କୋଲକାତାବାସୀଙ୍କୁ କେନ୍ଦ୍ରର ଭାଲେଣ୍ଟାଇନ ଗିଫ୍ଟ ! ପାଣି ଭିତରେ ଚାଲିଲା ମେଟ୍ରୋ ଟ୍ରେନ । ଦେଶରେ ପ୍ରଥମ ଥର ପାଇଁ ସୁଡଙ୍ଗ ଭିତରେ ଟ୍ରେନ ସେବା ପାଇବେ ପଶ୍ଚିମବଙ୍ଗବାସୀ

835

କନକ ବ୍ୟୁରୋ: ପାଣିରେ ଚାଲିଲା ଟ୍ରେନ । ଦେଶରେ ପ୍ରଥମ ଥର ପାଇଁ ପାଣି ତଳେ ଚାଲିଲା ମେଟ୍ରୋ ଟ୍ରେନ୍ । ଭରା ପାଣି ଭିତରେ ନିର୍ମିତ ସୁଡଙ୍ଗରେ ଏହି ଟ୍ରେନ ସେବା ଉପଲବ୍ଧ ହେଲା । କୋଲକାତାରେ ଦେଶରେ ପ୍ରଥମ ଇଣ୍ଟ-ୱେଷ୍ଟ ମେଟ୍ରୋ ଟ୍ରେନ ପାଣି ଭିତରେ ଚାଲିଲା । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ଟ୍ରେନକୁ ଶୁଭାରମ୍ଭ କରିଥିବା ବେଳେ ଆଜି ଠାରୁ ଅର୍ଥାତ ଭାଲେଣ୍ଟାଇ ଡେରୁ କୋଲକାତାରେ ମେଟ୍ରୋ ଟ୍ରେନର ସୁବିଧା ପାଇବେ ସାଧାରଣ ଲୋକ ।

ତେବେ ପ୍ରଥମ ପର୍ଯ୍ୟାୟରେ ସଲ୍ଟ ଲେକ ସେକ୍ଟରରୁ ସଲ୍ଟ ଲେକ ଷ୍ଟାଡିୟମ ଯାଏଁ ଏହି ଟ୍ରେନ ଚାଲିବ । ୬ କୋଚ ବିଶିଷ୍ଟ ଏହି ଟ୍ରେନରେ ପାଖପାଖି ୨୧୦୦ ଯାତ୍ରୀ ଏକା ସାଙ୍ଗରେ ଯାତାୟାତ କରିପାରିବେ । ତାଛଡା ୯୦ ସେକେଣ୍ଡ ଅର୍ଥାତ ଦେଢ ଘଣ୍ଟା ଅନ୍ତରରେ ଟ୍ରେନଟି ଯାତାୟାତ କରିବ ।

ସବୁଠାରୁ ବଡକଥା ହେଉଛି ଏହି ଟ୍ରେନ ସେବା ଯାତ୍ରୀଙ୍କ ପାଇଁ ଦେଶର ସବୁଠୁ ଶସ୍ତା ମେଟ୍ରୋ ସେବା ହେବ । ଗୋଟିଏ ଷ୍ଟେସନରୁ ଆଉ ଏକ ଷ୍ଟେସନକୁ ଯାତ୍ରା କଲେ ଟିକଟ ବାବଦକୁ ମାତ୍ର ୫ ଟଙ୍କା ଦେବାକୁ ପଡିବ । ଷ୍ଟେସନ ଯଦି ୨ କିଲୋମିଟର ଭିତରେ ଥିବ ତେବେ ୫ ଟଙ୍କା ପଡିବ । ସେହିପରି ୫ କିଲୋମିଟରକୁ ୧୦ ଟଙ୍କା, ୧୦ କିଲୋମିଟରକୁ ୨୦ ଏବଂ ୧୬ କିଲୋମିଟରରୁ ଅଧିକ ହେଲେ ୩୦ ଟଙ୍କା ଦେବାକୁ ପଡିବ ।

ତେବେ ମେଟ୍ରୋ ସେବା ଦ୍ୱାରା ଯାତାୟାତରେ ଲୋକଙ୍କ ଅନେକ ସମୟ ବଞ୍ଚିଯିବ । ସଡକ ପଥରେ ଯେତେ ସମୟ ଲାଗୁଥିଲା ମେଟ୍ରୋରେ ତାହା ଅଧାରୁ ଅଧିକ କମିଯିବ ବୋଲି କୁହାଯାଉଛି । ସଡକ ପଥରେ ଯେଉଁଠି ପହଞ୍ଚିବାକୁ ଦେଢ ଘଣ୍ଟା ସମୟ ନିଏ ସେଠି ନଦୀ ପାର କରି ମାତ୍ର ୧୫ ମିନିଟରେ ପହଞ୍ଚି ହେବ । ପାଣି ଭିତରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଟ୍ରେନର କବାଟ ଏବଂ ଝରକାକୁ ନୂତନ ଜ୍ଞାନକୌଶଳରେ ତିଆରି କରାଯାଇଛି ଆଉ ଡିଟେକ୍ଟର ସିଷ୍ଟମ ବ୍ୟବହୃତ ହୋଇଛି ।

ସେପଟେ ସୁଡଙ୍ଗ ତିଆରି ପାଇଁ ରୁଷ ଏବଂ ଥାଇଲାଣ୍ଡର ବିଶେଷଜ୍ଞଙ୍କ ମତ ନିଆଯାଇଛି । ସୁଡଙ୍ଗ ଭିତରେ ଯେମିତି ପାଣି ନପଶେ ସେଥିପାଇଁ ୩ଟି ସ୍ରରର ମୋଟା କବଚ ବ୍ୟବହୃତ ହୋଇଛି । ତେବେ ୨୦୦୯ରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ୨୦୨୧ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାରେ ଲୋକେ ପାଣି ଭିତରେ ୧୨ କିଲୋମିଟରର ମଜା ଉଠାଇବାକୁ ଥିବା ବେଳେ ଆଗାମୀ ବର୍ଷକୁ ଏହାର ସବୁ ସୁବିଧା ପାଇବେ ।