ଗରିବ ଘରର ସୁନାପୁଅ ! ମାଟ୍ରିକ ପରୀକ୍ଷାରେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ

76

ମେଧା ଆଗରେ ଅର୍ଥ ସାଜି ପାରନାହିଁ ବାଧକ । ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଏକଥା ପ୍ରମାଣିତ ହୋଇଛି । ଭଲ ସ୍କୁଲ, ଟ୍ୟୁସନ ସବୁ ପ୍ରକାର ସୁବିଧା ସୁଯୋଗ ପାଇ ବି ଅନେକ ଛାତ୍ର ପାଠରେ ମନୋନିବେଶ କରିନଥାନ୍ତି । ହେଲେ ପଙ୍କରୁ ପଦ୍ମ ପରି ପ୍ରତିକୂଳ ପରିସ୍ଥିତିରେ ଭଲ ପାଠ ପଢି ଭଲ ନମ୍ବର ରଖି ପରିବାର ଓ ସ୍କୁଲର ନାଁ ରଖନ୍ତି କିଛି ପିଲା ।

ସୁରଜ ଯାଦବ

SBPସମ୍ବଲପୁର ବୁଢ଼ାରଜା ପାହାଡ଼ ତଳେ ଏକ ଝାଟିମାଟି ଘରେ ରୁହନ୍ତି ମେଧାବୀ ଛାତ୍ର ସୁରଜ ଯାଦବ । ବାପା ରାମନାରାୟଣ ଯାଦବ ଜଣେ ଅଟୋ ଚାଳକ । ଦିନେ ରୋଜଗାର ହେଲେ ଆର ଦିନ ଖାଲି ହାତରେ ଘରକୁ ଫେରିବାକୁ ପଡେ । ଏହାକୁ ଛାଡିଦେଲେ ଘରର ସଂପତି କହିଲେ ୨ଟି ଗାଈ । ସକାଳୁ କ୍ଷୀର ବିକି ଘରକୁ ଫେରିବା ପରେ ଆରମ୍ଭ ହୁଏ ସୁରଜର ପାଠପଢା । ହେଲେ ସୁରଜକୁ ରୋକି ପାରିନି ଏସବୁ ପ୍ରତିବନ୍ଧକ । ନିଜ ପ୍ରଚେଷ୍ଠାରେ ମାଟ୍ରିକ ପରୀକ୍ଷାରେ ୮୭ ପ୍ରତିଶତ ନମ୍ବର ରଖିଛନ୍ତି ସୁରଜ । ଏବେ ତାଙ୍କର ସ୍ୱପ୍ନ ଇଂଜିନିୟର ହୋଇ ବାପା ମାଆଙ୍କ ସ୍ୱପ୍ନକୁ ସାକାର କରିବା ।

ବାପା ନବମ ଯାଏଁ ପଢ଼ିଥିବାବେଳେ ମାଆ ସ୍କୁଲ ମାଟି ନାହାନ୍ତି । ପୁଅର ସଫଳତାରେ ବାପାମାଆଙ୍କ ଖୁସି କହିଲେ ନସରେ । ହେଲେ କିଭଳି ପୁଅ ଆଗକୁ ପାଠ ପଢିବ ଏକଥା ଭାବି ଭାବି କାନ୍ଦି ପକାଉଛନ୍ତି ମାଆ । ପାଠ ପଢ଼ିବା ପାଇଁ ଭଲ ପରିବେଶ ଥିବା ନିହାତି ଦରକାର, ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ସୁରଜ । ମାଟ୍ରିକ ପରୀକ୍ଷାରେ ସଫଳତା ପାଇ ସେ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ।

ଅବନିନ୍ଦ୍ର ନାୟକ

Bankiଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଆଗରେ କିପରି ସବୁ ପ୍ରତିବନ୍ଧକଙ୍କ ଡେଇଁହୁଏ, ସୁରଜଙ୍କ ଭଳି ପ୍ରମାଣ କରିଛନ୍ତି ବାଙ୍କୀ ସାହାଡାପଦା ଗାଁର ମେଧାବୀ ଛାତ୍ର ଅବନିନ୍ଦ୍ର ନାୟକ । ବାପା ଜଣେ କ୍ଷୁଦ୍ର ଚାଷୀ । ଓଳିଏ ଖାଇଲେ ଓଳିଏ ଉପାସ । ଆର୍ଥିକ ଅନାଟନକୁ ଛାତି ତଳେ ଚାପି ରଖି ଅବନିନ୍ଦ୍ର ଆଗକୁ ବଢିଛନ୍ତି । ମାଟ୍ରିକ ପରୀକ୍ଷାରେ ୬୦୦ରୁ ରଖିଛନ୍ତି ୫୭୦ ନମ୍ବର । ୯୫% ମାର୍କ ରଖି ପାଇଛନ୍ତି ଏ-ୱାନ ଗ୍ରେଡ । ଏବେ ତାଙ୍କର ଇଚ୍ଛା ସେ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ।

ପୁଅକୁ କିଭଳି ଆଗକୁ ପଢ଼େଇବେ ସେ ନେଇ ବାପା ମାଆ ଚିନ୍ତାରେ ପଡିଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ପୁଅକୁ ଭଲ ଭାବରେ ପଢାଇ ପାରିବେ ବୋଲି କହିଛନ୍ତି ଅବନିନ୍ଦ୍ରଙ୍କ ବାପା । ଏବେ ଅବନିନ୍ଦ୍ରଙ୍କ ଆଗକୁ ବଢିବା ବେଳ । ଗୋଟିଏ ପଟେ ପୁଅର ଭବିଷ୍ୟତ, ଅନ୍ୟପଟେ ଆର୍ଥିକ ଅନାଟନ । ଏହି ଚିନ୍ତାରେ ପଢିଛନ୍ତି ମେଧାବୀଙ୍କ ବାପା ମାଆ ।

ଦେବାଶିଷ

DMSବାପାଙ୍କୁ ବ୍ଲଡ କ୍ୟାନସର । ଘରେ ସବୁବେଳେ କାନ୍ଦବୋବାଳି । ମାଟ୍ରିକ ପରୀକ୍ଷା ରେଜଲ୍ଡ ବାହାରିବା ପରେ ଦୁଃଖର ପାହାଡ ଭିତରେ ଖୁସିର ଲହରି ଖେଳିଯାଇଛି । ପରିବାରକୁ ଏହି ଖୁସି ଭେଟି ଦେଇଛନ୍ତି ଧର୍ମଶାଳାର ମେଧାବୀ ଛାତ୍ର ଦେବାଶିଷ । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ମ୍ୟାଟ୍ରିକ ପରୀକ୍ଷାରେ ମିଳିଛି ଆଶାତୀତ ସଫଳତା । ୬୦୦ ନମ୍ବରରୁ ରଖିଛନ୍ତି ୫୫୫ନମ୍ବର । ଏବେ କ୍ୟାନସର ପୀଡିତ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ସେ ବଦ୍ଧପରିକର । କ୍ୟାନସର ଡାକ୍ତର ହୋଇ ଲୋକଙ୍କ ସେବା କରିବା ହେଉଛି ଦେବାଶିଷଙ୍କ ଏକମାତ୍ର ଲକ୍ଷ୍ୟ । ପୁଅର ସଫଳତାରେ ବାପା ଭୁଲି ଯାଇଛନ୍ତି କର୍କଟ ରୋଗର ଯନ୍ତ୍ରଣା ।

ପୁଅର ସଫଳତାର ଖୁସି ବଖାଣିଲା ବେଳେ କ୍ୟାମେରା ଆଗରେ କାନ୍ଦ କାନ୍ଦ ହୋଇ ପଡିଥିଲେ ଦେବାଶିଷଙ୍କ ବାପା ଓ ମାଆ । ଏହି ମେଧାବୀ ଛାତ୍ରଙ୍କ ପାଇଁ ନହଙ୍ଗାପାଟଣା ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ଏବେ ସମସ୍ତେ ଖୁସି । ପରିବାରର ପ୍ରତିକୂଳ ପରିବେଶକୁ ଅତିକ୍ରମ କରି ମେଧାବୀ ଦେବାଶିଷ, ସାରା ଅଂଚଳ ପାଇଁ ଆଣି ଦେଇଛନ୍ତି ଗୌରବ ।

ଦୁର୍ଗାଶଙ୍କର ଦାଶ

Disableଗରିବ ଘରର ସୁନାପୁଅଙ୍କ ସଂପର୍କରେ ଆପଣ ଜାଣିଲେ । ହେଲେ ଏବେ ଆମେ ଯେଉଁ କାହାଣୀ ଦେଖାଇବୁ ତାହା ଆପଣଙ୍କ ଆଶ୍ଚର୍ଯ୍ୟ କରିବ । ମେଧାବୀ ଛାତ୍ର ଦୁର୍ଗାଶଙ୍କର ଦାଶ । କାନକୁ ଶୁଭେ ନାହିଁ । ଅଂଟା ତଳକୁ ସବୁ ଅକାମୀ । ହେଲେ ପାହାଡ ଭଳି ଇଚ୍ଛାଶକ୍ତି । କେବଳ ଆଖିରେ ଦେଖିଦେଖି ପାଠପଢେ । ନିଜେ ନିଜେ ବୁଝିଯାଏ ପାଠ । ମାଟ୍ରିକ ପରୀକ୍ଷାରେ ସେ ଯାହା କରି ଦେଖାଇଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଉଦାହରଣ ।

ଭୁବନେଶ୍ୱର ରସୁଲଗଡରେ ଦୁର୍ଗାଶଙ୍କରଙ୍କ ଘର । ପିଲାଟୁ ଦିନରୁ ଦିବ୍ୟାଂଗ । ହେଲେ ଦୃଢ ମନୋବଳ ଓ ପ୍ରଚଣ୍ଡ ଆତ୍ମଶକ୍ତି । କାନକୁ କିଛି ଶୁଭୁନଥିବା ଓ ଚାଲି ବୁଲି ପାରୁନଥିବା ଦୁର୍ଗା ଆରମ୍ଭ ପାଠପଢାରେ ବେଶ ଆଗୁଆ । ଚଳିତ ବର୍ଷ ମାଟ୍ରିକ ପରୀଷା ଦେଇଥିଲେ ଦୁର୍ଗା । ହୁଇଲ୍ ଚେୟାରରେ ବସି କି ପରୀଷା ଦେଉଥିବାର ଚିତ୍ର ଥିଲା ହୃଦୟକୁ ଚହଲାଇ ଦେବାଭଳି । ଯେଉଁଭଳି ଭାବେ ତାଙ୍କ ବାପା ମା ସବୁଦିନ ପରୀଷା ସେଟଂରକୁ ନେଉଥିଲେ ତାହା ଅନ୍ୟ ଦିବ୍ୟାଗଂ ବାପା ମାଙ୍କ ପାଇଁ ଏକ ଉଦାହରଣ । ଦୁର୍ଗା ମଧ୍ୟ ବାପା ମାଆଙ୍କ ପରିଶ୍ରମକୁ ସାକାର କରି ମାଟ୍ରିକ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ ।

ଦୁର୍ଗାଙ୍କ ରେଜଲ୍ଟ ବାହାରିବା ପରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ଦୁର୍ଗାଙ୍କ ପାଠପଢାରେ ହାତ ବଢାଇଛି ଭୁବନେଶ୍ୱରର ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନ । ଇଚ୍ଛାଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ତିଷ୍ଟି ରହିପାରେନାହିଁ । ଏହା ପ୍ରମାଣ କରିଛନ୍ତି ଦୁର୍ଗାଶଙ୍କର ।

ପାଠ ପଢ଼ିବା ପାଇଁ ଭଲ ପରିବେଶ, ଟିଉସନ, ଟଙ୍କା ନିହାତି ଦରକାର ବୋଲି ଯେଉଁ ଧାରଣା ରହିଛି, ତାକୁ ଭୁଲ ପ୍ରମାଣିତ କରିଛନ୍ତି ଏହି ଛାତ୍ରମାନେ । ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।