ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଥମୁନି ଚର୍ଚ୍ଚା: ଆସିଲା ସାଂସଦରୁ ମନ୍ତ୍ରୀ ହେବା ନେଇ ରୋଚକ କାହାଣୀ; ପ୍ରତାପଙ୍କୁ ମନ୍ତ୍ରୀ କରିବା ପାଇଁ ଶାହା କରିଥିଲେ ବାରମ୍ବାର ଫୋନ ହେଲେ ଉଠାଇନଥିଲେ ନନା

5,310

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ପାଳିର ଶପଥ ଗ୍ରହଣ ସମାରୋହ ଦିନରୁ ହିଁ ସାରା ଦେଶରେ ହେଉଛି ୬୪ ବର୍ଷୀୟ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଜୟ ଜୟ କାର । କିଏ ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଆଂଚଳିକ ଗଣମାଧ୍ୟମରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ, ଏମିତି କି ସୋସିଆଲ ମିଡ଼ିଆରେ ବି ଛାଇ ରହିଛନ୍ତି ପ୍ରତାପ । ସେହିଭଳି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟିମରେ ସ୍ଥାନ ପାଇଥିବା ପ୍ରତାପଙ୍କର ମନ୍ତ୍ରୀ ହେବାର କାହଣୀ ମଧ୍ୟ ଥିଲା ବେଶ୍ ରୋଚକ । ପ୍ରତାପଙ୍କୁ ମନ୍ତ୍ରୀ କରିବା ପାଇଁ ମୁଖ୍ୟ କାର୍ଯ୍ୟାଳୟରୁ ଘନ ଘନ ଫୋନ କଲ ଆସୁଥିଲା କିନ୍ତୁ ସେ ଫୋନକୁ ସାଇଲେଂଟ କରି ଦଳୀୟ କର୍ମକର୍ତ୍ତାଙ୍କ ସହ ବ୍ୟସ୍ତ ଥିଲେ ।

ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏସଂପର୍କରେ କହିଛନ୍ତି ପ୍ରତାପ ଷଡଙ୍ଗୀ । ସେ କହିଛନ୍ତି କି, ‘ଅପରାହ୍ମ ୩ଟା ବେଳେ ମୋ ପାଖକୁ ଫୋନ ଆସିଲା କି ମୋ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷଜୀ କଥା ହେବାକୁ ଚାହୁଁଛନ୍ତି, ଆପଣ ଫୋନ କାହିଁକି ଉଠାଉ ନାହାଁନ୍ତି ? ସେହି ସମୟରେ ମୁଁ ବିଜେପି କାର୍ଯ୍ୟାଳୟରେ ଥାଏ ଆଉ ମୁଁ ଫୋନଟିକୁ ସାଇଲେଂଟ ମୋଡରେ ରଖି ଦେଇ କର୍ମକର୍ତ୍ତାଙ୍କ ସହ ବ୍ୟସ୍ତ ଥାଏ । ତେବେ ପରବର୍ତ୍ତି ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଜୀ ମୋ ସହ କଥା ହୋଇ କହିଥିଲେ କି ସଂଧ୍ୟା ୭ଟା ବେଳେ ମୋତେ ରାଷ୍ଟ୍ରପତି ଭବନରେ ମନ୍ତ୍ରୀ ପଦ ପାଇଁ ଶପଥ ନେବାକୁ ପଡିବ । କିନ୍ତୁ ଏହା ପୂର୍ବରୁ ସଂଧ୍ୟା ୫ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ମଧ୍ୟ ମୋତେ ସାମିଲ ହେବାକୁ ପଡିବ ।’

ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କଠାରୁ ଏଭଳି କଥା ଶୁଣି ହଠାତ୍ ଚକିତ ହୋଇଯାଇଥିଲେ ପ୍ରତାପ । ଅମିତ ଶାହାଙ୍କ କଥାକୁ ବୁଝି ପାରିନଥିଲେ ବାଲେଶ୍ୱର ସାଂସଦ । ଏହାପରେ ସେ ଶାହାଙ୍କୁ ପ୍ରଶ୍ନ କରିଥିଲେ କି, ମୁଁ କାହିଁକି ଶପଥ ନେବି । ଏହାପରେ ଶାହା ହସି ହସି କହିଥିଲେ କି, ହଁ ତୁମକୁ ହିଁ ଶପଥ ନେବାକୁ ପଡିବ ଏବଂ ମୋତେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆସିବାକୁ ହେବ । ଏହା ପରେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଯାଇଥିଲେ ଆଉ ଧର୍ମେନ୍ଦ୍ର କହିଥିଲେ କି ତାଙ୍କ ନିକଟକୁ ବି ଫୋନ ଆସିଥିଲା ଆଉ କୁହାଯାଇଥିଲା କି ତାଙ୍କ ସହ ପ୍ରତାପଙ୍କୁ ମଧ୍ୟ ସାଥିରେ ନେଇ  ଯିବା ପାଇଁ ।

ଏଠାରେ ଆମେ କହି ରଖୁଛୁ କି, ପ୍ରତାପ ଷଡଙ୍ଗୀଙ୍କ ସରଳ ଜୀବନଯାପନ ଏବଂ ତୃଣମୂଳସ୍ତରରେ ଜଡ଼ିତ ନେତା ଭାବରେ ଓଡ଼ିଶାରେ ବେଶ ପରିଚିତ । ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ, ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏବେ ଜାତୀୟ ଗଣମାଧ୍ୟମରେ ପ୍ରତାପ ଷଡଙ୍ଗୀଙ୍କ କାହାଣୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ପ୍ରତିପକ୍ଷ କୋଟିପତି ପ୍ରାର୍ଥୀଙ୍କୁ ହରାଇଥିବା ଏହି ନେତାଙ୍କୁ ଜାତୀୟ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରିଛନ୍ତି । ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା ଏବଂ ଗାମୁଛା ପିନ୍ଧି ନଳକୁଅରେ ଗାଧୋଉଥିବା ଏହି ନେତା କମ୍ ଖର୍ଚ୍ଚରେ ନିର୍ବାଚନ ଜିତିବା କାରଣରୁ ବିଭିନ୍ନ ମହଲରୁ ବେଶ ପ୍ରଶଂସା ସାଉଁଟିଛନ୍ତି ।