ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ! ଚଳିତବର୍ଷ ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ, ୩୬ଟି ସ୍କୁଲରେ ଫଳ ଶୂନ

61

କନକ ବ୍ୟୁରୋ : ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ । ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ପରୀକ୍ଷାଫଳ । ବୋର୍ଡ଼ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଚଳିତବର୍ଷ ମୋଟ ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧ ଲକ୍ଷ ୩୬ ହଜାର ୭୧୭ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷାର ପାସ ହାର ରହିଛି ୭୬.୨୩% । ଚଳିତବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୩୯୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ତେବେ ଚଳିତବର୍ଷ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୨୧୬୩୦୫ ଜଣ ଛାତ୍ର ପାସ କରିଥିବା ବେଳେ , ଛାତ୍ରୀଙ୍କ ପାସ ହାର ରହିଛି ୨୨୨୦୪୩ ।ଏହାଛଡା ଏ୧ ଗ୍ରେଡ଼ରେ ୧୭୧୫ ଜଣ, ଏ୨ ଗ୍ରେଡ଼ରେ ୧୫୬୮୯ ଜଣ, ବି୧ ଗେଡ଼ରେ ୩୯୨୫୨ ଜଣ ଓ ବି୨ ଗ୍ରେଡ଼ରେ ୬୮୦୦୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ରହିଛି ୧୨୪୬୬୫ ।ଯାହା ପାସ ହୋଇଥିବା ମୋଟ ଛାତ୍ରଛାତ୍ରୀଙ୍କ ୨୮.୪୪ ପ୍ରତିଶତ ।

ଚଳିତବର୍ଷ ୪୨୯ଟି ସ୍କୁଲରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩୬ଟି ସ୍କୁଲରେ ଫଳ ଶୂନ ରହିଛି । ମାଟ୍ରିକ ପରୀକ୍ଷାଫଳ ବୋର୍ଡର ୱେବସାଇଟ www.bseodisha.ac.in/, www.bseodisha.nic.in ରେ ଉପଲବ୍ଧ ହେବ। ଏହା ସହିତ ଛାତ୍ରଛାତ୍ରୀମାନେ ମୋବାଇଲରେ OR10<ROLL NO> ଟାଇପ୍ କରି ୫୬୭୬୭୫୦ କୁ ଏସଏମଏସ୍ ପଠାଇ ପରୀକ୍ଷାଫଳ ଜାଣିପାରିବେ। ଅପରାହଣ ୨ଟାରୁ ଛାତ୍ରଛାତ୍ରୀଙ୍କ ଓଏମଆର୍ ଉତ୍ତରଖାତାର ସ୍କାନ କପି ବୋର୍ଡ ୱେବସାଇଟ www.bseodisha.ac.inରେ ଛଡ଼ାଯିବ। ପରୀକ୍ଷାର୍ଥୀମାନେ ଏହି ଓଏମଆର୍ କପିକୁ ୱେବସାଇଟରୁ ଡାଉନଲୋଡ୍ କରିପାରିବେ । ବିଭିନ୍ନ ସମସ୍ୟାନେଇ ପରୀକ୍ଷାର୍ଥୀମାନେ ୦୬୭୧-୨୪୧୨୦୬୦/୨୪୧୨୦୫୯ ନମ୍ବର ସହିତ ଯୋଗାଯୋଗ କରିପାରିପେ ମୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।