ବିଦାୟ ପାରିକର ! ରାଷ୍ଟ୍ରୀୟ ସମ୍ମାନ ସହ ମନୋହରଙ୍କ ଶେଷ ସଂସ୍କାର, ପଞ୍ଚଭୂତରେ ଲୀନ ହେଲେ ଗୋଆ ମୁଖ୍ୟମନ୍ତ୍ରୀ, ଝୁରୁଛି ସାରା ଭାରତ । 

295

କନକ ବ୍ୟୁରୋ : ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଶେଷ କୃତ୍ୟ ଶେଷ ହୋଇଛି । ରବିବାର ରାତିରେ ତାଙ୍କର ପରଲୋକ ଘଟିଥିଲା । ଗତବର୍ଷ ଠାରୁ ସେ ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ଥିଲେ । ତେଣୁ ବିଭିନ୍ନ ସମୟରେ ସେ ଗୋଆ, ମୁମ୍ବାଇ, ଦିଲ୍ଲୀ, ଆମେରିକାରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶେଷ ଦର୍ଶନ କରିବା ପାଇଁ ସାଧାରଣ ଲୋକଙ୍କ ସମେତ ନେତାଙ୍କ ଭିଡ ଜମିଥିଲା ଗୋଆ ବିଜେପି କାର୍ଯ୍ୟାଳୟ ନିକଟରେ ।

ଏକ ବିଶାଳ ରାଲିରେ ତାଙ୍କ ମର ଶରୀରକୁ ଏସଏଜି ଗ୍ରାଉଣ୍ଡକୁ ନିଆଯାଇଥିଲା । ସେଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି । ତାଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ମନୋହର ପାରିକରଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଗୋଆରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ନିର୍ମଳା ସୀତାରମଣ ପ୍ରମୁଖ ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ଗୋଆରେ ପହଂଚି ଦୀବଙ୍ଗତ ନେତାଙ୍କ ଶେଷ ସମ୍ମାନ ଜଣାଇଛନ୍ତି । ସେହିପରି ଏକ ନିର୍ବାଚନ ସଭାରେ ମନୋହର ପାରିକରଙ୍କୁ ସମ୍ମାନ ଜଣାଇ ନିରବ ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକରେ ବିଭିନ୍ନ ରାଜନେତା ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।