ନାକରେ ଟ୍ୟୁବ୍ ଲାଗିବା ପରେ ମଧ୍ୟ ବଜେଟ ଉପସ୍ଥାପନ କଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ! କହିଲେ, ଜୋଶ ଅଛି ଆଉ ହୋସ ବି ଅଛି 

328

ପୁଣିଥରେ ଚର୍ଚ୍ଚାରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଅସୁସ୍ଥ ପାରିକର ବୁଧବାର ରାଜ୍ୟର ବଜେଟ ଉପସ୍ଥାପିତ କରି ଚର୍ଚ୍ଚାକୁ ଆସିଛନ୍ତି । ଯେଉଁ ସମୟରେ ପାରିକର ବଜେଟ ଉପସ୍ଥାପନ କରୁଥିଲେ ସେତେବେଳେ ମଧ୍ୟ ତାଙ୍କର ନାକରେ ଏକ ଟ୍ୟୁବ ଲାଗିଥିଲା । ଏଭଳି ଅବସ୍ଥାରେ ମଧ୍ୟ ବଜେଟ ଉପସ୍ଥାପନ କରିବାକୁ ପଛାଇ ନଥିଲେ ପାରିକର । ବଜେଟ ଉପସ୍ଥାପନ ସହ ପାରିକର କହିଛନ୍ତି, ମୁଁ ପ୍ରତିଶ୍ରୃତି ଦେଉଛି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଷ୍ଠା, ସର୍ମପଣ ଓ ସଚ୍ଚୋଟତାର ସହ ଗୋଆବାସୀଙ୍କ ସେବା କରିବି । ଏପରିକି ମୁଁ ଜୋଶରେ ଅଛି ଆଉ ହୋସରେ ମଧ୍ୟ ଅଛି । ଅସୁସ୍ଥ ପାରିକର ଆଗାମୀ ୩ ଦିନ ଧରି ଚାଲିବାକୁ ଥିବା ବଜେଟ ଅଧିବେଶନରେ ଭାଗ ନେବେ ।

ଦୀର୍ଘଦିନ ଧରି ଅସୁସ୍ଥ ଥିବା ପାରିକର ଏହା ପୂର୍ବରୁ ଚିକିତ୍ସା ପାଇଁ ଆମେରିକା, ଦିଲ୍ଲୀ, ଗୋଆ ଓ ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ଶରୀର ଅସୁସ୍ଥ ଥିବାରୁ ବହୁତ କମ ସମୟ ନଜର ଆସୁଛନ୍ତି ପାରିକର । ଏହାପରେ ମଧ୍ୟ ଲଗାତାର ଲୋକଙ୍କ ପାଖକୁ ଯିବା ସହ ଜନସଭାକୁ ସମ୍ବୋଧିତ ମଧ୍ୟ କରୁଛନ୍ତି । ଏହା ପୂର୍ବରୁ ଉରୀ ଫିଲ୍ମ ଦେଖିବା ସହ ଏହାର ଲୋକପ୍ରିୟ ଡାଇଲଗ ହାଓ ଇଜ ଦ ଜୋଶ କହି ଲୋକଙ୍କ ମନ ଜିଣିଥିଲେ । ଏହାଛଡା ଦେହ ଅସୁସ୍ଥ ଥିବା ସତ୍ତେ୍ୱ ମଧ୍ୟ କାର୍ଯ୍ୟାଳୟରେ ଅନେକ ସମୟରେ ନଜର ଆସିଛନ୍ତି ପାରିକର ।

ଏହାପୂର୍ବରୁ ମଙ୍ଗଳବାର ରାହୁଲ ଗାନ୍ଧୀ ଅସୁୂସ୍ଥ ପାରିକରଙ୍କୁ ଗୋଆରେ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା । ଏପରିକି ଏହି ଭେଟଘାଟ ସମୟରେ ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଥିଲେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ରାଜନୀତି ଦେଖିବାକୁ ମିଳିଥିଲା ।