ଜାମିନରେ ଆସିଥିଲେ, ଜୀଅନ୍ତା ଜାଳିଦେଲେ: ପ୍ରତିଶୋଧ ନେବାକୁ ଗଣଦୁଷ୍କର୍ମ ପୀଡିତାଙ୍କୁ ଗୋଡେଇ ଗୋଡେଇ ଜାଳିଲେ ଅଭିଯୁକ୍ତ । ଉନ୍ନାଓରୁ ଆସିଲା ଆଉ ଏକ ଛାତିଥରା କାହାଣୀ ।

1,300

କନକ ବ୍ୟୁରୋ: ବର୍ବରତାର ଚରମସୀମାରେ ମାନବିକତା । ହାଇଦ୍ରାବାଦରେ ଯୁବତୀଙ୍କୁ ଗଣଦୁର୍ଷ୍କମ କରି ଜିଅନ୍ତା ଜାଳି ମାରିଦେବାର ଦିନ କେତେଟା ପରେ ଘଟିଛି ଆଉ ଏକ ଛାତିଥରା ବର୍ବରକାଣ୍ଡ । ଉନ୍ନାଓ ଗଣଦୁର୍ଷ୍କମ ମାମଲାରେ ଅଭିଯୁକ୍ତ ବେଲରେ ଆସି ଘଟାଇଛନ୍ତି ଏଭଳି ଜଘନ୍ୟକାଣ୍ଡ । କୋର୍ଟକୁ ଶୁଣାଣି ପାଇଁ ଆସୁଥିବା ରାସ୍ତାରେ ପୀଡିତାଙ୍କୁ କିରୋସିନି ଢାଳି ଜିଅନ୍ତା ଜାଳି ଦେଇଛନ୍ତି ଉକ୍ତ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ।

ତେବେ ସ୍ପଷ୍ଟ ଦିବାଲୋକରେ ଜାଳି ଦେଇଛନ୍ତି ଆଉ ଏକ ନିର୍ଭୟାକୁ । ହାଇଦ୍ରାବାଦ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ, ପୁଣି ପଶୁ ଭଳି ଜଳାଇ ଦେଇଛି ଆଉ ଏକ ନିର୍ଭୟାକୁ । ୨୩ ବର୍ଷୀୟ ଏହି ପୀଡିତା ଶୁଣାଣି ପାଇଁ କୋର୍ଟ ଯାଉଥିବା ବେଳେ ଘଟିଛି ଏଭଳି ଲୋମ ଟାଙ୍କୁରା ଘଟଣା ।

ତେବେ ପୀଡିତାଙ୍କର ଶରୀରର ୯୦ ପ୍ରତିଶତ ଜଳିଯାଇଥିବା ଡାକ୍ତର କହିଛନ୍ତି । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଲିପ୍ଟ ମାଧ୍ୟମରେ ଦିଲ୍ଲୀ ପଠାଯାଇଛି । ତେବେ ସବୁଠାରୁ ବଡ କଥା ହେଲା ଘଟଣା ପରେ ପୀଡ଼ିତା ଜଣଙ୍କ ପ୍ରାୟ ଏକ କିଲୋମିଟର ପାଦରେ ଚାଲିଚାଲି ଯାଇଥିଲେ ଏବଂ ଜଣେ ଲୋକଙ୍କୁ ମଧ୍ୟ ସହାୟତା ମାଗିଥିଲେ । ଏହା ସହ ପୀଡ଼ିତା ନିଜେ ୧୦୦ ନମ୍ବରକୁ ଫୋନ କରି ପୋଲିସକୁ ନିଜର ଅଭିଯୋଗ ଜଣାଇଥିଲେ । ଆଉ ପୀଡ଼ିତାଙ୍କ ଫୋନ କଲ ପାଇବା ପରେ ଆମ୍ବୁଲାନ୍ସ ତାଙ୍କୁ ସହାୟତା କରିଥିଲା ।

ପୀଡିତାଙ୍କ ବୟାନ ଅନୁସାରେ ପୁଲିସ ୩ ଜଣକୁ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଫେରାର ଅଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଭିତରୁ ୨ ଜଣ ପୀଡିତାଙ୍କୁ ଗଣଦୁର୍ଷ୍କମ କରିବାରେ ସଂଶ୍ଲିଷ୍ଟ ଥିଲେ । ଗଣଦୁର୍ଷ୍କମ ମାମଲାରେ ପୁଲିସ ଚାର୍ଜସିଟ କରିଥିବା ୩ ଅଭିଯୁକ୍ତ ମଧ୍ୟରୁ ୨ ଜଣଙ୍କୁ ବେଲ ମିଳିଥିଲା । ଅଭିଯୁକ୍ତଙ୍କୁ ଆଇନର କୌଣସି ଭୟ ନ ଥିବା ଭଳି ଲାଗୁଛି । ସାରା ଦେଶ ପୀଡିତା ପାଇଁ ନ୍ୟାୟ ମାଗୁଥିବା ବେଳେ ଅପରାଧୀ ଖୋଲାଖୋଲି ଭାବରେ ଅପରାଧ କରିଚାଲିଛନ୍ତି । ପୀଡିତା ପୋଲିସରେ ଅଭିଯୋଗ କରିଥିବାରୁ ତାର ପ୍ରତିଶୋଧ ନେଇଥିବା କହିଛି ଅଭିଯୁକ୍ତ ।