ନବରଙ୍ଗପୁରରେ ନାଟକୀୟ ଲୁଟ୍ ! ରୋଗୀ ବେଶରେ ଆସିଲେ, ଡାକ୍ତରଙ୍କ ବେକରେ ଭୁଜାଲି ଲଗାଇ ୪୦ ଲକ୍ଷ ଟଙ୍କା ଓ ୬ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

191

କନକ ବ୍ୟରୋ:  ରୋଗୀ ବେଶରେ ଡାକ୍ତରଙ୍କୁ ଲୁଟିଲେ । ରାତି ଅଧରେ ନବରଙ୍ଗପୁରର ଜଣେ ଡାକ୍ତରଙ୍କ ଘରେ ଲୁଟେରା କଳାକନା ବୁଲାଇଦେଇଛନ୍ତି । ୪ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ଡାକ୍ତରଙ୍କ ଘରୁ ଟଙ୍କା, ସୁନା ଓ ମୋବାଇଲ ଲୁଟି ଫେରାର ହୋଇଯାଇଛନ୍ତି । ପଢନ୍ତୁ ଡାକ୍ତରଙ୍କ ଘରେ ଲୁଟର ପୁରା କାହାଣୀ ।

ସମୟ – ରାତି ପ୍ରାୟ ୧୧ଟା ୩୦ । ଡାକ୍ତରଙ୍କ ଘର କବାଟ ବାଡେଇ କିଛି ଯୁବକ ସାର୍ ସାର୍ ଡାକିଥିଲେ । ବାରମ୍ବାର କହୁଥିଲେ, ପେସେଂଟ୍ ନେଇ ଆସିଛୁ , ଶୀଘ୍ର କବାଟ ଖୋଲନ୍ତୁ । ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜ, କବାଟ ଖୋଲି କହିଥିଲେ, ପେସେଂଟକୁ ଭିତରକୁ ଆଣ । ବାସ୍, ଦେଖୁ ଦେଖୁ ଘରକୁ ଧସେଇ ପଶିଆସିଥିଲେ ଚାରି ଚାରି ଜଣ ଯୁବକ । ଡାକ୍ତରଙ୍କ ବେକରେ ଭୁଜାଲି ଲଗାଇ ଆରମ୍ଭ ହୋଇଗଲା ଫିଲ୍ମ ଷ୍ଟାଇଲରେ ଲୁଟ୍ । ଯୋଜନା ମୁତାବକ, ଦୁଇ ଜଣ ଯୁବକ ଡାକ୍ତରଙ୍କୁ କାବୁ କଲେ । ଜଣେ ଯୁବକ, ଡାକ୍ତର ଏବଂ ତାଙ୍କ ପତ୍ନୀଙ୍କ ମୋବାଇଲ ଛଡାଇ ଆଣିଲା । ଏବଂ ଆଉ ଜଣେ ବେଡରୁମ୍ ଭିତରକୁ ପଶି ଟଙ୍କା, ସୁନା ଖୋଜିଲା ।

ରାତି ଅଧରେ ଘରେ ଚାଲିଥିଲା ଲୁଟପାଟ୍ । ମାରଣାସ୍ତ୍ର ଦେଖାଇ ଡାକ୍ତର ଏବଂ ତାଙ୍କ ସ୍ତ୍ରୀଙ୍କୁ ଚୁପ୍ କରିଦେବା ପରେ ଅଧଘଂଟା ଭିତରେ ଘରେ କଳାକନା ବୁଲାଇଦେଇଥିଲେ ୪ ଜଣ ଦୁର୍ବୃତ । ଘରେ ଥିବା ୪୦ ହଜାର ଟଙ୍କା, ୬ ଭରି ସୁନା ଅଳଙ୍କାର ସହ ୪ଟି ମୋବାଇଲ୍ ଲୁଟ୍ ହୋଇଛି । ଡାକ୍ତରଙ୍କ କହିବା କଥା , ଲୁଟେରାଙ୍କ ବୟସ ୧୯ରୁ ୨୪ ଭିତରେ ହେବ ଏବଂ ସେମାନେ ସ୍ଥାନୀୟ ଭାଷାରେ କଥା ହେଉଥିଲେ ।

ସକାଳୁ ଇନ୍ଦ୍ରାବତୀ ଥାନାରେ ଡାକ୍ତର ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଏଯାଏଁ ଲୁଟେରାଙ୍କ ଟେର୍ ପାଇପାରିନି । ତେବେ ରୋଗୀ ବେଶରେ ଡାକ୍ତରଙ୍କ ଘରେ ଲୁଟ୍ , ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ହୋଇଛି ।