ଆସନ୍ତା ୧୫ ଦିନ ଭିତରେ ଭାରତ ବଜାରରେ ପଡିପାରେ ବଡ ପ୍ରଭାବ । ମହଙ୍ଗା ହେବ ସ୍ମାର୍ଟଫୋନ୍, ଅଭାବ ପଡିପାରେ ଔଷଧ ।

521

କନକ ବ୍ୟୁରୋ : ଚୀନ୍‌ରେ କରୋନା ଭାଇରସ୍ ଯୋଗୁ ମୋବାଇଲ ଉତ୍ପାଦନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଚୀନର କାରଖାନାରେ ଉତ୍ପାଦନ ବନ୍ଦ ରହିବା ଆଶଙ୍କା ରହିଛି । ଆଉ ଏହାର ପ୍ରଭାବ ଆସନ୍ତା ୧୫ ଦିନ ଭିତରେ ଭାରତ ବଜାରରେ ପଡ଼ିବାକୁ ଯାଉଛି । ଫଳରେ ଭାରତରେ ସ୍ମାର୍ଟଫୋନ୍ ଦର ୬ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ ‌ବୋଲି ଆଶଙ୍କା ପ୍ରକାଶ ପାଇଛି । ଫୋନ୍ ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନଙ୍କ କହିବାନୁଯାୟୀ, କମ୍‌ ଦାମିଆ ସ୍ମାର୍ଟଫୋନ୍ ଏବଂ ଫିଚର୍‌ ଫୋନ୍‌ ଦର ସବୁଠୁ ଅଧିକ ପ୍ରଭାବିତ ହେବ ।

ଫିଚର୍‌ ଫୋନ୍ ନିର୍ମାତା ମେଗ୍ ୟୁଏସ୍ ମୋବାଇଲ୍‌ର ମୁଖ୍ୟ ବିକ୍ରି ଅଧିକାରୀ ନିଖିଲ ଚୋପ୍ରା କହିଛନ୍ତି, ଭାରତରେ ଫିଚର ଫୋନ୍ ସବୁଠୁ ଅଧିକ ପ୍ରଭାବିତ ହେବ । ଫିଚର ଫୋନ ଦର ୧୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ ସ୍ମାର୍ଟଫୋନ୍ ଦର ୬ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ । ଆସନ୍ତା ୧୫ରୁ ୨୦ ଦିନ ଭିତରେ ଏହା ଦେଖିବାକୁ ମିଳିବ ବୋଲି ସେ ମତ ଦେଇଛି । ଚୀନରୁ ସମ୍ପୂର୍ଣ୍ଣ ନିର୍ମାଣ ହୋଇ ଆମଦାନି ହେଉଥିବା ଆପଲ୍ ଆଇଫୋନ୍ ଭଳି ଫୋନ ମୂଲ୍ୟ ଅଧିକ ବଢ଼ିଯିବ ବୋଲି କାନାଲିସର ଗବେଷକ ଅଦ୍ବୈତ ମାର୍ଡିକର୍ କହିଛନ୍ତି । କରୋନା ଭାଇରସ ବ୍ୟାପିବା କାରଣରୁ ଚୀନରେ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ତାହାର ପ୍ରଭାବ ଆସନ୍ତା ୬ ମାସ ପର୍ଯ୍ୟନ୍ତ କଳକାରଖାନା ଉପରେ ପଡ଼ିବ । ଚୀନରେ ଫୋନ ନିର୍ମାଣରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣର ଦର ବଢ଼ିଯାଇଛି । କେତେକ ଅରିଜିନାଲ ଇକ୍ବିପମେଣ୍ଟ ମ୍ୟାନୁଫାକଚର ଦର ବଢ଼ାଇ ସାରିଲେଣି । ଭାରତରେ ସବୁଠୁ ଅଧିକ ସ୍ମାର୍ଟଫୋନ ବିକ୍ରି କରୁଥିବା ସାଓମି ଗତ ସପ୍ତାହରେ ଏହାର ଲୋକପ୍ରିୟ ମଡେଲ ରେଡମି ‌ନୋଟ୍ ୮ର ଦର ବଢ଼ାଇ ସାରିଛି । ଗୁରଗାଓଁ ଭିତ୍ତିକ ସାମସଙ୍ଗର ଜଣେ ଡିଷ୍ଟ୍ରିବ୍ୟୁଟର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ମାର୍ଚ୍ଚ ବେଳକୁ ଫୋନ ମହଜୁଦ ଶେଷ ହୋଇଯିବ । ତେଣୁ ଏହାର ପ୍ରଭାବ ଦର ଉପରେ ପଡ଼ିବ ।

୧୫ ଦିନ ଭିତରେ ପଡ଼ିବ ପ୍ରଭାବ, ୬-୭% ପର୍ଯ୍ୟନ୍ତ ବଢ଼ିଯିବ ଦର
ବିଶ୍ବ ଅଭିବୃଦ୍ଧିକୁ ପ୍ରଭାବିତ କରିବ କରୋନା: ଆଇଏମ୍ଏଫ୍‌

ଦୁବାଇ: କରୋନା ଭାଇରସ ଯୋଗୁଁ ୨୦୨୦ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇପାରେ । ଏହା କହିଛନ୍ତି ଆଇଏମ୍‌ଏଫ୍ ଏମଡି କ୍ରିଷ୍ଟିଲିନା ଜର୍ଜିଏଭା । ଅଭିବୃଦ୍ଧି ୦.୧ ପ୍ରତିଶତରୁ ୦.୨ ପ୍ରତିଶତ ପର୍ଯ୍ୟନ୍ତ କମିପାରେ । କିନ୍ତୁ ଏହାପରେ ଅଭିବୃଦ୍ଧିରେ ଦ୍ରୁତ ସୁଧାର ଆସିବ ବୋଲି ସେ କହିଛନ୍ତି । ତେବେ ଏବେଠୁ ଏ ‌ନେଇ ଆକଳନ କରିବା ଆଗୁଆ ହୋଇଯିବ ବୋଲି ଦୁବାଇଠାରେ ଆୟୋଜିତ ବିଶ୍ବ ମହିଳା ଫୋରମ୍‌ରେ ଯୋଗଦେଇ ଆଇଏମ୍ଏଫ୍‌ ଏମ୍‌ଡି କହିଛନ୍ତି ।

ଔଷଧ ଅଭାବ ପଡ଼ିବ !
ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ୍ ଯୋଗୁ ଭାରତରେ କେବଳ ମୋବାଇଲ ଫୋନ୍ କିମ୍ବା ସୋଲାର୍‌ ପ୍ୟାନେଲ୍‌ର ଅଭାବ ଓ ମୂଲ୍ୟବୃଦ୍ଧି ଘଟିବ ନାହିଁ କେତେକ ଗୁରୁତ୍ବପୂର୍ଣ୍ଣ ଔ‌ଷଧର ଅଭାବ ସହିତ ମୂଲ୍ୟବୃଦ୍ଧିର ଆଶଙ୍କା ବି ରହିଛି । ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ସଂଘ ଫିକି ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାଯାଇଛି । ଭାରତରେ ବହୁଳଭାବେ ବ୍ୟବହୃତ ହେଉଥିବା ଔଷଧ ଯଥା ପାରାସିଟାମଲ, ଆଇବ୍ରୁଫେନ, କେତେକ ଆଣ୍ଟିବାୟୋଟିକ୍ ଏବଂ ମଧୁମେହ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ଅଭାବ ଦେଖାଦେବ । କରୋନା ଭାଇରସ୍ ପ୍ରଭାବରେ ଚୀନରୁ ଏସବୁ ଔଷଧ ପ୍ରସ୍ତୁତି ପାଇଁ ଆସୁଥିବା ଉପାଦାନ ଯୋଗାଣ ଯଦି ଦୁଇମାସରୁ ଅଧିକ ସମୟ ପ୍ରଭାବିତ ହେବ ତା’ହେଲେ ଭାରତରେ ଉପରୋକ୍ତ ସମସ୍ୟା ଉପୁଜିବ । କାରଣ ପ୍ରାୟ ଅଧିକାଂଶ ଔଷଧର ୭୦ ପ୍ରତିଶତ ଉପାଦାନ ଭାରତ ଚୀନରୁ ଆମଦାନି କରିଥାଏ । ଶିଳ୍ପଗୁଡ଼ିକର ମତାମତ ସଂଗ୍ରହ ପରେ ଫିକି ଏଭଳି ଆକଳନ କରିଛି । କେତେକ କ୍ଷେତ୍ରରେ ଭାରତୀୟ ଔଷଧ ନିର୍ମାତାଙ୍କ ନିକଟରେ ଦୁଇରୁ ତିନିମାସ ପର୍ଯ୍ୟନ୍ତ ଔଷଧ ନିର୍ମାଣ ପାଇଁ ଆବଶ୍ୟକ ଉପାଦାନ ମହଜୁଦ ରହିଛି । ତେଣୁ ତୁରନ୍ତ ଏହାର ଅସୁବିଧା ଦେଖାଯିବ ନାହିଁ । କିନ୍ତୁ ଯଦି ସମସ୍ୟା ଦୁଇମାସରୁ ଅଧିକ ସମୟ ଲାଗିରହେ ଏବଂ ଚୀନରେ କଳକାରଖାନା ଫେବ୍ରୁଆରି ପରେ ବି ବନ୍ଦ ରହେ ତା’ହେଲେ ଭାରତରେ ‌କେତେକ ଔଷଧର ଦାମ୍ ବଢ଼ଯିବ ବୋଲି କୁହାଯାଇଛି ।