ଇ-ବିଧାନସଭା ପାଇଁ ସରକାରୀ ସ୍ତରରେ ତତ୍ପରତା । ୪୭ ବିଧାୟକ ଦେଲେ ଲାପଟପର ଭାଉଚର । ଲକ୍ଷେ ଟଙ୍କା ଯାଏଁ ଲାପଟପ ବାବଦରେ ଦିଆଯିବ ଅର୍ଥ

ବିଧାନସଭାର ଇଂଟେରିୟର ଡିଜାଇନ ପାଇଁ ଦୁଇ ଦିନ ଭିତରେ ରିପୋର୍ଟ ଦେବ କମିଟ

675

କନକ ବ୍ୟୁରୋ: ଇ ବିଧାନସଭା ପାଇଁ ସରକାରୀ ସ୍ତରରେ ତତ୍ପରତା । ୪୭ ବିଧାୟକ ଦେଲେ ଲାପଟପର ଭାଉଚର । ବିଧାୟକଙ୍କୁ ୧ ଲକ୍ଷ ଟଙ୍କା ଯାଏଁ ଲାପଟାପ ବାବଦରେ ଅର୍ଥ ଦିଆଯିବ । ଅଧିକ ଟଙ୍କା ଦେଇ କିଣିବାକୁ ଚାହୁଁଥିବା ସଭ୍ୟ ନିଜ ପକେଟରୁ ଭରଣା କରିବେ । ୫ଟି ବ୍ରାଣ୍ଡର ଲାପଟପ କିଣିବାକୁ ଆଇଟି ବିଭାଗ ଅନୁମତି ଦେଇଛି । ବିଧାନସଭାର ଇଂଟେରିଅର ଡିଜାଇନ ପାଇଁ ଦୁଇ ଦିନ ଭିତରେ କମିଟି ଦେବ ରିପୋର୍ଟ । ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ।

ସେହିଭଳି ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ରହିବ । ଏଥିରେ କମିଟି ବୈଠକର ତାରିଖ ସହ ବିଧାନସଭାର ସମସ୍ତ ତଥ୍ୟ ମିଳିପାରିବ। ଅଧିବେଶନ ପୂର୍ବରୁ ବିଧାନସଭା ଆସି ବିଧାୟକମାନେ ଯେଭଳି ପ୍ରଶ୍ନ ଦାଖଲ କରୁଛନ୍ତି, ତାହା କରିବାକୁ ପଡ଼ିବ ନାହିଁ। ଆପ୍ ମାଧ୍ୟମରେ ପ୍ରଶ୍ନ ପଠାଇବେ ୬ ମାସ ଭିତରେ ନୂଆ ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଓଡ଼ିଶା ବିଧାନସଭା, ନ୍ୟାସନାଲ୍ ଇ-ବିଧାନ ଆପ୍ଲିକେସନରେ ସାମିଲ ହୋଇଛି। ଯେଉଁଥିରୁ ବିଲ୍, ଲିଷ୍ଟ ଅଫ୍ ବିଜନେସ୍, କମିଟି, ସଦସ୍ୟ, ପ୍ରଶ୍ନ-ଉତ୍ତର ଆଦି ବିଷୟରେ ଜାଣିହେବ। ଡିଜିଟାଲ୍ ଯୁଗରେ ଓଡ଼ିଶା ବିଧାନସଭାକୁ ପେପଲେସ୍ କରିବାକୁ ଚିନ୍ତା କରାଯାଉଛି। ତେଣୁ ଇ-ବିଧାସଭାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ବିଭିନ୍ନ ବୈଠକ ମଧ୍ୟ କରାଯାଉଛି ।