ମୟୂରଭଞ୍ଜ ପାଇଁ ମହାମନ୍ତ୍ରଣା,ପୁରୁଣା ଯିବେ ନୂଆ ଆସିବେ । ମେଣ୍ଟ ଭରସାରେ କଂଗ୍ରେସ, ବିଜେପି ପାଇଁ ଦିଲ୍ଲୀରୁ ଆସିପାରନ୍ତି ନେତା! ଗଡ ବଞ୍ଚାଇବା ପାଇଁ ଅଙ୍କ କଷୁଛି ବିଜେଡି

313

କନକ ବ୍ୟୁରୋ : ମୟୂରଭଞ୍ଜରେ ହେବ ମହାଲଢେଇ । ମୟୂରଭଞ୍ଜ ଲୋକସଭା ଆସନର ସ୍ଥିତି ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି। ଏଥର ତ୍ରିମୁଖୀ ଲଢ଼େଇରେ ୪ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ତାକତ ଦେଖାଇବେ। ନୂଆ ଚେହେରା ଓ ନୂଆ ରାଜନୈତିକ ସମୀକରଣ ସହିତ ସବୁ ରାଜନୈତିକ ଦଳ ଆଗକୁ ବଢିବା ଆରମ୍ଭ କରିଛନ୍ତି। ସବୁ ଦଳ ଯେ ଏଥିର ନୂଆ ଚେହେରା ସହ ଲଢ଼େଇ କରିବେ ଏହା ଆପାତତଃ ଚୂଡ଼ାନ୍ତ।

୭ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର। ୧୯୮୦ରୁ ୧୯୯୬ ନିର୍ବାଚନ ପର‌୍ୟ୍ୟନ୍ତ ଏଠାରେ ଲଗାତାର ଭାବେ ଜିତି ଆସିଥିଲା କଂଗ୍ରେସ। ଆଉ ତା’ପରଠୁ ଏପାଖ ସେପାଖ ହେଉଛି ଆସନ। ୨୦୦୯ରୁ ଏହି ଆସନକୁ ହାତେଇଛି ବିଜେଡି। ଗତ ନିର୍ବାଚନରେ ଏଠାରେ ଚତୁର୍ମୁଖୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ ବିଜେଡି, ବିଜେପି, କଂଗ୍ରେସ ଓ ଜେଏମଏମ୍।

୨୦୧୪ରେ ବିଜେଡି ପ୍ରାର୍ଥୀ ରାମଚନ୍ଦ୍ର ହାଁସଦା ସର୍ବାଧିକ ୩ ଲକ୍ଷ ୯୩ ହଜାରରୁ ଉର୍ଧ୍ବ ଭୋଟ୍ ପାଇ ବିଜୟୀ ହୋଇଥିଲେ। ଦ୍ବିତୀୟରେ ଥିଲେ ଡାକ୍ତରୀ ପେଶା ଛାଡ଼ି ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଡ. ନେପୋଲ ରଘୁ ମୁର୍ମୁ ୨ ଲକ୍ଷ ୭୦ ହଜାରରୁ ଉର୍ଧ୍ବ ଭୋଟ୍ ପାଇଥିଲେ। ସ୍ବଚ୍ଛ ଚେହେରା ତଥା ସାନ୍ତାଳି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଭାବେ ନିର୍ବାଚନରେ ତାଙ୍କର ପଲ୍ଲା ଭାରୀ ରହିଥିଲା। ହେଲେ ଭୋଟ୍ ଟାଣିବାରେ କାମ ଦେଲାନି ନେପୋଲଙ୍କ ବ୍ୟକ୍ତିତ୍ବ। ସେହିପରି ତୃତୀୟରେ ଥିଲେ ଜେଏମଏମ୍ ପ୍ରାର୍ଥୀ ଡ. ଦେବାଶିଷ ମାର୍ଣ୍ଡି ଓ ଚତୁର୍ଥରେ ଥିଲେ କଂଗ୍ରେସର ଶ୍ୟାମସୁନ୍ଦର ହାଁସଦା। ଉଭୟ ୧ ଲକ୍ଷରୁ ୩୦ ହଜାରରୁ ଉର୍ଧ୍ବ ଭୋଟ୍ ପାଇଥିଲେ ବି ବିଜୟ ଠାରୁ ବହୁ ଦୂରରେ ରହିଯାଇଥିଲେ।

ତେବେ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଚିଟଫଣ୍ଡ ମାମଲାରେ ଜେଲକୁ ଯିବା ପରେ ଏହାର ପ୍ରଭାବ ସିଧାସଳଖ ଦଳର ଭୋଟବ୍ୟାଙ୍କ ଉପରେ ପଡିଥିଲା । ଖାସକରି ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡିର ଶୋଚନୀୟ ପରାଜୟ ଦଳକୁ ଚିନ୍ତାରେ ପକାଇଛି। ଏଣୁ ନୂଆ ରଣନୀତି ସହିତ ଆଗକୁ ବଢୁଛି ବିଜେଡି। ଗତଥର ଜେଏମଏମ୍ରୁ ନିର୍ବାଚନ ଲଢ଼ିଥିବା ଡ. ଦେବାଶିଷ ମାର୍ଣ୍ଡି ଜେଏମଏମ୍ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ଦଳ ତାଙ୍କୁ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ସ୍ବତନ୍ତ୍ର ଉନ୍ନୟନ କମିସନର ଅଧ୍ୟକ୍ଷ କରାଇଛି। ସେ ବିଜେଡିରୁ ଟିକେଟ୍ ରେସରେ ଅଛନ୍ତି। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଛିଡ଼ା କରାଇ ବିଜେଡି ମହିଳା କାର୍ଡ ଖେଳିପାରେ ବୋଲି କୁହାଯାଉଛି। ତେବେ ରାମଚନ୍ଦ୍ର ହାଁସଦାଙ୍କୁ ଦଳ ଚଳିତ ଥର ଟିକେଟ ଦେବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଗତ ଜିଲ୍ଲାପରିଷଦ ନିର୍ବାଚନ ସୂଚାଇଛି ଯେ ବିଜେପି ସ୍ଥିତିରେ ଅନେକ ସୁଧାର ଆସିଛି। ଜିଲ୍ଲାର ୫୧ଟି ଜିଲ୍ଲା ପରିଷଦ ଆସନରୁ ଏବେ ବିଜେପି ହାତରେ ଅଛି ୪୮ଟି ଆସନ। ବିଜେଡିର ଅଧିକାଂଶ ବିଧାୟକଙ୍କ ବିରୋଧରେ ଜନ ଅସନ୍ତୋଷ ବଢ଼ିଥିବାରୁ ବିଜେପି ଏହାର ଫାଇଦା ନେଇପାରେ ବୋଲି କୁହାଯାଉଛି। ପଞ୍ଚାୟତ ନିର୍ବାଚନର ପ୍ରଦର୍ଶନ ପୁଣିଥରେ ସାଧାରଣ ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି ଦଳ । ତେବେ ବିଜେପି କୌଣସି ନିର୍ଦ୍ଦିଷ୍ଟ ଚେହେରାକୁ ସାଂସଦ ପ୍ରାର୍ଥୀ ଭାବେ ଆଗକୁ ଆଣିନି। ପିଏମଓରେ କାର‌୍ୟ୍ୟରତ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଗିରିଶ ମୁର୍ମୁ ଏଥର ବିଜେପିରୁ ପ୍ରାର୍ଥୀ ହେବା ସ୍ଥିର ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ରହିଛି।

ଅନ୍ୟପଟେ ଜେଏମଏମ୍-କଂଗ୍ରେସ ଏଥର ମେଣ୍ଟ କରି ମୟୂରଭଞ୍ଜ ଦଖଲ କରିବାକୁ ଯୋଜନା ଚଳାଇଛନ୍ତି। ମେଣ୍ଟ ହେଲେ ଜେଏମଏମକୁ ଆସନ ଛାଡ଼ି ସମର୍ଥନ ଦେବ କଂଗ୍ରେସ। ନିକଟରେ ଜେଏମଏମ୍ ମୁଖିଆ ସିବୁ ସୋରେନ୍ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଏକ ସାଧାରଣ ସଭାରେ ତାଙ୍କ ଝିଅ ଅଞ୍ଜନୀ ସୋରେନ ମୟୂରଭଞ୍ଜ ଲୋକସଭା ଆସନରୁ ଛିଡ଼ା ହେବେ ବୋଲି ଘୋଷଣା କରିଥିଲେ। କଂଗ୍ରେସ କିନ୍ତୁ ଏ ନେଇ ସ୍ଥିତି ସ୍ପଷ୍ଟ କରିନି। ବରଂ ଏଆଇସିସିର ନିର୍ଦ୍ଦେଶ କ୍ରମେ କଂଗ୍ରେସ ନିଜ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପଠାଇଛି। ଏଥିରେ ଅଛି ସୁଶୀଳା ତିରିଆ ଓ ଗତଥର ସାଂସଦ ପ୍ରାର୍ଥୀ ଥିବା ଶ୍ୟାମ ସୁନ୍ଦର ହାଁସଦାଙ୍କ ନାଁ। ତେବେ ଗତଥର ବିଜେପିରୁ ପ୍ରାର୍ଥୀ ଥିବା ଏବଂ କିଛି ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ନେପୋଲ ରଘୁ ମୁର୍ମୁଙ୍କୁ ନେଇ କଂଗ୍ରେସ ଭାଳେଣିରେ ପଡ଼ିଛି। ତାଙ୍କୁ ଦଳ କେଉଁଠାରେ ଥଇଥାନ କରିବ ସେ ନେଇ ଅଙ୍କ କଷା ଚାଲିଛି।