ମୋଦିଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର: ଚାଷ ଓ ଚାଷୀ ପ୍ରସଙ୍ଗରେ କଲେ ଆଲୋଚନା

ପରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କଲେ ଗୃହମନ୍ତ୍ରୀ ଅମିତ ଶାହା

297

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜ୍ୟରେ ନୂଆ ସରକାର ଗଠନ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସଂସଦ ଭବନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ । ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ହଟଚମଟ ଭିତରେ ଶରଦଙ୍କ ସାକ୍ଷାତ ବେଶ ଗରୁତ୍ୱପୁର୍ଣ୍ଣ ମନେ କରାଯାଉଛି । ମହାରାଷ୍ଟ୍ରରେ କୃଷି ପ୍ରସଙ୍ଗକୁ ନେଇ ମୋଦିଙ୍କ ସହ ଆଲୋଚନା କରିଛନ୍ତି ଶରଦ ପାୱାର । ତେବେ ଏହି ସାକ୍ଷାତ ପଛରେ କୃଷି ନା ଅନ୍ୟ ପ୍ରସଙ୍ଗ ରହିଛି ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।

ଦେଶର ଦୁଇ ବଡ ନେତାଙ୍କ ମଧ୍ୟରେ ପ୍ରାୟ ଅଧଘଂଟା ଧରି ସାକ୍ଷାତ ହୋଇଥିଲା । ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା ଉଦ୍ୟମ ଚଳାଇଥିବାବେଳେ ବିଜେପି ବି ଗୋଟି ଚାଳନା ଆରମ୍ଭ କରିଛି । ଶିବସେନା କଂଗ୍ରେସ ଓ ଏନସିପି ସମର୍ଥନରେ ସରକାର ଗଢିବାକୁ ଆଶା ରଖିଛି । ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଏନସିପିକୁ ପ୍ରଂଶସା କରିଥିଲେ । କୃଷି ସମସ୍ୟା ନେଇ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ ।