୬୦ ଟଙ୍କାରୁ ସିକ୍ସରମ୍ୟାନ ! କେବେ ଥିଲେ ଦିନମଜୁରିଆ ଏବେ ଆଇପିଏଲରେ ସିକ୍ସରମ୍ୟାନ ଭାବେ ହେବେ ଉଭା

61

ଆଇପିଏଲରେ କାଶ୍ମୀରର ସିକ୍ସରମ୍ୟାନ ଭାବେ ପରିଚିତ ମଞ୍ଜୁର ଡାର । ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜଲୱା ଦେଖାଇବେ ମଞ୍ଜୁର । ପ୍ରଥମଥର ପାଇଁ ଆଇପିଏଲ ଭଳି ଏକ ବଡ ଟୁର୍ଣ୍ଣାମେଣ୍ଟର ଟିକେଟ ପାଇଥିବାରୁ ବେଶ ଖୁସି ଅଛନ୍ତି ମଞ୍ଜୁର । ଆଇପିଏଲ ନିଲାମୀରେ ମଞ୍ଜୁରଙ୍କୁ ୨୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଛି ପ୍ରୀତିଙ୍କ କିଙ୍ଗସ ଇଲେଭନ ପଞ୍ଜାବ । ଯେଉଁଠି ରାତି ପାହିଲେ ଗୁଳିର ଶବ୍ଦ ଶୁଣାଯାଉଥିଲା ସେଠାରେ ମଞ୍ଜୁରଙ୍କ ନାଁରେ କମ୍ପି ଉଠିବ ପୂରା ଅଞ୍ଚଳ । ମଞ୍ଜୁରଙ୍କ ନାଁର ଗୁଞ୍ଜରଣ ଆଗରେ ଫିକା ପଡିଯିବ ଗୁଳିର ଶବ୍ଦ ।

ipl 11କାଶ୍ମୀରର ବିସ୍ପୋରକ ବ୍ୟାଟସମ୍ୟାନ ମଞ୍ଜୁର ଡାର । ଦିନ ମଜୁରିଆ ଭାବେ କାମ କରୁଥିବା ମଞ୍ଜୁର ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଆଇପିଏଲ ଭଳି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଡାକରା ଆସିବ । କିନ୍ତୁ ତାଙ୍କ ଭିତରେ ଥିବା ପ୍ରତିଭା ହିଁ ମଞ୍ଜୁରଙ୍କୁ ଆଇପିଏଲ ଖେଳିବା ପାଇଁ ଟିକେଟ ଦେଇଛି । ୧୦୦ ମିଟରରୁ ବି ଲମ୍ବା ଲମ୍ବା ଛକା ମାରିବାରେ ଧୂରନ୍ଧର ଥିବା ମଞ୍ଜୁରଙ୍କ ଉପରେ ଚଳିତ ବର୍ଷ କିଙ୍ଗସ ଇଲେଭେନ ପଞ୍ଜାବର ନଜର ପଡିଛି । ତେବେ ଆଇପିଏଲ ଟିକେଟ ହାସଲ କରିବା ପାଇଁ ମଞ୍ଜୁରଙ୍କୁ ଅନେକ କଷ୍ଟ କରିବାକୁ ପଡିଛି । ମଞ୍ଜୁରଙ୍କ ପାଇଁ ଆଇପିଏଲ ରାସ୍ତା ଏତେ ସହଜ ନଥିଲା ।

ଦିନମଜୁରିଆରୁ ଆଇପିଏଲକୁ ଯାତ୍ରା । ଏମିତି କିଛି ଥିଲା ମଞ୍ଜୁର କାହାଣୀ । ମଞ୍ଜୁରଙ୍କ କହିବା ଅନୁଯାୟୀ, କ୍ରିକେଟ ଖେଳିବା ପାଇଁ ସେ ଅନେକ କଷ୍ଟ କରିଛନ୍ତି । ଏପରିକି ଦୈନିକ ୬୦ ଟଙ୍କା ମଜୁରୀରେ ମଧ୍ୟ ସେ କାମ କରିଛନ୍ତି । କାରଣ ତାଙ୍କର ସ୍ୱପ୍ନ ଥିଲା କ୍ରିକେଟର ହେବା ପାଇଁ । ଆଉ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ରାତିରେ ସୁରକ୍ଷା ଗାର୍ଡ ଭାବେ ମଧ୍ୟ କାମ କରିବାକୁ ପଛାଇ ନାହାନ୍ତି । ରାତିରେ ସୁରକ୍ଷାକର୍ମୀ ଭାବେ କାମ କରି ଦିନରେ କ୍ରିକେଟ ଖେଳିବା ତାଙ୍କ ପାଇଁ ଏତେ ସହଜ ନଥିଲା । ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ରାତିରେ ଜଗୁଆଳି ଭାବେ କାମ କରୁଥିଲେ ମଞ୍ଜୁର । ତେବେ ରାତିରେ ଜଗୁଆଳି ଆଉ ଦିନରେ କ୍ରିକେଟ ଖେଳିବା ତାଙ୍କ ପକ୍ଷେ ସମ୍ଭବପର ହୋଇନଥିଲା । ତେଣୁ ରୋଜଗାର କରିବା ସହ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଏକ ନୂଆ ଉପାୟ ବାଜି ନେଇଥିଲେ ମଞ୍ଜୁର । ବିଭିନ୍ନ କ୍ରିକେଟ କ୍ଲବ ପକ୍ଷରୁ ଖେଳିବା ସହ ରୋଜଗାରର ବାଟ ମଧ୍ୟ ବାହାର କରିନେଇଥିଲେ ମଞ୍ଜୁର । ତେବେ କ୍ଲବ କ୍ରିକେଟରେ ମଞ୍ଜୁରଙ୍କ ଧୂଆଁଧାର ପ୍ରଦର୍ଶନ ତାଙ୍କୁ କାଶ୍ମୀର ଟିମରେ ପଦାର୍ପଣର ସୁଯୋଗ ଦେଇଥିଲା । କାଶ୍ମୀର ପକ୍ଷରୁ ୯ଟି ଟି-୨୦ ଓ ଚାରୋଟି ଲିଷ୍ଟ-ଏ ଶ୍ରେଣୀ ମ୍ୟାଚ ଖେଳିଛନ୍ତି ମଞ୍ଜୁର ।

ଘରୋଇ ଟି-୨୦ ମ୍ୟାଚରେ ଯୁବରାଜଙ୍କ ବିପକ୍ଷରେ ଖେଳିଥିବା ଡାର କହିଛନ୍ତି ସେ କେବେ ଭାବି ନଥିଲେ ଯୁବରାଜଙ୍କ ସହ ଡ୍ରେସିଂ ରୁମ ସେୟାର କରିବେ । ଯୁବରାଜଙ୍କ ସହ ଖେଳିବା ତାଙ୍କ ଜୀବନର ଏକ ବଡ ଉପଲବ୍ଧି । ତେବେ କପିଳ ଦେବ ଓ ଧୋନି ତାଙ୍କର ଆଦର୍ଶ । ତେଣୁ ଧୋନିଙ୍କ ଭଳି ଲମ୍ବା ଲମ୍ବା ଛକା ମାରିବାକୁ ସେ ପସନ୍ଦ କରନ୍ତି । ଚଳିତ ଆଇପିଏଲ ନିଲାମୀରେ ଜମ୍ମୁ କାଶ୍ମୀରର ଏକମାତ୍ର ଖେଳାଳି ଭାବେ ମଞ୍ଜୁର ବିକ୍ରି ହୋଇଛନ୍ତି । ଯାହା ପୂରା ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ମଞ୍ଜୁର କହିଛନ୍ତି, ଏହି ପଇସାରେ ସେ ରୋଗିଣା ମା’ର ସେବା କରିବା ସହ ଘର ତିଆରି କରିବେ ।