ପାକିସ୍ତାନରେ ପେଟ୍ରୋଲ ଡିଜେଲକୁ ଟପିଲା କ୍ଷୀର ଦର । ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛି କ୍ଷୀର ।

281

କନକ ବ୍ୟୁରୋ : ରାତି ପାହିଲେ ଆପଣ କ୍ଷୀର ଦୋକାନରେ ପହଂଚି ଯାଆନ୍ତି । କାରଣ ସକାଳୁ ସକାଳୁ ଚା ପିଇବା ଆମ ଭିତରୁ ଅନେକଙ୍କ ନିତିଦିନିଆ ଅଭ୍ୟାସ । ଛୋଟ ପିଲା, ବୟସ୍କ ଓ ରୋଗୀଙ୍କ ପାଇଁ ମଧ୍ୟ କ୍ଷୀର ଏକ ନିତିଦିନିଆ ଖାଦ୍ୟାଭ୍ୟାସ । ଏକଥା କହିବାର କାରଣ ହେଉଛି ଗୋଟିଏ ଲିଟର ବା ଗୋଟିଏ ପ୍ୟାକେଟ ଖୀର ଆପଣ ସର୍ବାଧିକ କେତେ ଟଙ୍କା ଦେଇ କିଣିପାରିବେ ? କ୍ଷୀର ବ୍ୟବସାୟୀ କୁହନ୍ତୁ ବା କ୍ଷୀର ପ୍ରସ୍ତୁତକାରୀ କମ୍ପାନି ନିୟମିତ ବ୍ୟବଧାନରେ ଲିଟର ପିଛା ୨ ଟଙ୍କା ଦର ବଢାଉଥିବାବେଳେ ଆମକୁ ଏହା ଖୁବ ବାଧିଥାଏ । ବିଭିନ୍ନ ସମୟରେ ଏନେଇ ଆମେ ତୀବ୍ର ଅସନ୍ତୋଷ ମଧ୍ୟ ଜାହିର କରିଆସିଛୁ ।

ହେଲେ ଥରେ ଚିନ୍ତା କରନ୍ତୁ ଯଦି କ୍ଷୀର ଦର ୧୦୦ଟଙ୍କାରୁ ଅଧିକ ହୁଏ । ଖୀର ଦର ଶୁଣି ଆପଣଙ୍କ ମୁଣ୍ଡ ଘୁରାଇ ଦେବଣି । ବିଶ୍ୱାସ ନହେଲେ ବି ଆମ ପଡୋଶୀ ଅର୍ଥାତ ପାକିସ୍ତାନରେ କ୍ଷୀର ଦର ଏବେ ଲିଟର ପିଛା ୧୪୦ ଟଙ୍କା । ମହରମ ଅବସରରେ ପାକିସ୍ତାନର କରାଚି ଓ ସିନ୍ଧ ସହରରେ କ୍ଷୀର ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହେଉଥିବା ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

– ସାଧାରଣ ଦିନ ମାନଙ୍କରେ କ୍ଷୀର ଦର ପାକିସ୍ତାନରେ ୯୪ ଟଙ୍କା
– ଲିଟର ପିଛା କ୍ଷୀର ୯୪ ଟଙ୍କାରେ ବିକିବାକୁ ସରକାରୀ ଦର ଧାର୍ଯ୍ୟ
– ମହରମ ଅବସରେ କ୍ଷୀରର ଚାହିଦା ବଢିଯାଇଥିବା ଜଣାପଡିଛି
– ତେଣୁ କରାଚି ଓ ସିନ୍ଧ ସହରରେ କ୍ଷୀର ୧୪୦ ଟଙ୍କାରେ ବିକ୍ରି ହେଇଛି

କୁହାଯାଉଛି ପାକିସ୍ତାନ ତାର ଦୈନନ୍ଦିନ କ୍ଷୀର ଆବଶ୍ୟକତା ପୂରଣ କରିବାକୁ ଅଧିକାଂଶ ସମୟରେ ଭାରତ ଉପରେ ହିଁ ନିର୍ଭର କରିଥାଏ । ହେଲେ କାଶ୍ମୀର ହତାଶାରେ ଭାରତ ସହ କୌଣସି ପ୍ରକାର ବ୍ୟବସାୟିକ ସଂପର୍କ ରଖିବାକୁ ଚାହୁଁନାହାନ୍ତି ପାକିସ୍ତାନ ସରକାର । ଯାହାର ପ୍ରଭାବ କ୍ଷୀର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଉପରେ ପଡିଛି ।

ମୁସଲମାନଙ୍କ ଏକ ବଡ ପର୍ବ ମହରମ ସମୟରେ ସାହି ସାହିରୁ ବାହାରିଥାଏ ତାଜିଆ ଶୋଭାଯାତ୍ରା । ଏହି ତାଜିଆ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁଙ୍କୁ କ୍ଷୀର, ଜୁସ୍ ଓ ଅନ୍ୟ ମୃଦୁ ପାନୀୟ ପରସିବାର ପରମ୍ପରା ରହିଆସିଛି । ଆଉ ସେଥିପାଇଁ କରାଚି ଓ ସିନ୍ଧ ସହରରେ ଏକାଧିକ କ୍ଷୀର ଷ୍ଟଲ ଖୋଲାଯାଇଥିଲା । ହେଲେ ଏଠାରେ ଗୋଟିଏ ଲିଟର ପିଛା କ୍ଷୀର ୧୪୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ହେଲେ କଥା ହେଉଛି ପାକିସ୍ତାନରେ ଗୋଟିଏ ଲିଟର କ୍ଷୀରର ଦର ଗୋଟିଏ ଲିଟର ପେଟ୍ରୋଲ ଦରଠାରୁ ଅଧିକ ରହିଛି ।

ପାକିସ୍ତାନ : 

ଗୋଟିଏ ଲିଟର କ୍ଷୀର                                   ଗୋଟିଏ ଲିଟର ପେଟ୍ରୋଲ                           ଗୋଟିଏ ଲିଟର ଡିଜେଲ
୧୪୦ ଟଙ୍କା                                                   ୧୧୩ ଟଙ୍କା                                               ୯୧ ଟଙ୍କା

ପାକିସ୍ତାନ ତାର ଅଧିକାଂଶ ଆବଶ୍ୟକତା ପାଇଁ ଭାରତ ଉପରେ ନିର୍ଭର କରେ । ପନିପରିବା, ପିଆଜ ଓ କ୍ଷୀର ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଭାରତରୁ ହିଁ ପାକିସ୍ତାନକୁ ବେଶି ପରିମାଣରେ ରପ୍ତାନୀ ହୋଇଥାଏ । ହେଲେ ଭାରତଠାରୁ ବ୍ୟବସାୟିକ ସଂପର୍କ ଛିନ୍ନ କରି ଏକପ୍ରକାର ଆତ୍ମଘାତୀ ପଦକ୍ଷେପ ନେଇଛି ପାକିସ୍ତାନ । ମୁଦ୍ରାସ୍ଫୀତି ଓ ଦରଦାମ ବୃଦ୍ଧି ଭଳି ସମସ୍ୟା ସହ ଜୁଝୁଥିବା ପାକିସ୍ତାନବାସୀଙ୍କୁ ବୋଝ ଉପରେ ନଳିତା ବିଡା ଭଳି ହୋଇଛି ଖୀର ଦର ।

ଥରେ ଭାବନ୍ତୁ ପେଟ୍ରୋଲ, ଡିଜେଲ ଦର ମହଙ୍ଗା ହେଲେ ଆପଣ ବିନା ଗାଡିରେ ଯିବା ଆସିବା କରିବା କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବା କଥା ଚିନ୍ତା କରିପାରନ୍ତି । କାନ୍ତୁ ରାତି ପାହିଲେ ଦରକାର ହେଉଥିବା କ୍ଷୀର ଦର ଯଦି ୧୦୦ ପାର କରିଯିବ, ତାହାହେଲେ ଆପଣ ନିଜ ଛୁଆକୁ ଖୀର ନଦେଇ ରଖି ପାରିବେ କି ?

ଜାମ୍ମୁ-କାଶ୍ମୀର ପାଇଁ ଭାରତ ସରକାର ନେଇଥିବା ପଦକ୍ଷେପକୁ ବିରୋଧ କରି ପରମାଣୁ ଯୁଦ୍ଧର ଧମକ ଦେଉଛି ପାକିସ୍ତାନ । ହେଲେ ନିଜ ଲୋକଙ୍କ କ୍ଷୀରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଗୋଟିଏ ଦେଶ ପାଖରେ ସାମର୍ଥ୍ୟ ନାହିଁ । ଅଥଚ ସେହି ଦେଶର ନେତାମାନେ ଭାରତର ଚନ୍ଦ୍ରଯାନ ମିଶନକୁ ନେଇ ଟିକାଟିପ୍ପଣୀ କରୁଛନ୍ତି ।