ମାଟି ଉପରେ ଭାତଡାଲମାକୁ ଭାରି ଆନନ୍ଦରେ ଖାଉଛି କୁନି ଝିଅ । କ୍ୱାରେଣ୍ଟିନ କେନ୍ଦ୍ରରେ ଅଣ୍ଡା ତରକାରୀ ଆଡ଼େଇ ଦେଉଛନ୍ତି ଅମାନିଆ । ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟରୁ ଖୁଣ ବାହାର କରୁଥିବା ଅମାନିଆ ଥରେ ଧୂଳିରେ ବସି ଖୁସିରେ ଖାଉଥିବା କୁନି ଝିଅକୁ ଦେଖନ୍ତୁ, ଖାଦ୍ୟର ମୂଲ୍ୟ ବୁଝନ୍ତୁ…

839

କନକ ବ୍ୟୁରୋ: ନା ହାତରେ ଚାମୁଚ, ନା ବସିବାକୁ ଅଛି ସଫାସୁତୁରା ଚଟି । ପେପର ଥାଳିରେ ଫାଳେ ରୁଟିକୁ ଫେଣ୍ଟାଫେଣ୍ଟି ଭାତ ତରକାରୀ ଆଉ ତା ସାଙ୍ଗ ଦୁଇଟା ପାଣିପାଉଚ । ଆଉ ଜଣେ ଶ୍ରମିକ ଛୁଆ ପାଇଁ ହୁଏତ ଏହି ଥାଳି ଫାଇଭ୍-ଷ୍ଟାର୍ ହୋଟେଲର ପ୍ଲେଟ୍ ଠାରୁ କମ୍ ନୁହେଁ । ତାଲାବନ୍ଦ ସମୟରେ ସୋସିଆଲ ମିଡ଼ିଆରେ ସଲାମ୍ ସାଉଣ୍ଟୁଥିବା ଏହି ଫଟୋଟି କହୁଛି ଅନେକ କାହାଣୀ ।

ମୁଁ ଜନ୍ମ ହୋଇଛି ମାଟିରେ
ମୁଁ ବଢୁଛି ବି ମାଟିର ପିଠିରେ
ଧୂଳିରେ ଖେଳୁଛି ଧୂଳିରେ ଖାଉଛି
ଖାଦ୍ୟକୁ ଘୃଣା କରିବି କାହିଁରେ…

ସାନିଟାଇଜର କି ମାସ୍କ କ’ଣ ଜାଣିନି, କାରଣ ଜନ୍ମ ହେବା ପରଠୁ ମାଟିର ପିଠିରେ ବସି ବସି ବଡ଼ ହେଉଛି । ସେଥିପାଇଁ ତ ତଳେ ବସି ଥାଳିରେ ଯାହା କିଛି ଅଛି ସେଥିରୁ ଗୁଣ୍ଡେ ଖାଇ ମୁହଁରେ ମୁରୁକି ହସୁଛି କୁନି ଝିଅ । ବୟସ ବହୁତ ସାନ, ଖାଦ୍ୟ ମାନ କି ଖୁଣ କ’ଣ ଜାଣିନଥିବା ଏହି କୁନି ଝିଅର ଫଟୋ ଏବେ ମୋବାଇଲରୁ ମୋବାଇଲରୁ ଘୁରିବୁଲୁଛି ।

ଗୋଟିଏ ପଟେ ପ୍ଲେଟରେ ଥିବା ଫେଣ୍ଟାଫେଣ୍ଟି ଖାଦ୍ୟକୁ ଖୁସିରେ ଖାଉଛି କୁନି ଝିଅ ଆଉ ଏପଟେ ଅନ୍ନକୁ ଅନାଦାର କରୁଥିବା ଆମାନିଆ । ଦୁଇଟି ଭିନ୍ନ ଭିନ୍ନ ଚିତ୍ର ହେଲେ ମଧ୍ୟ, ଖାଦ୍ୟର ମୂଲ୍ୟକୁ ବେଶ୍ ଭଲ କରି ବୁଝିଛି ନୂଆ ଜୀବନ । ହେଲେ ସଙ୍କଟ ସମୟରେ କ୍ୱାରେଣ୍ଟିନ୍ କେନ୍ଦ୍ରରେ ଥିବା ଅମାନିଆ ପ୍ରବାସୀଙ୍କ ଖାଦ୍ୟରୁ ଖୁଣ ବାହାର କରିବା ଗୁଣରେ ପଡୁନି ପୂର୍ଣ୍ଣଛେଦ ।

ଗତକାଲି ନବରଙ୍ଗପୁରର କ୍ୱାରେଣ୍ଟିନ କେନ୍ଦ୍ରରୁ ଆସିଥିବା ଭିଡ଼ିଓ ଅମାନିଆଙ୍କ ଖାଇବାରୁ ଖୁଣ ବାହାର କରିବା ସତ ସାମ୍ନାକୁ ଆଣିଛି । ଅମାନିଆଙ୍କୁ ଅଣ୍ଡା ତରକାରୀ ଡାଲମା ରୁଚିଲାନି, କାରଣ ଥାଳିରେ ନଥିଲା ଚିକେନ୍ ତରକାରୀ । ତେବେ ଯେଉଁଠି ଚିକେନ୍ ନହେଲେ ଅମାନିଆଙ୍କ ପେଟକୁ ଭାତ ଯାଉନି ସେଠି କ୍ୟାମେରାରେ କଏଦ ହୋଇଥିବା କଅଁଳ କଢ଼ିର ଅକୁହା ଫଟୋ ବୋଧ୍ ହୁଏ ଅମାନିଆଙ୍କ ଆଖି ଖୋଲିଦେବ । ଆଉ ଖାଦ୍ୟର ମୂଲ୍ୟ କ’ଣ ହୁଏତ ବୁଝାଇ ଦେବ ।