ଲାଲକିଲ୍ଲାରୁ ମୋଦିଙ୍କ ଘୋଷଣା ! ୨୦୨୨ ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତ

53

କନକ ବ୍ୟୁରୋ : ଆଗାମୀ ୨୦୨୨ ସୁଦ୍ଧା ମହାକାଶକୁ ନିଜସ୍ୱ ଯାନରେ ବୈଜ୍ଞାନିକ ପଠାଇବ ଭାରତ । ୭୨ତମ ସ୍ୱାଧୀନତା ଦିବସ ଅବସରରେ ଏହା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯଦିଓ ୧୯୮୪ରେ ଭାରତୀୟ ବୈଜ୍ଞାନିକ ରାକେଶ ଶର୍ମା ପ୍ରଥମଥର ଲାଗି ଚନ୍ଦ୍ର ପୃଷ୍ଠରେ ଓହ୍ଲାଇଥିଲେ । ହେଲେ ସେ ସୋଭିଏତ ୟୁନିୟନର ସ୍ପେଶକ୍ରାଫଟରେ ମହାକାଶକୁ ଯାଇଥିଲେ । ତେଣୁ ମୋଦିଙ୍କ ଏହି ଘୋଷଣାର ଗୁରୁତ୍ୱ ବଢିଯାଇଛି । ଅଭିଯାନ ସଫଳ ହେଲେ ମହାକାଶକୁ ମଣିଷ ପଠାଇବାରେ ଭାରତ ହେବ ବିଶ୍ୱରେ ଚତୁର୍ଥ ଦେଶ ।

୨୦୨୨ କିମ୍ବା ତା ପୂର୍ବରୁ ମହାକାଶକୁ ମଣିଷ ପଠାଇବ ଭାରତ । ସ୍ୱାଧୀନତାର ୭୫ବର୍ଷ ପୂର୍ତି ବେଳକୁ ଚନ୍ଦ୍ର କିମ୍ବା ମଙ୍ଗଳରେ ହାତରେ ତ୍ରିରଙ୍ଗା ଧରି ପହଂଚିସାରିଥିବେ ଭାରତୀୟ ମହାକାଶଚାରୀ । ଦିଲ୍ଲୀ ଲାଲ କିଲ୍ଲାରୁ ୭୨ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଏଭଳି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର କେହି ପୁଅ ବା ଝିଅ ହାତରେ ତ୍ରିରଙ୍ଗା ଧରି ଗଗନଯାନରେ ମହାକାଶକୁ ଯିବାର ଲକ୍ଷ୍ୟ ରଖାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମହାକାଶ ଯାନରେ ଚିନ୍ଦ୍ର କିମ୍ବା ମଙ୍ଗଳ ପୃଷ୍ଠକୁ ମଣିଷ ପଠାଇବା ଲାଗି ଏକ ପ୍ରସ୍ତାବ ଗତ ୨୦୦୪ରୁ ସରକାରଙ୍କ ନିକଟରେ ରହିଛି । ଏହି ହ୍ୟୁମାନ ସ୍ପେଶ ଫ୍ଲାଇଟ ପ୍ରୋଗ୍ରାମର ଆନୁସାଙ୍ଗିକ ପ୍ରକ୍ରିୟା ଲାଗି ୟୁପିଏ ସରକାର ୧୪୫ କୋଟି ଟଙ୍କା ଅନୁମୋଦନ କରିଥିଲେ । ଏବଂ ମୋଦିଙ୍କ ଘୋଷଣା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋକୁ ଅଧିକ ଅନୁଦାନ ମିଳିବା ନେଇ ସମ୍ଭାବନା ବଢିଯାଇଛି । ଯଦିଓ ଏହି ଅଭିଯାନ ଲାଗି କେତେ ଟଙ୍କା ଖର୍ଚ୍ଚ ହେବ ତାର ହିସାବ ସାର୍ବଜନିନ ହୋଇନାହିଁ, କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏଥିଲାଗି ୧୦ହଜାରରୁ ୧୨ ହଜାର କୋଟି ଟଙ୍କା ବ୍ୟୟ ହେବ ।

ପୂର୍ବରୁ ରୁଷିଆ, ଆମେରିକା ଓ ଚୀନ ମହାକାଶକୁ ମଣିଷ ପଠାଇବାରେ ସଫଳ ହୋଇଛନ୍ତି । ୫୭ ବର୍ଷ ପୂର୍ବେ ରୁଷିଆ ବା ସେତେବେଳର ସୋଭିଏତ ୟୁନିୟନ ପ୍ରଥମେ ମହାକାଶକୁ ତାର ବୈଜ୍ଞାନିକଙ୍କୁ ପଠାଇବାରେ ସଫଳ ହୋଇଥିଲା । ୧୯୬୧ରେ ରୁଷ ବୈଜ୍ଞାନିକ ୟୁରି ଗାଗାରିନ ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇଥିଲେ । ତେବେ ସେହିବର୍ଷ ମେ’ ମାସରେ ଆମେରିକା ମଧ୍ୟ ଏଲେନ ସେଫର୍ଡଙ୍କୁ ମହାକାଶକୁ ପଠାଇବାରେ ସଫଳ ହୋଇଥିଲା । ଆଉ ଏହାର ଦୀର୍ଘ ବର୍ଷ ପରେ ଚୀନ ମଧ୍ୟ ତାର ବୈଜ୍ଞାନିକଙ୍କୁ ମହାକାଶକୁ ପଠାଇବାରେ ସଫଳ ହେଲା । ୨୦୦୩ରେ ଚୀନ ବୈଜ୍ଞାନିକ ମହାକାଶକୁ ଗଲେ ଓ ୨୦୨୨ରେ ଯଦି ଭାରତୀୟ ବୈଜ୍ଞାନିକ ମହାକାଶ ଗଲେ ତେବେ ଚୀନର ୧୯ବର୍ଷ ପରେ ଏହି ଅଭିଯାନ ସଫଳ ହେବ ।

୧୯୮୪ରେ ମହାକାଶକୁ ଯିବାରେ ପ୍ରଥମ ଭାରତୀୟ ବୈଜ୍ଞାନିକ ଥିଲେ ରାକେଶ ଶର୍ମା । ହେଲେ ସେ ସୋଭିଏତ ୟୁନିୟନର ମହାକାଶ ଯାନରେ ଚନ୍ଦ୍ର ପୃଷ୍ଠକୁ ଯାଇଥିଲେ । ପଞ୍ଜାବ ପଟିଆଲାର ଅଧିବାସୀ ରାକେଶ ଶର୍ମା ରୁଷିଆର ଫ୍ଲାଇଟ ଇଞ୍ଜିନିୟର ଓ କମାଣ୍ଡରଙ୍କ ସହ ମହାକାଶକୁ ଯାତ୍ରା କରିଥିଲେ । ସହଯୋଗୀ ଦେଶଙ୍କ ସ୍ପେଶକ୍ରାଫ୍ଟରେ ବିଶ୍ୱର ଅନେକ ଦେଶର ମହାକାଶଚାରୀ ମହାକାଶକୁ ଯାଇଛନ୍ତି । ମାଲେସିଆ, ଦକ୍ଷିଣ କୋରିଆ, ଡେନମାର୍କ, ଇରାନ, ସ୍ୱିଡେନ, ବ୍ରାଜିଲ, ଇସ୍ରାଏଲ, ଦକ୍ଷିଣ ଆଫ୍ରିକା ଏବଂ ସ୍ଲୋବାକିଆର ବୈଜ୍ଞାନିକ ଅନ୍ୟ ଦେଶର ସହାୟତାରେ ମହାକାଶକୁ ଯାଇଛନ୍ତି ।

ଭାରତ କିନ୍ତୁ ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ନିଜସ୍ୱ ମହାକାଶ ଯାନରେ ମଣିଷ ପଠାଇବାକୁ ଚାହୁଁଛି । ଯାହାର ଅନେକ ପ୍ରାରମ୍ଭିକ ପରୀକ୍ଷଣ କରିସାରିଛି ଇସ୍ରୋ । କ୍ର୍ୟୁ ଏସକେପ ସିଷ୍ଟମ ବା ଜରୁରୀ ପରିସ୍ଥିତିରେ ବୈଜ୍ଞାନିକମାନେ କିଭଳି ନିଜକୁ ମହାକାଶଯାନଠାରୁ ଅଲଗା କରିପାରିବେ ସେହି ଜ୍ଞାନକୌଶଳ ଉପରେ ଗବେଷଣା ଚାଲିଛି । ଏହା ସଫଳ ହେଲେ ୨ରୁ ୩ଜଣ ବୈଜ୍ଞାନିକଙ୍କୁ ନେଇ ମହାକାଶକୁ ମଣିଷ ପଠାଇବା ଅଭିଯାନ ଆରମ୍ଭ ହେବ ।