ଭାରତରେ ପୂଜା ପାଉଛନ୍ତି ଆମେରିକା ରାଷ୍ଟ୍ରପତି : ଡୋନାଲ୍ଡ ଟ୍ରମ୍ପଙ୍କ ୬ ଫୁଟ୍ ର ପ୍ରତିମୂର୍ତ୍ତିକୁ ପୂଜା କରୁଛନ୍ତି ପ୍ରଶଂସକ । 

275

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଟ୍ରମ୍ପଙ୍କ କାର୍ଯ୍ୟକଳାପ ତଥା ଲୋକପ୍ରିୟତା କିଛି ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ଅନ୍ୟ କିଛି ଟ୍ରମ୍ପଙ୍କୁ ଘୃଣା କରିଥାନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନିର୍ମାଣ କରିଛନ୍ତି ଟ୍ରମ୍ପଙ୍କ ଜଣେ ବଡ ପ୍ରସଂଶକ । କେବଳ ସେତିକି ନୁହେଁ , ସେ ପ୍ରତିଦିନ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତିକୁ ପୂଜା କରିଆସୁଛନ୍ତି ।

ପ୍ରସଂଶକ ଜଣଙ୍କ ହେଲେ ବୁସା କୃଷ୍ଣା । କୃଷ୍ଣା ତେଲେଙ୍ଗାନାରେ ବସବାସ କରନ୍ତି । ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭଗବାନ ମନେ କରନ୍ତି । ଆଉ ମାତ୍ର ୪ ଦିନ ପରେ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ବସୁ କୃଷ୍ଣା ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ସେ ଗତବର୍ଷ ନିଜ ଘରେ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମା ନିର୍ମାଣ କରିଥିଲେ । ସେହିଦିନଠାରୁ ସେ ଧୂପ, ଫୁଲ, ଚନ୍ଦନ ଦେଇ ପୂଜା କରିଆସୁଛନ୍ତି । କୃଷ୍ଣା କୁହନ୍ତି, “ମୁଁ ଚାହୁଁଛି କି ଭାରତ ଓ ଆମେରିକା ମଧ୍ୟରେ ଉତ୍ତମ ସଂପର୍କ ରହୁ । ଏହା ଅଧିକ ଶକ୍ତିଶାଳୀ ହେଲେ ଉଭୟ ଦେଶ ବିକଶିତ ହେବ । ସେ କହିଛନ୍ତି ଯେ, ଟ୍ରମ୍ପଙ୍କ ଦୀର୍ଘାୟୁ ପାଇଁ ଶୁକ୍ରବାର ବ୍ରତ ରଖିବି । ତାଙ୍କର ଏକ ଫଟୋ ମୋ ପାଖରେ ସବୁବେଳେ ରଖୁଛି । କୌଣସି କାମ ଆରମ୍ଭ କରିବା ପୂର୍ବରୁ ଏହି ଫଟୋକୁ ଦେଖିଥାଏ । ତେଣୁ ମୁଁ ତାଙ୍କୁ ଭେଟିବାକୁ ଚାହୁଁଛି । ମୁଁ ସରକାରଙ୍କୁ ନିବେଦନ କରୁଛି କି, ମୋର ସ୍ୱପ୍ନ ପୂରା କରିବାରେ ମୋତେ ସହାୟତା କରନ୍ତୁ ।“

ସୂଚନାଯୋଗ୍ୟ, ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ । ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି । ଦୁଇଦେଶ ମଧରେ ଉତ୍ତମ ସମ୍ପର୍କ ସ୍ଥାପନ ଦିଗରେ ଏହା ଏକ ମାଇଲଖୁଂଟ ସଦୃଶ ହେବ । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ତଥା ମେଲେନିୟା ଟ୍ରମ୍ପ ବି ଭାରତ ଗସ୍ତରେ ଆସିବେ ।