ମୋ ବାପା-ମାଆଙ୍କୁ ବଂଚାଇ ଦିଅ । ଜୀବନର ଜୀବନ ଯନ୍ତ୍ରଣାର ବାସ୍ତବତା

49

କନକ ବ୍ୟୁରୋ: ସୁରୁଖୁରୁରେ ଚାଲିଥିଲା ମୟୂରଭଂଜର ଅଶୋକ ଜେନାଙ୍କ ସଂସାର । ହେଲେ ଧିରେ ଧିରେ ସବୁକିଛି ବଦଳି ଗଲା । ପୂର୍ବରୁ ଅଶୋକ ନିଜେ ପକ୍ଷାଘାତରେ ଆକ୍ରାନ୍ତ ଥିବା ବେଳେ ପରେ ପତ୍ନୀ ରୀନାରାଣୀ ମଧ୍ୟ କିଡନୀ ରୋଗରେ ଆକ୍ରାନ୍ତ । ପରିବା ଓ ମୁଢି ବିକ୍ରି କରି ପରିବାର ଚଳାଉଥିବା ଲୀନା ରୋଗାଗ୍ରସ୍ତ ହେବା ପରେ ସବୁ ଭାର ପୁଅ ଜୀବନଙ୍କ ଉପରେ ପଡିଛି । ଏବେ ପାଠପଢା ଛାଡି ମା’ଙ୍କ ସେବାରେ ଲାଗିଛନ୍ତି ପୁଅ ଜୀବନ । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ସ୍ୱପ୍ନ ଥିଲା ପାଠ ପଢି ଚାକିରୀ କରି ବାପା ମାଆଙ୍କ ସହ ହସ ଖୁସିରେ ରହିବେ । ହେଲେ ତାଙ୍କ ଉପରେ ଯେ ଏତିକି ଦୁଃଖ ଭାଙ୍ଗିପଡିବ ଏହା ଥିଲା କଳ୍ପନା ବାହାରେ । ମୟୂରଭଂଜ ଜିଲ୍ଲା ଶାଳିଆଡିହ ଗାଁର ଜୀବନ କୁମାର । କୁଟୁମ୍ବ କହିଲେ ମା, ବାପା ଓ ପୁଅ ଜୀବନ । ୨୧ ବର୍ଷ ହେଲା ପକ୍ଷାପାତରେ ଆକ୍ରାନ୍ତ ହୋଇଛନ୍ତି ବାପା ଅଶୋକ ଜେନା । ପରିବାର ଚଳାଇବା ପାଇଁ ମା ରୀନାରାଣୀ ପରିବା ଚାଷ ଓ ମୁଢି ବିକ୍ରି କରି ସୁରୁଖୁରୁରେ ଚଳାଇ ନେଉଥିଲେ ସଂସାର । ହେଲେ ବର୍ଷକ ତଳେ ହଠାତ୍ ଅସୁସ୍ଥ ହୋଇପଡିଲେ ସେ । ଜଣାପଡିଲା ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଅର୍ଥ ଅଭାବରୁ ଭୁବନେଶ୍ୱର ଚିକିତ୍ସା ବନ୍ଦ କରି ବାରିପଦାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଥରେ ଡାଏଲେସିସ୍ କରିବାକୁ ୪ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଏବେ ଡାଏଲେସିସ୍ ପାଇଁ ଅର୍ଥ ସାଜିଛି ବାଧକ । ଜୀବନ ଧାର ଉଧାର କରି ମାଙ୍କ ଚିକିତ୍ସା ଜାରି ରଖିଛନ୍ତି । ଏପରିକି ଟଙ୍କା ଅଭାବରୁ ଡାଏଲେସିସ ହୋଇନପାରିଲେ ରୀନାରାଣୀଙ୍କ ଦେହ ହାତ ଫୁଲି ଯାଉଛି । ଚିକିତ୍ସା ପାଇଁ ଚାଷଜମିକୁ ମଧ୍ୟ ବିକ୍ରି କରିସରିଲେଣି ଜୀବନ । ତଥାପି ସରିନି ଦୁଃଖ । ଅର୍ଥ ନମିଳିବାରୁ ଅସହାୟ ହୋଇଯାଇଛି ପରିବାର ।

ରୀନାରାଣୀଙ୍କ ଉପଯୁକ୍ତ ଚିକିତ୍ସା କଲେ ସେ ଆରୋଗ୍ୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ଅଛି । ତେବେ ଆପଣ ଯଦି ରୀନାରାଣୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଜୀବନ କୁମାର ଜେନାଙ୍କ ଏସ୍.ବି.ଆଇ. ବାରିପଦା ବ୍ରାଂଚ, ଆକାଉଂଟ ନମ୍ବର – ୩୫୮୧୮୧୧୯୪୨୦ କୁ ଅର୍ଥ ପଠାଇ ପାରିବେ ।