ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଗୁପ୍ତରେ ଜିଲ୍ଲା ଗସ୍ତ କର, ବାହାରେ ନୁହେଁ ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କର।

1,084

କନକ ବ୍ୟୁରୋ :  ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।  ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥାଶ୍ରମର ସ୍ଥିତି ପରଖନ୍ତୁ । ଏହାଛଡା ସ୍କୁଲ ଓ ଆହାରକେନ୍ଦ୍ର ମଧ୍ୟାହ୍ନ ଭୋଜନ ଖାଇବା ସହ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରନ୍ତୁ । ଆଉ ଏଥିପାଇଁ ବିଭିନ୍ନ ସ୍କୁଲ, ଅନାଥାଶ୍ରମ ଓ ଆହାରକେନ୍ଦ୍ରକୁ ଅଚାନକ ଗସ୍ତ କରନ୍ତୁ ମନ୍ତ୍ରୀ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଭଳି ଅଚାନକ ଗସ୍ତ କରି ମଧ୍ୟାହ୍ନ ଭୋଜନ କରିବା ଦ୍ୱାରା ଉକ୍ତ ଅନୁଷ୍ଠାନ ଗୁଡିକର ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ ମନ୍ତ୍ରୀ । ଯାହାଦ୍ୱାରା ଉକ୍ତ ଅନୁଷ୍ଠାନ ଗୁଡିକର ଅଧିକ ଆବଶ୍ୟକତା କଣ ଓ ପରିଚାଳନାରେ କଣ ତ୍ରୁଟି ରହୁଛି ତାହା ସହଜରେ ଜଣାପଡିବ । ତେବେ ଏଭଳି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବାକୁ କୁହାଯାଇଛି । ୩-୪ ଜଣରୁ ଯେପରି ଅଧିକ ଲୋକ ଏହି ଗୁପ୍ତ କାର୍ଯ୍ୟକ୍ରମରେ ଯେପରି ସାମିଲ ନ ହୁଅନ୍ତି ସେଥିପାଇଁ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅଚାନକ ଗସ୍ତ ସମ୍ପର୍କରେ ଟିକିନିକି ତଥ୍ୟ ମାସିକିଆ ରିପୋର୍ଟରେ ଉଲ୍ଲେଖ ରଖିବାକୁ ମନ୍ତ୍ରୀ ମାନଙ୍କୁ କୁହାଯାଇଛି ।  ଏହାଛଡା ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।କେବଳ ମନ୍ତ୍ରୀ ନୁହଁନ୍ତି ଅଫିସର ମାନେ ମଧ୍ୟ ଜିଲ୍ଲା ଗସ୍ତ ସମୟରେ ମଧ୍ୟାହ୍ନ ଭୋଜନ ଖାଇବା ସହ ବିଭିନ୍ନ ସ୍କୁଲ ଓ ଅନାଥାଶ୍ରମ ବୁଲି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।