ଭୂତ ଖାଉଛି ମଧ୍ୟାହ୍ନ ଭୋଜନ । ଉପସ୍ଥାନ ଠାରୁ ଅଧିକ ପିଲାଙ୍କ ପାଇଁ ହେଉଛି ରୋଷେଇ । ସୁନ୍ଦରଗଡରୁ ସାମ୍ନାକୁ ଆସିଲା ମଧ୍ୟାହ୍ନ ଭୋଜନର ସାଂଘାତିକ ସତ । 

624

କନକ ବ୍ୟୁରୋ : ଭୂତ ଖାଉଛି ମଧ୍ୟାହ୍ନ ଭୋଜନ । ଉପସ୍ଥାନ ଠାରୁ ଅଧିକ ପିଲାଙ୍କ ପାଇଁ ହେଉଛି ରୋଷେଇ । ସ୍କୁଲ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତ ସତ୍ୱେ କାଗଜ ପତ୍ରରେ ଫୁଲ ଉପସ୍ଥାନ ଦର୍ଶାଇ ରୋଷେଇ ହେଉଛି ମଧ୍ୟାହ୍ନ ଭୋଜନ । ଏମିତି କରି ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲାରୁ । ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହାର ସତ ଜାଣିବା ପାଇଁ ଆମ ପ୍ରତିନିଧି କୁଆଁରମୁଣ୍ଡା ଓ ନୂଆଗାଁର ଭିନ୍ନ ଭିନ୍ନ ବିଦ୍ୟାଳୟର ସ୍ଥିତି ପରଖିଛନ୍ତି ।

ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଉପସ୍ଥାନ ଖାତାରେ ଅଛି ୧୧୨ । ଆଉ ଗୋଟିଏ ସ୍କୁଲରେ ମଧ୍ୟ ସମାନ କେଳେଙ୍କାରୀ ସାମ୍ନାକୁ ଆସିଛି । ସ୍କୁଲରେ ୧୧୦ ଜଣ ପିଲା ଉପସ୍ଥିତ ଥିବା ବେଳେ ଉପସ୍ଥାନ ଖାତାରେ ଦର୍ଶାଯାଇଛି ୨୦୯ । ଭୂତ ଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା କଥା ସାମ୍ନାକୁ ଆସିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମେରା ଆଗରୁ ଖସି ଯିବା ପାଇଁ ଚେଷ୍ଟା କରିଛନ୍ତି । ଆଉ ଗୋଟିଏ ବଡ କଥା ହେଉଛି, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଭାତ ଆଉ ଲାଉ ଡାଲମା ପ୍ରସ୍ତୁତ ହେଉଥିବା ବେଳେ ସ୍କୁଲ ତଦାରଖ ପାଇଁ ଆସୁଥିବା ଅଧିକାରୀ ଓ ଶିକ୍ଷକଙ୍କ ପାଇଁ ରୋଷେଇ ହେଉଛି ସୁସ୍ୱାଦୁ ବ୍ୟଂଜନ । ଯାହା ଆମ କ୍ୟାମେରାରେ କଏଦ ହୋଇଛି ।

ମଧ୍ୟାହ୍ନ ଭୋଜନରେ ଏଭଳି ଘୋଟାଲା ସାମ୍ନାକୁ ଆସିବା ପରେ ଏବାବଦରେ ଅଧିକ ତଥ୍ୟ ପାଇଁ କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ । ସେପଟେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ କହିଛନ୍ତି ସବୁ ଚାଲିଛି ଉପରିସ୍ଥ ଅଧିକାରୀଙ୍କ ସଲାସୁତରାରେ ।