ଓଡିଶାର ଉଷୁନା ଭାତକୁ ଚିକେନ ତରକାରୀ… ବାରବାଟୀରେ ଦେଶୀ ଖାଇବା ଖାଇବ ଟିମ୍ ଇଣ୍ଡିଆ । ଆସିଲା ଦୁଇ ଦେଶର ଖେଳାଳିଙ୍କ ଖାଦ୍ୟ ତାଲିକା

15,300

କନକ ବ୍ୟୁରୋ: ବାରବାଟୀ ମ୍ୟାଚକୁ ଆଉ ହାତରେ ମାତ୍ର ୧୦ ଦିନ ରହିଛି । ଗୋଟିଏ ପଟେ ଦିନ ଯେତେଯେତେ କମି କମି ଆସୁଛି କ୍ରିକେଟପ୍ରେମୀଙ୍କ ମନରେ ଉକ୍ରଣ୍ଠା, ଉତ୍ସାହ ସେତେସେତେ ବଢିବଢି ଚାଲୁଛି । ଅନ୍ୟପଟେ ମ୍ୟାଚ ପ୍ରସ୍ତୁତି ସହ ଖେଳାଳିଙ୍କ ରହିବା ଖାଇବା ବନ୍ଦୋବସ୍ତ ମଧ୍ୟ ଚୂଡାନ୍ତ ହେଉଛି ।

ତେବେ ୟାରି ଭିତରେ ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦଳର ଖାଦ୍ୟ ତାଲିକା ଓସିଏ ନିକଟରେ ପହଞ୍ଚିସାରିଛି। ତାଲିକା ଅନୁସାରେ ହୋଟେଲକୁ ରୋଷେଇ କରିବା ପାଇଁ ତାଲିକା ହସ୍ତାନ୍ତର କରାଯାଇଛି। ତେବେ ଉଭୟ ଦଳ କମ ଚର୍ବିଯୁକ୍ତ ଖାଦ୍ୟକୁ ଅଧିକ ପସନ୍ଦ କରିଛନ୍ତି। ଭାରତୀୟ ଖେଳାଳିଙ୍କ ପାଇଁ ବ୍ରେକଫାଷ୍ଟରେ ଟୋଷ୍ଟେଡ ବ୍ରେଡ, ଡ୍ରାଏ ଫ୍ରୁଟ୍ସ, କଟ ଫ୍ରୁଟ୍ସ, କ୍ଷୀର, ଦହି, ଜୁସ୍‌, ପଇଡ଼ ପାଣି, ସୁଗାର ଫ୍ରି ଜାମ, ଇଡଲି, ଦୋସା, ସମ୍ବର, ଚଟଣି, ଚା’, କଫି, ଅମଲେଟ ରହିବ।

ସେହିପରି ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ନାଲି ଉଷୁନା ଭାତ, ରୁଟି ସହ ଗ୍ରୀନ ସାଲାଡ, ସିଝା ଅଣ୍ଡା, ଗ୍ରୀଲଡ ଚିକେନ, ପନିର ଲବାବଦାର, ଚିକେନ ତରକାରି, ଗ୍ରୀଲଡ ମାଛ, ଡାଲି, ତଡକା, ଦିୱାନି ଦମ୍‌ କି ହାଣ୍ଡି, ସମ୍ବର, ପାମ୍ପଡ, ଆମ୍ବ ଆଚାର, ଦହି, ଆଭୋକାଡୋ ରାଇତା ଖାଇବା ପାଇଁ ତାଲିକା ଆସିଛି।

ୱେଷ୍ଟଇଣ୍ଡିଜ୍‌ ଦଳ ପାଇଁ ଅଭ୍ୟାସ ପୂର୍ବରୁ ପାଉଁରୁଟି, ରୋଲ, ବଟର, ପନିର, ସିଝା ଅଣ୍ଡା, ସାଲାଡ, ରୋଷ୍ଟେଡ୍‌ ଚିକେନ, କମ ଚର୍ବିଯୁକ୍ତ କ୍ଷୀର, ମହୁ, ଓଟ୍ସ, ବିଭିନ୍ନ ଫଳ, ଫଳ ରସ, ଚା’, କଫି ଇତ୍ୟାଦି ରହିବ। ଅଭ୍ୟାସ ପରେ ସେମାନେ ସୁଇଟ କର୍ଣ୍ଣ ସୁପ, ନାଲି ଉଷୁନା ଭାତ, ବାସୁମତି ଭାତ, ପାସ୍ତା ସହ ଗ୍ରିଲଡ ଚିକେନ, ରୋଷ୍ଟେଡ ଚିକେନ, ‌ବ୍ରକୋଲି, ଗାଜର, କୋବି, ଭେଣ୍ଡିରେ ପ୍ରସ୍ତୁତ ସାଧା ତରକାରି, ସାଲାଡ ଖାଇବେ।

ମ୍ୟାଚ୍‌ ଦିନ ମଧ୍ୟାହ୍ନ ଭୋଜନରେ ପାସ୍ତା, ନୁଡୁଲ୍ସ, ଚିକେନ, ମଟନ, ମାଛ, ସାଧା ଓ ଆମିଷ ସାଣ୍ଡୱିଚ୍, ଫଳ, ଚକୋଲେଟ୍‌ ଗାଜର କେକ୍‌ ଇତ୍ୟାଦି ରହିବ। ମ୍ୟାଚ୍‌ ପରେ ଖେଳାଳିମାନେ ଭାତ, ଚିକେନ ତରକାରି, ସାଧା ଭଜା ଖାଇବା ପାଇଁ ତାଲିକା ଆସିଛି।