ଗରିବ ପିଲାଙ୍କୁ ସ୍ୱପ୍ନ ପୂରଣ କରୁଛନ୍ତି ସଂଘମିତ୍ରା । ଡାକ୍ତର ପାଠ ପାଇଁ ଦେଉଛନ୍ତି ମାଗଣା କୋଚିଂ, ପ୍ରଥମ ବ୍ୟାଚରେ ୩୯ ଜଣ ଗରିବ ପିଲାଙ୍କୁ ବଡ ସଫଳତା ଦେଲେ ସଂଘମିତ୍ରା

50

କନକ ବ୍ୟୁରୋ : ଓଡିଶାର ଆନନ୍ଦ କୁମାର ସଂଘମିତ୍ରା ମହାପାତ୍ରଙ୍କ ପାଠଶାଳାକୁ ନେଇ ଏବେ ଚର୍ଚ୍ଚା । ନିଜସ୍ୱ ଉଦ୍ୟମରେ ସେ ତିଆରି କରିଛନ୍ତି ସେଂଟର ଫର ଏଜୁକେସନାଲ ଆଣ୍ଡ ସୋସିଆଲ ଡେଭଲପମେଂଟ ସଂସ୍ଥା । ଏହାରି ମାଧ୍ୟମରେ ସେ ମାଗଣାରେ ମେଡିକାଲ କୋଚିଂ ଦେଉଛନ୍ତି । ଗତବର୍ଷ ସଂଘମିତ୍ରାଙ୍କ ୩୯ଜଣ ଛାତ୍ରଛାତ୍ରୀ ନିଟ୍ ପ୍ରବେଶିକା ପରୀକ୍ଷାରେ ଉତୀଣ୍ଣ ହୋଇଥିବା ବେଳେ ଏ ବର୍ଷ ଅନେକ ଛାତ୍ର ମେଡିକାଲ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଏନଇଇଟିରେ ୧୦୦ ପ୍ରତିଶତ ସଫଳତା ପାଇଁ ପାଠଶାଲାର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ଟ୍ୱିଟ କରିବା ସହ ସଂଘମିତ୍ରା ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ପରେ ସାମ୍ନାକୁ ଆସିଗଲେ ଓଡିଶାର ଆନନ୍ଦ କୁମାର । ମେଧାବୀ କିନ୍ତୁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢାଇ ଆଇଆଇଟି ପ୍ରବେଶିକାରେ ଉତୀର୍ଣ୍ଣ କରାଉଥିବା ଅନନ୍ଦ କୁମାରଙ୍କ ନାଁ ଦେଶ, ବିଦେଶରେ ପରିଚିତ । ଆଉ ତାଙ୍କ ସଂସ୍ଥା ସୁପର ଥାର୍ଟିର ସଫଳତାକୁ ନେଇ ଯେତେବେଳେ ବଲିଉଡ ଫିଲ୍ମ ହେବାକୁ ଯାଉଛି । ଠିକ ସେତିକିବେଳେ ଓଡିଶାର ଆନନ୍ଦ କୁମାର ଭୁବନେଶ୍ୱରର ସଂଘମିତ୍ରା ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜସ୍ୱ ପ୍ରଚେଷ୍ଟାରେ ସେ ତିଆରି କରିଛନ୍ତି ସେଂଟର ଫର ଏଜୁକେସନାଲ ଆଣ୍ଡ ସୋସିଆଲ ଡେଭଲପମେଂଟ ସଂସ୍ଥା । ଆଉ ଦେଉଛନ୍ତି ମାଗଣାରେ ମେଡିକାଲ କୋଚିଂ ।

ଆନନ୍ଦ କୁମାରଙ୍କ ଭଳି ସଂଘମିତ୍ରାଙ୍କ ସଫଳତା ହାର ବି ଶହେ ରୁ ଶହେ । ଗତବର୍ଷ ପ୍ରଥମ ବ୍ୟାଚରେ ୩୯ଜଣ ଛାତ୍ରଛାତ୍ରୀ ତାଙ୍କ ସଂସ୍ଥାରେ ପାଠ ପଢି ନିଟ୍ କଟ ଅଫ ମାର୍କରେ ଉତୀର୍ଣ୍ଣ ହୋଇଛନ୍ତି । ଏପର୍ଯ୍ୟନ୍ତ ପ୍ରଥମ କାଉନସେଲିଂରେ ଏସସିବି ମେଡିକାଲ କଲେଜରେ ୫ ଜଣ ।ବ୍ରହ୍ମପୁର ମେଡିକାଲ କଲେଜରେ ଜଣେ । ଇଏସଆଇ କଲେଜରେ ଜଣେ । ଏମ୍ସରେ ଜଣେ ଆଡମିସନ କରିିଛନ୍ତି ।

ମେଧାବୀ ଛାତ୍ରଛାତ୍ରୀଙ୍କୁ ବାଛିବା ଲାଗି ସଂଘମିତ୍ରା କିଛି ମାନଦଣ୍ଡ ରଖିଥାନ୍ତି । ମେଧାବୀ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଭିତରେ ଡାକ୍ତରୀ ପାଠ ପ୍ରତି ଉତ୍ସୁକତାକୁ ସେ ଧ୍ୟାନ ଦେଇଥାନ୍ତି । ଏଥିପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ କିନ୍ତୁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ପ୍ରବେଶିକା ପାଇବା ପରେ ଯଦି ସରକାର ଛାତ୍ରଛାତ୍ରୀଙ୍କର ପାଠ ପଢିବା ଖର୍ଚ୍ଚକୁ ବହନ କରିପାରନ୍ତେ ତେବେ ରାଜ୍ୟରେ ଡାକ୍ତରଙ୍କ ଅଭାବ ପଡନ୍ତା ନାହିଁ ବୋଲି ମତ ରଖନ୍ତି ଓଡିଶାର ଏହି ଲେଡି ଆନନ୍ଦ କୁମାର ।