେଟା ବାରାକ ଓବାମା, ଟୋନି ବ୍ଲେୟାରଙ୍କ ଭଳି ରାଜନେତାଙ୍କ ଜୀବନୀ ପ୍ରକାଶନ କରିଥିବାରୁ ହୁଏତ ସେହି ବିଷୟରେ ଆଲୋଚନା କରିପାରନ୍ତି ମୋଦି । କିନ୍ତୁ ଆଲୋଚନା ବେଳେ ସେହି ପ୍ରସଙ୍ଗ ଉଠିନଥିବାରୁ ସେଦିନ ଆଶ୍ଚର୍ଯ୍ୟ ହୋଇଥିଲେ ଗୀତା ।

ଗୀତାଙ୍କୁ ପଦ୍ମଶ୍ରୀ ପାଇଁ ଚୟନ କରିବା ପରେ ମୋଦିଙ୍କ ସହ ତାଙ୍କର ଏହି ଆଲୋଚନାକୁ ଯୋଡାଯାଉଛି । ଏପରିକି ଚର୍ଚ୍ଚା ହେଉଛି ୨୦୧୯ ନିର୍ବାଚନ ପାଇଁ ନବୀନଙ୍କୁ ମନେଇବା ପାଇଁ ଏଭଳି କୌଶଳ ଆପଣେଇ ଥାଇପାରନ୍ତି କେନ୍ଦ୍ର ସରକାର । ତେବେ ଓଡ଼ିଶାର ଦିବଙ୍ଗତ ମହାନାୟକ ବିଜୁ ପଟ୍ଟନାୟକଙ୍କ ଝିଅ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଜଣେ ସୁଲେଖିକା ଭାବେ ବିଶ୍ୱବ୍ୟାପୀ ପରିଚୟ ରହିଛି । ଗୀତା ଲେଖିଥିବା ଲୋକପ୍ରିୟ ପୁସ୍ତକ ଗୁଡ଼ିକ ହେଲା କର୍ମା କୋଲା, ଏ ରିଭର୍ ସୂତ୍ର, ଏଟର୍ଣ୍ଣାଲ୍ ଗଣେଶା ଓ ସ୍ନେକ୍ସ ଆଣ୍ଡ ଲାଡରସ । ନବୀନଙ୍କ ବଡ଼ ଭଉଣୀ ହୋଇଥିଲେ ମଧ୍ୟ ମାତ୍ର ୩ଥର ଗୀତାଙ୍କ ଗଣମାଧ୍ୟମ ସାମନାକୁ ଆସିଛନ୍ତି ।

୨୦୧୪ ମସିହା ନବୀନଙ୍କ ଶପଥ ଗ୍ରହଣ ସମାରୋହରେ ନଜର ଆସିଥିଲେ ଗୀତା । ଏହାପରେ ରାଜଧାନୀ ଭୁବନେଶ୍ୱର ପାଲ ହାଇଟ୍ସର ଏକ ବହି ଦୋକାନରେ ନବୀନଙ୍କ ସହ ବହି କିଣିବା ବେଳେ ଗୀତା ନଜର ଆସିଥିଲେ । ସେହିପରି କଟକରେ ବିଜୁ ବାବୁଙ୍କ ପୈତୃକ ଘର ଆନନ୍ଦ ଭବନରେ ଆୟୋଜିତ ସମାରୋହରେ ନବୀନଙ୍କ ସହ ଥିଲେ ଗୀତା ମେହେଟ୍ଟା । ଗୀତାଙ୍କ ପରାମର୍ଶ ନବୀନଙ୍କ ପାଇଁ ଗୁରୁତ୍ୱ ରଖିଥାଏ ବୋଲି ମଧ୍ୟ ଚର୍ଚ୍ଚା ହୋଇଥାଏ । ତେଣୁ ଏହି ସାକ୍ଷାତକାରକୁ ୨୦୧୯ ନିର୍ବାଚନ ସହ ଯୋଡୁଛନ୍ତି ରାଜନୈତିକ ସମୀକ୍ଷକ ।