ମଙ୍ଗଳବାର ଭାରତୀୟ ହକି ଦଳ କଳିଙ୍ଗ ଷ୍ଟାଡିୟମ ଭିଆଇପି ଲାଉଞ୍ଜ୍ ଆସିବାକୁ ନେଇ ଉଠିଥିବା ବିବାଦକୁ ଅଧିନାୟକ ମନପ୍ରୀତ୍ ସିଂହ ଖଣ୍ଡନ କରିଛନ୍ତି । ସେଠାକୁ ଯିବା ଆମ ଭୁଲ ଥିଲା ବୋଲି କହି ମନପ୍ରୀତ୍ ଏହି ପ୍ରସଙ୍ଗକୁ ଗୁରୁତ୍ବପୂର୍ଣ୍ଣ କ୍ବାର୍ଟର ଫାଇନାଲ୍ ପୂର୍ବରୁ ହାଲକା କରି ଦେଇଛନ୍ତି । ଆମେ ସେଠାକୁ ଯିବାର ନଥିଲା, ନିୟମ ବିଷୟରେ ଅବଗତ ନଥିବାରୁ ଏଭଳି ହେଲା । ହକି ଇଣ୍ଡିଆରେ କାହାରି ସହିତ ଆମର ବ୍ୟକ୍ତିଗତ ସମ୍ପର୍କ ଖରାପ ନାହିଁ । ଏହା ମୁଁ ମୋଇବାଲ୍ ଫୋନ୍ ଆଣିଥିଲେ ଦେଖାଇ ଦେଇଥାନ୍ତି ବୋଲି ମନପ୍ରୀତ୍ ବୁଧବାରର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହାକୁ ଯେଭଳି ଚିତ୍ରିତ କରାଯାଉଛି, ସେଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନୁହେଁ । ନେଦରଲାଣ୍ଡ୍-କାନାଡ଼ା ମ୍ୟାଚ୍ ଦେଖିବାକୁ ଆମେ ଆସିଯାଇଥିଲୁ ବୋଲି ମନପ୍ରୀତ ପ୍ରକାଶ କରିଥିଲେ। ସେହିଭଳି ଭିଆଇପି ଲାଉଞ୍ଜରେ ତାଙ୍କ ସହ ସାଥୀ ଖେଳାଳିଙ୍କୁ ହକି ଇଣ୍ଡିଆର ଜଣେ ଅଧିକାରୀ ଅପମାନିତ କରିଥିବା ଖବରରେ ସତ୍ୟତା ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ମଙ୍ଗଳବାର ନେଦରଲାଣ୍ଡ-କନାଡା ମ୍ୟାଚ୍ ଦେଖିବା ଲାଗି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ସହ ଅନ୍ୟ ୩ ସଦସ୍ୟ କଳିଙ୍ଗ ଷ୍ଟାଡିୟମ ଆସିଥିଲେ। ତେବେ ଅଜାଣତରେ ସେମାନେ ଭିଆଇପି ଲାଉଞ୍ଜ ଭିତରକୁ ପଶି ଯାଇଥିଲେ। ସେଠାରେ ଖେଳ ଦେଖୁଥିବା ହକି ପ୍ରେମୀ ଭାରତୀୟ ଖେଳାଳିଙ୍କୁ ପାଖରେ ପାଇ ସେମାନଙ୍କ ସହ ସେଲଫି ଉଠାଇବା ସହ ଅଟୋଗ୍ରାଫ ନେଇଥିଲେ। ଭାରତୀୟ ଖେଳାଳିଙ୍କୁ ଭିଆଇପି ଲାଉଞ୍ଜରେ ଦେଖି ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ସେମାନଙ୍କୁ ଗାଳି ଗୁଲଜ କରିଥିଲେ। ଏପରିକି ତୁରନ୍ତ ସେଠାରୁ ବାହାରି ଯିବାକୁ ତାଗିଦ କରିଥିଲେ। ସର୍ବସାଧାରଣରେ ଖେଳାଳିଙ୍କୁ ଏଲିନା ଏଭଳି ବ୍ୟବହାର କରିବାକୁ ହକି ପ୍ରେମୀ ସହଜରେ ଗ୍ରହଣ କରି ନଥିଲେ। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ସେମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିବାଦ ବଢ଼ିବା ଦେଖି ମନପ୍ରୀତ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଏହାର ସ୍ପଷ୍ଟୀକରଣ ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/manpreetsingh-08-1507453587.jpg)