କଲେଜ କ୍ୟାମ୍ପସରେ କଡା ନିୟମ । ମୋବାଇଲ୍ ଆଣିଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ, ପିନ୍ଧି ପାରିବେନି ରଙ୍ଗୀନ ଓ ଚିପା ଡ୍ରେସ ।

8,687

କନକ ବ୍ୟୁରୋ : କଲେଜ କ୍ୟାମ୍ପସକୁ ମୋବାଇଲ୍ ମନା । ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ କରିବା ଦିଗରେ କିଛି ଏଭଳି କଡା ପଦକ୍ଷେପ ନେଇଛନ୍ତି ବାଲୁଗାଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ସବୁଠାରୁ ବଡ କଥା ହେଉଛି, କଲେଜରେ ଯେଉଁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିବେ, ସେମାନଙ୍କୁ କଲେଜରୁ ବହିଷ୍କାର କରାଯିବ ।

ତେବେ ଏଭଳି କଡା ନିଷ୍ପତ୍ତି ନେଇ କଲେଜ ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତଙ୍କ କହିବା କଥା, କିଛି ବର୍ଷ ହେବ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହୋଇପଡିଥିଲେ । ଯାହା ଦ୍ୱାରା ପରୀକ୍ଷାରେ ମଧ୍ୟ ଫଳାଫଳ ଭଲ ହୋଇନଥିଲା । ତେଣୁ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ଦିଗରେ ଏକ ବୈଠକ ବସିଥିଲା । ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କଲେଜ ପରିସରକୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ । ଏହା ସହ ରଙ୍ଗୀନ ଓ ଚିପା ଡ୍ରେସ୍ ପିନ୍ଧିବାକୁ ମଧ୍ୟ ବାରଣ କରାଯାଇଥିଲା । କିନ୍ତୁ ଏହି ନିୟମ ପାଳନ କରିବାରେ ଖିଲାପ ହେବାରୁ ଏବେ ଏଭଳି କଡା ପଦକ୍ଷେପ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ ।

ତେବେ ଏଭଳି କଡା ନିଷ୍ପତ୍ତିକୁ ନେଇ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି କି କଲେଜ୍ କର୍ତ୍ତୃପକ୍ଷ ? କଲେଜ ପରିସରରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ବ୍ୟବହାର କଲେ ଅସୁବିଧା କେଉଁଠି ? ପରୀକ୍ଷାରେ ଫଳାଫଳ ଖରାପ ହେବା ପଛରେ, କେବଳ ଛାତ୍ରଛାତ୍ରୀମାନେ ଦାୟୀ, ନା ଶିକ୍ଷା ବ୍ୟବସ୍ଥାରେ କେଉଁଟି ତୃଟି ରହିଛି ? ମୋବାଇଲ୍ ଫୋନ୍ ନିଷେଧ କରାଗଲେ କଣ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ କରିପାରିବେ ? ଏଭଳି କିଛି ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତିକୁ କେତେକ ଅଭିଭାବକ ସ୍ୱାଗତ କରିଥିବା ବେଳେ, ଅନେକ ଏହାକୁ ନାପସନ୍ଦ କରିଛନ୍ତି ।

ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ, ଅନେକ ସ୍ଥାନରେ ସ୍ମାର୍ଟ ପଦ୍ଧତିରେ ମଧ୍ୟ ଶିକ୍ଷାଦାନ କରାଯାଉଛି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛୋଟ ଛୋଟ ପ୍ରଶ୍ନ ଠାରୁ ଆରମ୍ଭ କରି ଜଟିଳ ପ୍ରଶ୍ନର ଉତ୍ତର ମଧ୍ୟ କ୍ଷଣିକ ସମୟ ମଧ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାର କରି ଇଣ୍ଟରନେଟ୍ ଜରିଆରେ ଜଣାଯାଇଥାଏ । ଏପରିକି ଅନଲାଇନରେ ଅନେକ ଶିକ୍ଷଣୀୟ ତଥ୍ୟ ମଧ୍ୟ ମିଳିଥାଏ । ତେବେ ସବୁକିଛି ସ୍ମାର୍ଟ ହେଉଥିବା ବେଳେ, କଲେଜ କ୍ୟାମ୍ପସରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଲଗାଇବା କେତେ ଦୂର ଠିକ୍ ? ତାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ ।