ବିଧାୟକ କଲୋନୀ ଉପରେ ଚାଲିଲା ବୁଲଡେଜାର । ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା, ଦିଲ୍ଲୀରେ ସାଂସଦଙ୍କ ଭଳି ଏଠାରେ ବିଧାୟକଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା ।

296

କନକ ବ୍ୟୁରୋ : ଏମଏଲଏ କ୍ୱାଟର୍ସ ଉପରେ ଚାଲିଲା ବୁଲଡେଜାର । ପୁରୁଣା କୋଠା ଭଙ୍ଗାଯାଇ ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା । ପ୍ରଥମ ପର୍ଯ୍ୟାୟରେ ଭଙ୍ଗାଯିବ ୪୨ ବିଧାୟକଙ୍କ କ୍ୱାଟର୍ସ । ୧୫୦ ବିଧାୟକଙ୍କ ପାଇଁ ନିର୍ମାଣ ହେବ ଘର । ପ୍ରତି ବିଧାୟକଙ୍କୁ ମିଳିବ ୭ କୋଠରି ବିଶିଷ୍ଟ ଘର । ଏହା ସହିତ ନୂଆ କଲୋନୀରେ ବିଧାୟକଙ୍କ ପାଇଁ ରହିବ ପାର୍କ, ଜିମ୍ ଓ ସୁଇମିଂ ପୁଲ୍ ସାଙ୍ଗକୁ ବ୍ୟାଡମିଂଟନ ଓ ଟେନିସ୍ କୋର୍ଟର ଆଧୁନିକ ସୁବିଧା । ତେବେ ବିଧାୟକ କଲୋନୀ ଅଂଚଳରେ ରହୁଥିବା ବସ୍ତିବାସିନ୍ଦାମାନେ ଏହି ଉଚ୍ଛେଦକୁ ବିରୋଧ କରିଛନ୍ତି ।

ବିଧାୟକ କଲୋନୀରେ ବୁଲଡୋଜର । ପୁରୁଣା ଭାଙ୍ଗିବ, ନୂଆ ନିର୍ମାଣ । ଭୁବନେଶ୍ୱର ୟୁନିଟ୍-୪ ଅଂଚଳରେ ଥିବା ବିଧାୟକ କଲୋନୀକୁ ନୂଆ ରୁପରେ ଗଢ଼ି ତୋଳିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରଥମ ଦିନରେ ଗୋଟିଏ ବିଧାୟକ କ୍ୱାର୍ଟର ଭଙ୍ଗା ଯାଇଥିବା ବେଳେ ଏହି ଧାରା ଆଗକୁ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ୪୨ଟି ପୁରୁଣା ବିଧାୟକ କ୍ୱାର୍ଟର୍ସ ଭଙ୍ଗାଯିବ ।

ନୂଆ ରୁପରେ ଆସିବ ବିଧାୟକ କଲୋନୀ । କ୍ୱାର୍ଟର ଭାଙ୍ଗିବ, ଆପାର୍ଟମେଂଟ ହେବ । ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନୂଆ କଲୋନୀର ରୂପରେଖ ଚୂଡ଼ାନ୍ତ ହୋଇଛି ।

-୧୫୦ ବିଧାୟକଙ୍କ ପାଇଁ ନିର୍ମାଣ ହେବ କ୍ୱାର୍ଟର୍ସ
-ପ୍ରତି ବିଧାୟକଙ୍କୁ ମିଳିବ ୭ କୋଠରି ବିଶିଷ୍ଟ କ୍ୱାର୍ଟର୍ସ
-ନିର୍ମାଣ ହେବ ୧୦ ମହଲା ଓ ୯ ମହଲା ବିଶିଷ୍ଟ ବହୁତଳ ପ୍ରାସାଦ
-ନୂଆ କଲୋନୀରେ ରହିବ ବ୍ୟାଡମିଂଟନ ଓ ଟେନିସ୍ କୋର୍ଟ
-ପାର୍କ, ଜିମ୍ ଓ ସୁଇମିଂ ପୁଲର ରହିବ ସୁବିଧା
– ବିଧାୟକଙ୍କ ପାଇଁ ରହିବ ଆଧୁନିକ ସୁବିଧା ସୁଯୋଗ

ଆଉ ଏସବୁ ଭିତରେ ପୁରଣା କଲୋନୀରେ ଥିବା ଥାନା, ପୋଷ୍ଟ ଅଫିସ୍, ରେଲୱେ ବୁକିଂ ଅଫିସ୍କୁ ଭଙ୍ଗାଯାଇ ସେ ସ୍ଥାନରେ ନୂଆକରି ସବୁ ନିର୍ମାଣ କରାଯିବ ।