ବଦଳୁଛି ଲାଲଗଡ଼ର ଠିକଣା । ବଣ୍ଡାଘାଟି ଉପରେ ମାଓବାଦୀଙ୍କ ଆଖି, ଭାଇରାଲ ହେଲା ଘାଟିରେ ମାଓବାଦୀଙ୍କ ପ୍ରଜାମେଳିର ଭିଡିଓ ।

129

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରୁ ଧିରେ ଧିରେ ଅସ୍ତିତ୍ୱ ହରାଉଥିବା ଲାଲବାହିନୀ, ଏବେ ମାଲକାନଗିରିର ବଣ୍ଡାଘାଟିରେ ମେଳି ବାନ୍ଧୁଛନ୍ତି । ମାଇକ୍ ଧରି ଜଣେ ସଶସ୍ତ୍ର ମାଓବାଦୀଙ୍କ ଅଭିଭାଷଣ ହୁଏତ ଏହା ହିଁ ପ୍ରମାଣିତ କରୁଛି । ମାଓବାଦୀଙ୍କ ଦଣ୍ଡକାରଣ୍ୟ ସଙ୍ଗଠନକୁ ୧୦ ବର୍ଷ ପୂରିବାକୁ ଯାଉଥିବା ବେଳେ ସଙ୍ଗଠନକୁ ମଜବୁତ କରିବା ଲାଗି ମିଲିଶିଆ, ଜନନାଟ୍ୟ ମଣ୍ଡଳି ଓ ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଉଛି ଜଣେ ମାଓ ନେତା ।

ବଦଳୁଛି ଲାଲଗଡ଼ର ଠିକଣା ! ବଣ୍ଡାଘାଟି ଉପରେ ମାଓବାଦୀଙ୍କ ଆଖି । ସ୍ୱାଭିମାନ୍ ଅଂଚଳ ପରେ ଟାର୍ଗେଟରେ ବଣ୍ଡାଘାଟି । ଗୁରୁପ୍ରିୟା ସେତୁ ସହ ସ୍ୱାଭିମାନ ଅଂଚଳକୁ ସଡ଼କ ପଥ ଯୋଡ଼ି ହେବା ପରେ ଏବେ ମାଓବାଦୀଙ୍କ ପାଇଁ ଆଉ ଅଭେଦ୍ୟଗଡ଼ ହୋଇ ରହିନାହିଁ ସ୍ୱାଭିମାନ ଅଂଚଳ । ଏହାରି ଭିତରେ ପ୍ରାୟ ୭୦ ପ୍ରତିଶତ ଅଂଚଳ ଏବେ ପୁଲିସ୍ ନିୟନ୍ତ୍ରଣକୁ ଚାଲି ଆସିଛି । ଆଉ ଗତ ୨୫ ତାରିଖରେ ଜଣେ ମାଓବାଦୀଙ୍କୁ ପିଟି ପିଟି ହତ୍ୟା ପରେ ପୁଲିସ ଛାଉଣିରେ ପରିଣତ ହୋଇଛି ପୁରା ସ୍ୱାଭିମାନ ଅଂଚଳ । ଆଉ ବଣ୍ଡା ଘାଟିକୁ ମୁଣ୍ଡ ଗୁଂଜିବା ଲାଗି ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି ଲାଲବାହୀନି ।
ବଣ୍ଡାଘାଟିରେ ବଢୁଛି ମାଓମାଦୀଙ୍କ ଗତିବିଧି । ଗତ ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଅପରେସନ କରି ଗୁଳି ବିନିମୟ ସହ ବିପୁଳ ଅସ୍ତ୍ର ଶସ୍ତ୍ର ମଧ୍ୟ ଜବତ ହୋଇଛି । ସେହିପରି ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଶସ୍ତ୍ର ମଧ୍ୟ ଜବତ କରିବା ନେଇ ସୂଚନା ଦେଇଥିଲେ ପୁଲିସ ଡିଜି । ଆଉ ସ୍ୱାଭିମାନ ଅଂଚଳରେ ବ୍ୟାପକ ଫୋର୍ସ ମୁତୟନ ଯୋଗୁ ମାଓବାଦୀଙ୍କ ଦୁର୍ଗ ପତନ ହୋଇଛି । ଆଉ ବଣ୍ଡାଘାଟି ଏବେ ଲାଲାବାହୀନିଙ୍କ ନୂତନ ଠିକଣା ପାଲଟିଛି ।