ରାତି ପାହିଲେ ମାଟ୍ରିକ ପରୀକ୍ଷା, ପିଲାଙ୍କୁ ଆସୁନି ନିଦ । ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ଡିଜିଟାଲ ଲକ୍ ବ୍ୟବସ୍ଥା । ଶାନ୍ତି ଶୃଙ୍ଖଳା ପାଇଁ ପରୀକ୍ଷା ହଲରେ ପହରା ଦେବେ ପୋଲିସ

334

କନକ ବ୍ୟୁରୋ: ରାତି ପାହିଲେ ମହାପରୀକ୍ଷା ଦେବେ ମାଟ୍ରିକ ପିଲା । ମୋଟ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଥିବା ଛାତ୍ରଛାତ୍ରୀ ସକାଳ ହେବାକୁ ଅପେକ୍ଷା କରିଥିବା ବେଳେ କେମିତି ରହିବ ପ୍ରଶ୍ନପତ୍ର ? କେମିତି ଦେବେ ଉତ୍ତର ? ଆଉ କେଉଁ ପ୍ରଶ୍ନର ଉତ୍ତର ପ୍ରଥମେ କରିବେ କେଉଁଟା ପରେ ? ସେନେଇ ଛନକା ପଶିଛି । ଗତ ଦୁଇ ବର୍ଷ ଧରି ପ୍ରଶ୍ନପତ୍ର ଭାଇରାଲ ଭଳି ଘଟଣା ବୋର୍ଡ କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଉଥିବା ବେଳେ ପରିଶ୍ରମ କରି ପାଠ ପଢିଥିବା ପିଲାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ପୂର୍ବଥର ଭଳି ଯଦି ଏଥର ବି ପ୍ରଶ୍ନପତ୍ର ଭାଇରାଲ ହୁଏ ତେବେ ପୁଣି ଥରେ ଗୋଟିଏ ପରୀକ୍ଷାକୁ ଆଉଥରେ ଦେବାକୁ ହେବ ।

ଚିନ୍ତା, ଦ୍ୱନ୍ଦ ଭିତରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଏଥର ସାରା ରାଜ୍ୟରେ ୫ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପ୍ରଶ୍ନପତ୍ର ଭାଇରାଲ ହେବାକୁ କେମିତି ରୋକାଯିବ ତାହା ସବୁଠାରୁ ବଡ ପ୍ରଶ୍ନ । ଏଥର ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଛି । କେଉଁ ଠାରୁ ପ୍ରଶ୍ନପତ୍ର ଭାଇରାଲ ହେଉଛି ତାହା ଜଣାପଡିଯିବ ବୋଲି ବୋର୍ଡ କର୍ତୃପକ୍ଷ କହିଛନ୍ତି । ଗତବର୍ଷ ଫେବୃଆରୀରେ ଏହି ମାଟ୍ରିକ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଚାରିଆଡେ ଭାଇରାଲ ହେବାରେ ଲାଗିଲା । ମୋବାଇଲରୁ ମୋବାଇଲ ଘୁରି ବୁଲିଲା ପ୍ରଶ୍ନପତ୍ର । କାହାରି ହାତରେ ଆଉ କିଛି ନିୟନ୍ତ୍ରଣ ପାଇଁ ବାଟ ନଥାଏ ।

୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ସବୁ ବ୍ୟବସ୍ଥା ସରିଥିବା ବେଳେ ସମସ୍ତ ନୋଡାଲ ସେଂଟରକୁ ପ୍ରଶ୍ନପତ୍ର ମଧ୍ୟ ପଠାଯାଇଛି । ଭାଇରାଲ ରୋକିବାକୁ ପ୍ରଶ୍ନପତ୍ରକୁ ତୃତୀୟ ଲେୟାର ପର୍ଯ୍ୟନ୍ତ ସିଲ କରାଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛି, ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ଏଥର ଡିଜିଟାଲ ଲକ୍ ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ କେଉଁ ପ୍ରଶ୍ନପତ୍ରର ଫଟୋ କେଉଁଠୁ ଉଠିଛି ତାହା ଜାଣି ହେବ । ସେପଟେ ପରୀକ୍ଷା ହଲକୁ ମୋବାଇଲ ସମୂର୍ଣ୍ଣ ଭାବେ ବାରଣ କରାଯାଇଛି । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହଲରେ ପୋଲିସ ପହରା ରହିବ ବୋଲି ବୋର୍ଡ ସଭାପତି କହିଛନ୍ତି ।