କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ରାୟଗଡ଼ା ମୁହାଁ ହୋଇଛନ୍ତି ମାଓବାଦୀ। ସଂଗଠନ ସଜାଡ଼ିବା ପାଇଁ ଆରମ୍ଭ କରିଛନ୍ତି ସଭ୍ୟସଂଗ୍ରହ ଅଭିଯାନ। ଜିଲ୍ଲାର ଗୁଡାରି-ଚନ୍ଦ୍ରପୁର ସୀମାନ୍ତରେ ପ୍ରଜାମେଳି କରି ଲୋକଙ୍କୁ ନିଜ ସପକ୍ଷରେ ପ୍ରବର୍ତାଇବାକୁ ଉଦ୍ୟମ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁଡାରି ଥାନାରୁ ୩୫ କିମି ଦୂର ଘଞ୍ଚ ଜଂଗଲକୁ ଲାଗିଥିବା ଟାଙ୍ଗରମା ଗ୍ରାମରେ ମାଓବାଦୀ ପ୍ରଜାମେଳିର ଆୟୋଜନ କରିଥିଲେ। ପ୍ରଥମେ ଗୁପ୍ତ ବୈଠକ କରିବା ପରେ ମାଓବାଦୀ ପ୍ରଜାମେଳିରେ ଗ୍ରାମବାସୀଙ୍କୁ ଭେଟି ସଂଗଠନରେ ସାମିଲ୍ ହେବା ଲାଗି ଆହ୍ବାନ ଦେଇଥିଲେ। କିନ୍ତୁ ଗ୍ରାମବାସୀଙ୍କ ପକ୍ଷରୁ ମାଓ ସଂଗଠନକୁ ପୂର୍ବ ଭଳି ସହାନୁଭୂତି ମିଳିନଥିବା ଜଣାପଡିଛି।
/kanak/media/post_attachments/wp-content/uploads/2018/07/maoists660_072912045301.jpg)
ଏହା ପୂର୍ବରୁ ମାଓ ସଂଗଠନର ୭ ଜଣିଆ ଟିମ୍ ଚନ୍ଦ୍ରପୁର, ମୁନିଗୁଡା, କଲ୍ୟାଣସିଂହପୁର, ଗୁଡାରି ଇଲାକାରେ ବୁଲି ସଂଗଠନ ସୁଦୃଢ଼ ପାଇଁ ପ୍ରୟାସ ଜାରି ରଖିଥିବା ନେଇ ଗୁଇନ୍ଦା ସୂଚନା ପୁଲିସ୍ ତଥା ସିଆରପିଏଫ୍ ଯବାନଙ୍କ ନିକଟରେ ରହିଛି। ଦୀର୍ଘଦିନ ହେଲା ରାୟଗଡା ଜିଲ୍ଲାରୁ ମାଓବାଦୀ ସଭ୍ୟ ସଂଗ୍ରହ କରିନଥିବାରୁ ଜିଲ୍ଲାରେ ମାଓ ସଂଗଠନ ଦୁର୍ଗ ଭୁଶୁଡିବାରେ ଲାଗିଛି। ଏଣୁ ରାୟଗଡାରୁ କିଛି ଯୁବକ, ଯୁବତୀଙ୍କୁ ସଂଗଠନରେ ସାମିଲ୍ କରି ନେଟୱର୍କ ବଢ଼ାଇବା ଲକ୍ଷ୍ୟରେ ରହିଛନ୍ତି ମାଓବାଦୀ।