ବିଜେଡି ନେତାଙ୍କ ଗୀତା ପାଠ ! ଭଉଣୀଙ୍କ ପରାମର୍ଶରେ ମନ୍ତୀମଣ୍ଡଳରେ ଅଦଳବଦଳ କରିପାରନ୍ତି ନବୀନ

16

କନକ ବ୍ୟୁରୋ : ବିଧାନସଭା ସରିଲା । ହେଲେ ଏବେ ଚିନ୍ତାରେ କିଛି ମନ୍ତ୍ରୀ । କାରଣ ପଂଚାୟତ ନିର୍ବାଚନ ଫଳାଫଳ ହିଁ ନୂଆ ମନ୍ତ୍ରିମଣ୍ଡଳରେ ସେମାନଙ୍କ ସ୍ଥାନ ନିର୍ଦ୍ଧାରଣ କରିବ । ସେପଟେ ନବୀନ ବି ମନ୍ତ୍ରିମଣ୍ଡଳ ନବକଳେବରର ସଙ୍କେତ ଦେଇ ସାରିଛନ୍ତି । ଏସବୁ ଭିତରେ ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ବିଜେଡି ରାଜନୀତିରେ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି, ଗୀତାଙ୍କ ପରାମର୍ଶରେ ନବୀନ କରିବେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ । ଅର୍ଥାତ୍ ଗୀତାଙ୍କ ଇଚ୍ଛା ଅନୁସାରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ନୂଆ ନେତା ।

ଦେବୀ ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେନ୍ଦ୍ର ବେହେରାଙ୍କ ପରି କ୍ୟାବିନେଟ ମନ୍ତ୍ରୀଙ୍କ ଭାଗ୍ୟ ଏବେ ସୂତା ଖିଅରେ । ପଂଚାୟତ ବିପର୍ଯ୍ୟୟ ପାଇଁ ଏମାନେ ନବୀନଙ୍କ ନୂଆ ଟିମରେ ସାମିଲ ହେବେ କି ନାହିଁ, ସେ ନେଇ ଜାରି ରହିଛି ସସପେନ୍ସ । ନବୀନଙ୍କ ବଡ ଭଉଣୀ ତଥା ପରାମର୍ଶଦାତା ଏବେ ନବୀନ ନିବାସ ଆସିଥିଲେ । ନେତା ମନ୍ତ୍ରୀ ବି ଯାଇ ଗୀତାଙ୍କୁ ଭେଟିଥିବା ଖବର ମିଳୁଛି । ଯେଉଁଥି ପାଇଁ ଚର୍ଚ୍ଚା ହେଉଛି ଯେ ନୂଆ ମନ୍ତ୍ରିମଣ୍ଡଳରେ ଗୀତାଙ୍କ ରହିବ ପ୍ରମୁଖ ଭୂମିକା । କାରଣ ତାଙ୍କ ପରାମର୍ଶରେ ମନ୍ତ୍ରିମଣ୍ଡଳର ହୋଇ ପାରେ ନବକଳେବର ।

ଅନ୍ୟପଟେ ଗୀତାଙ୍କ ଚାଣକ୍ୟ ଭୂମିକା ନେଇ ବି ଏବେ ଚର୍ଚ୍ଚା ଜୋର୍ । ହୁଏତ ରାଜ୍ୟସଭା ଯାଇ ଦିଲ୍ଲୀରୁ ଦଳ ସମ୍ଭାଳିବେ ନ ହେଲେ ରାଜ୍ୟ ରାଜନୀତିରେ ପ୍ରତ୍ୟକ୍ଷ ଭାବେ ଯୋଗ ଦେବେ । ବିଜୁ ପଟ୍ଟନାୟକଙ୍କ ଝିଅ ହୋଇଥିବାରୁ ସକ୍ରିୟ ରାଜନୀତିରେ ଗୀତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଦଳୀୟ ନେତା କହିଛନ୍ତି । ନବୀନଙ୍କ ପରି ଗୀତାଙ୍କ ନେତୃତ୍ୱକୁ ସ୍ୱାଗତ କରାଯିବ ବୋଲି ସେମାନଙ୍କ ମତ ।

ଗତ କିଛି ଦିନ ମଧ୍ୟରେ ଗୀତା ବାରମ୍ବାର ଭୁବନେଶ୍ୱର ଆସୁଛନ୍ତି । ଆଉ ସମୟ ଏପରି ଯେ ତୃଣମୂଳ ସ୍ତରରୁ ବିଜେଡି ଦୁର୍ବଳ ହେଉଛି ଓ ଦଳୀୟ ନେତା ପରସ୍ପର ଭିତରେ ବିଶୋଦଗାର ଆରମ୍ଭ କଲେଣି । ସଚିବାଳୟରେ କେଉଁ ମନ୍ତ୍ରୀ ବସି ନିଜ ଅଂଚଳକୁ ବି ସମ୍ଭାଳି ପାରିବ, ସେ ନେଇ ଗୀତାଙ୍କ ଜ୍ଞାନ ନବୀନଙ୍କ ମନ୍ତ୍ରିମଣ୍ଡଳ ପାଇଁ ଗୁରୁ ମନ୍ତ୍ର ହୋଇପାରେ ।