ଆମ ଘର ଆହୁରି ଦୂର… ତାଲାବନ୍ଦ ବେଳେ ଜାରି ରହିଛି ଦାଦନ ଶ୍ରମିକଙ୍କ ପଦଯାତ୍ରା । ହାଇଦ୍ରାବାରୁ ସିଲିଗୁଡି ପାଦରେ ଚାଲିଚାଲି ଯିବାକୁ ବାହାରିଛନ୍ତି ଶ୍ରମିକ । ହେଲେ ୮ ଦିନ ୭ ରାତି ଚାଲିବା ପରେ ବି ସରିନି ବାଟ…

296

କନକ ବ୍ୟୁରୋ: ଏଠି ଶହେ କି ଦୁଇ ଶହ ନୁହେଁ ହଜାର ହାଜର କିଲୋମିଟରର ପଦଯାତ୍ରା । ଦାଦନ ଶ୍ରମିକଙ୍କୁ ଯାତନା ଦେଉଛି କରୋନା କଟକଣା । ତାଲାବନ୍ଦ ଯୋଗୁଁ କାମ ଧନ୍ଦା ବନ୍ଦ ହୋଇଯିବା ପରେ ଘର ମୁହାଁ ଶ୍ରମିକ । ଗାଡି ଘୋଡା ଚାଲୁନି କି ଭଡା ଗାଡି କରି ଘରକୁ ଫେରିବା ପାଇଁ ଶ୍ରମିକଙ୍କ ପାଖରେ ସମ୍ବଳ ନାହିଁ । ତେଣୁ ପଦଯାତ୍ରାକୁ ଶ୍ରେୟ ମଣିଛନ୍ତି ଏମାନେ । ଆଉ ଦାଦନ ଶ୍ରମିକଙ୍କ ଏହି ପଦଯାତ୍ରାକୁ ଦେଖିଲେ ପିଲାଦିନେ ପଢିଥିବା ଜବାହାର ନେହୁରୁଙ୍କ ଗୋଟିଏ ଉକ୍ତି ମନେପଡେ । “ଆଗରେ ପଡିଛି ପଥ ବହୁଦୁର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନପଡିବି ଥକି ମୁଦିବା ଆଗରୁ ଆଖି ।” ଏହି ଉକ୍ତିକୁ ଯେମିତି ଏବେ ଶ୍ରମିକମାନେ ନିଜର ବ୍ରତ କରି ନେଇଛନ୍ତି ।

ପ୍ରତ୍ୟେକ ଦିନ ଜାତୀୟ ରାଜପଥରେ ଶହଶହ ଶ୍ରମିକ ହାତରେ ଜରୁରୀ ସାମଗ୍ରୀ ଧରି ଚାଲୁଛନ୍ତି ଯେ ଚାଲୁଛନ୍ତି । ଏଥର କିନ୍ତୁ ଯେଉଁ ଶ୍ରମିକମାନଙ୍କ କଥା ଆମେ କହୁଛୁ, ସେମାନେ ୧୦୦ କି ୨୦୦ କିଲୋମିଟର ନୁହେଁ ପାଦରେ ଚାଲିଚାଲି ୨୨ଶହ କିଲୋମିଟର ରାସ୍ତା ଯିବାକୁ ବାହାରିଛନ୍ତି । କେନ୍ଦୁଝର ସହର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଚାଲୁଥିବା ଶ୍ରମିକମାନେ ହାଇଦ୍ରାବାଦରୁ ସିଲିଗୁଡି ଅଭିମୁଖେ ଯାତ୍ରା କରୁଛନ୍ତି । ଏବେ ଯାଏଁ ୭ ରାତି ୮ ଦିନ ଚାଲି ସାରିଲେଣି । ଏବେ ବି ଘର ଆହୁରି ଅନେକ ଦୂର ।

ଚାଲି ଚାଲି ଶ୍ରମିକଙ୍କ ପାଦ ଥକି ଯାଇଛି, ହେଲେ ବାଟ ସରୁନି । ତଥାପି ଆଗକୁ ଆଗକୁ ପାଦକାଢି ଚାଲୁଛନ୍ତି ଦାଦନ ଶ୍ରମିକ । ମହାମାରୀ କରୋନାର ଏଭଳି କଠିନ ସମୟରେ ଭିଟାମାଟିର ମୋହ ଆଉ ପେଟରେ ଭୋକ ଜ୍ୱାଳା ଏମାନଙ୍କୁ ଏମିତି ଚାଲିବା ପାଇଁ ବାଧ୍ୟ କରୁଛି । ୧୨ ଜଣ ଶ୍ରମିକ ହାଇଦ୍ରାବାଦରୁ ସିଲିଗୁଡି ଦିର୍ଘ ୨୨୦୦ କି.ମି ଯାତ୍ରାରେ ବାହାରି ଥିବା ବେଳେ ଆଉ କିଛି ଶ୍ରମିକ ହାଇଦ୍ରବାଦରୁ ଖଡଗପୁର ଦିର୍ଘ ୧୬୦୦ କି.ମି ଯାତ୍ରରେ ବହାରିଛନ୍ତି ।