ରାଜ୍ୟ ସରକାରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଖୋଲା ଚ୍ୟାଲେଂଜ : ‘ଦମ୍ ଅଛି ମୋତେ ସାମ୍ନା କର’

9

କନକ ବ୍ୟୁରୋ : ଦମ୍ ଅଛି ମୋତେ ସାମ୍ନା କର । ବରଗଡରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ଘଟଣା ପାଇଁ ସିଧାସଳଖ ନବୀନଙ୍କୁ ଦାୟୀ କରିଛନ୍ତି ପାରିକର । କହିଛନ୍ତି, ବରଗଡ ଘଟଣା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ । କିନ୍ତୁ ମୋ’ ସହ ଏଭଳି କରିବା ପାଇଁ କାହାର ସାହସ ହେବ ନାହିଁ । ଏଥିସହ ମୋଦି ସରକାରଙ୍କ ଦୁଇ ବର୍ଷର ସଫଳତା ବଖାଣିଛନ୍ତି ପାରିକର । ଏହା ସହ କହିଛନ୍ତି ସୁନାବେଡା ହାଲର କ୍ଷମତା ଦୁଇଗୁଣ କରାଯିବ ବୋଲି କହିଛନ୍ତି ରକ୍ଷା ମନ୍ତ୍ରୀ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚିଟଫଣ୍ଡ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ମନୋହର  ।  କହିଛନ୍ତି ଏନେଇ ସିବିଆଇ ଡାଇରେକ୍ଟରଙ୍କୁ ଜଣାଇବେ  ।

ସେପଟେ ମନୋହର ପାରିକର ହୋଟେଲ ମାରିୟନରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଭେଟିଥିଲେ । ପୂର୍ବତନ ସେନା କର୍ମଚାରୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ତାଙ୍କ ଦାବି ଜଣାଇଥିଲେ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀ ସଭାକୁ ସମ୍ବୋଧନ କରି ୨ବର୍ଷର ଶାସନ ଭିତରେ ଏନଏଡିଏ ଅମଳର ଉପଲବ୍ଧି ବାବଦରେ କହି ଚାଲିଯାଇଥିଲେ । ସମସ୍ୟା ଉପରେ ମନ୍ତ୍ରୀଙ୍କ ସହ ସବିଶେଷ ଆଲୋଚନା ହୋଇପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ସେନା କର୍ମଚାରୀ । ପ୍ରତିରକ୍ଷା ମନ୍ତ୍ରୀ ଚାଲିଯିବା ପରେ ସମସ୍ୟା ବାବଦରେ ଠିକରେ ଆଲୋଚନା ହୋଇନଥିବାରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଖେଳିଯାଇଥିଲା । ସଭାପରିଚାଳନା ଦାୟିତ୍ୱରେ ଥିବା ପୂର୍ବତନ ସେନା କର୍ମଚାରୀ ଓ ଅନ୍ୟମାନଙ୍କ ମଧ୍ୟରେ ଏ ନେଇ ବଚସା ହୋଇଥିଲା । ପରେ ସଭାସ୍ଥଳକୁ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଆସି ସମସ୍ତଙ୍କୁ ବୁଝାସୁଝା କରିଥିଲେ ।